ଦୁବାଇ,୩୦/୦୭:  ଆଇସିସି ପକ୍ଷରୁ  ମହିଳା ଦିନିକିଆ  ବ୍ୟାଟିଂ ମାନ୍ୟତା ଘୋଷିଣା ହୋଇଛି। ଏହି ତାଲିକାରେ ଭାରତର ସ୍ମୃତି ମନ୍ଧନାଙ୍କୁ ପଛରେ ପକାଇ  ଇଂଲଣ୍ଡ ଅଧିନାୟିକା ନାତାଲି ସ୍କିଭର-ବ୍ରଣ୍ଟ୍‌ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି ।  ପୂର୍ବରୁ ଏହି ସ୍ଥାନରେ ଥିବା ମନ୍ଧନା ଦ୍ୱିତୀୟକୁ ଏବଂ ଦକ୍ଷିଣ ଆଫ୍ରିକାର  ଲୌରା ଉଲ୍‌ଭାର୍ଟ ତୃତୀୟକୁ ଖସିଛନ୍ତି । ମାତ୍ର ଏହି ୩ ଖେଳାଳିଙ୍କ ରେଟିଂ  ପଏଣ୍ଟ ମଧ୍ୟରେ କମ୍‌ ବ୍ୟବଧାନ ରହିଛି ।

ସ୍କିଭର ବ୍ରଣ୍ଟ ରେଟିଂ ପଏଣ୍ଟ ୭୩୧  ରହିଛି । ମନ୍ଧନା (୭୨୮) ତାଙ୍କଠୁ ମାତ୍ର ୩ପଏଣ୍ଟ ଏବଂ ଉଲଭାର୍ଟ (୭୨୫)  ୬ପଏଣ୍ଟ ପଛରେ ରହିଛନ୍ତି। ଘରୋଇ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ  ମନ୍ଧନା ୧୧୫ରନ୍‌ କରିଥିଲେ । ସ୍କିଭର-ବ୍ରଣ୍ଟ୍‌ ସର୍ବାଧିକ ୧୬୦ରନ୍‌ ସଂଗ୍ରହ କରିଥିଲେ । ଏହି ପ୍ରଦର୍ଶନ ତାଙ୍କୁ ଶୀର୍ଷ ମାନ୍ୟତା ପ୍ରଦାନ କରିଛି । ଅନ୍ୟ  ପଟରେ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌର ୧୦ଟି ସ୍ଥାନ ଉନ୍ନତି ଘଟାଇ  ୧୧ତମ, ଜେମିମା ରୋଡ୍ରିଗ୍ସ ୨ଟି ସ୍ଥାନ ଉଠି ୧୩ତମ ସ୍ଥାନରେ ରହିଛନ୍ତି ।

ଗତ  ସିରିଜରେ ହର୍ମନପ୍ରୀତ ୧୨୬ ଓ ରୋଡ୍ରିଗ୍ସ ୧୦୧ରନ୍‌ କରିଥିଲେ । ବୋଲିଂ  ତାଲିକାରେ ଭାରତର ଦୀପ୍ତି ଶର୍ମା ଚତୁର୍ଥ ସ୍ଥାନ ବଜାୟ ରଖିଥିବାବେଳେ  କ୍ରାନ୍ତି କୌଡ଼ ୫୮ଟି ସ୍ଥାନ ଉଠି ୬୨ତମ ସ୍ଥାନରେ ପହଞ୍ଚିଛନ୍ତି ।  ଅଲରାଉଣ୍ଡର ତାଲିକାରେ ଦୀପ୍ତିଙ୍କ ଚତୁର୍ଥ ସ୍ଥାନ ଅପରିବର୍ତ୍ତିତ ରହିଛି ।