କଲମ୍ବୋ,୧୪/୧୦: ଚଳିତ ମହିଳା ଦିନିକିଆ ବିଶ୍ୱକପ୍‌ର ୧୫ତମ  ଲିଗ ମ୍ୟାଚରେ ନ୍ୟୁଜିଲାଣ୍ଡ  ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ଉଭୟ ଦଳ ପାଇଁ ବିଜୟ ଜରୁରି  ହୋଇ ପଡ଼ିଥିବାରୁ ମଙ୍ଗଳବାର  ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ ।  ଶ୍ରୀଲଙ୍କା ୨ଟି ମ୍ୟାଚ୍‌ ହାରି ସାରିଛି ।  କେବଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌  ବର୍ଷା ଯୋଗୁଁ ବାତିଲ ହେବାରୁ ଶ୍ରୀଲଙ୍କା ୧ ପଏଣ୍ଟ ଅର୍ଜନ କରିଥିଲା । ସେହିପରି ନ୍ୟୁଜିଲାଣ୍ଡ ପ୍ରଥମ ୨ଟି  ମ୍ୟାଚ୍‌ରେ ଯଥାକ୍ରମେ ଅଷ୍ଟ୍ରେଲିଆ  ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜିତ ହେବା ପରେ ବାଂଲାଦେଶ ବିପକ୍ଷରେ ବିଜୟ ଖାତା ଖୋଲିଥିଲା ।

ମଙ୍ଗଳବାର ନ୍ୟୁଜିଲାଣ୍ଡର ପଲା ଭାରି ରହିବ । କିନ୍ତୁ ବିପର୍ଯ୍ୟୟ ଘଟାଇବାର କ୍ଷମତା ଶ୍ରୀଲଙ୍କା ନିକଟରେ  ରହିଛି । ଉଭୟ ଦଳ ମଧ୍ୟରେ ୧୫ଟି  ମ୍ୟାଚ୍‌ ଖେଳାଯାଇଛି । ଏଥିରୁ ନ୍ୟୁଜିଲାଣ୍ଡ ୧୩ଟି ମ୍ୟାଚ୍‌ ଜିତିଛି ।  ଶ୍ରୀଲଙ୍କା ୨ଟି ମ୍ୟାଚ୍‌ ବିଜୟୀ ହୋଇଛି ।  ୨୦୨୩ରେ ନ୍ୟୁଜିଲାଣ୍ଡ ଏକ ୩ମ୍ୟାଚ୍‌  ବିଶିଷ୍ଟ ସିରିଜ ଖେଳିବାକୁ ଶ୍ରୀଲଙ୍କା ଆସିଥିଲା । ଏହି ସିରିଜକୁ ଶ୍ରୀଲଙ୍କା  ୨-୧ରେ ଜିତିଥିଲା । ବର୍ତ୍ତମାନ ଦଳର  ଅଧିନାୟିକା ଥିବା ଚାମରି ଆଟ୍ଟାପଟୁ  ଏକ ମ୍ୟାଚ୍‌ରେ ୮୦ଟି ବଲରୁ ଅପରାଜିତ ୧୪୦ ରନ କରି ଦଳକୁ  ବିଜୟୀ କରାଇଥିଲେ ।

୨ବର୍ଷ ପରେ  ଉଭୟ ଦଳ ମଙ୍ଗଳବାର ସାମ୍ନା ସାମ୍ନି  ହେବେ । ତେଣୁ ଆଟ୍ଟାପଟୁ ମଙ୍ଗଳବାର  ଫର୍ମକୁ ଫେରିଲେ ଶ୍ରୀଲଙ୍କାର  ବିଜୟ ସମ୍ଭବ ହୋଇପାରିବ । ମଙ୍ଗଳବାର  ଆମେଲିଆ କେର ଓ  ଇନୋକା ରଣାବୀରାଙ୍କ ଉପରେ ନଜର  ରହିବ । ନ୍ୟୁଜିଲାଣ୍ଡ ଅଲରାଉଣ୍ଡର  ଆମେଲିଆ ଚମତ୍କାର ଫର୍ମରେ  ରହିଛନ୍ତି । ସେହିପରି ଶ୍ରୀଲଙ୍କା  ସ୍ପିନର ଇନୋକା ଗତ ୨ଟି ମ୍ୟାଚ୍‌ରେ  ୭ଟି ୱିକେଟ୍‌ ନେଇ ସାରିଛନ୍ତି ।

 ପ୍ରେମଦାସା ଷ୍ଟାଡ଼ିୟମ୍‌ ପିଚ୍‌  ସ୍ପିନରଙ୍କୁ ବେଶ୍‌ ସହାୟତା କରୁଛି ।  ମାତ୍ର ଟସ୍‌ ଏଠାରେ ନିର୍ଣ୍ଣାୟକ  ଭୂମିକା ଗ୍ରହଣ କରିବ । ପିଚ୍‌  ମନ୍ଥର ଥିବାରୁ ବିସ୍ଫୋରକ ବ୍ୟାଟିଂ  କଷ୍ଟକର ହେବ । ଉଭୟ ଭାଗରେ ସ୍ପିନର ସଫଳ ହେବେ । ତଥାପି  ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି  ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ଶ୍ରୀଲଙ୍କା: ହାସିନି ପେରେରା, ଚାମରି  ଆଟ୍ଟାପଟୁ (ଅଧିନାୟିକା), ହର୍ଷିତା  ସମରବିକ୍ରମା, ଭିଷ୍ମୀ ଗୁଣରତ୍ନେ,  କବିଶା ଦିଲହାରୀ, ନୀଳକ୍ଷିକା ସିଲଭା,  ଅନୁଷ୍କା ସଞ୍ଜିବନୀ, ଦେଓମି ବିହଙ୍ଗା, ସୁଗନ୍ଧିକା କୁମାରୀ, ଉଦେଶିକା  ପ୍ରବୋଧିନୀ, ଇନୋକା ରଣାବୀରା ।

ନ୍ୟୁଜିଲାଣ୍ଡ: ସୁଜି ବେଟ୍ସ, ଜର୍ଜିୟା ପ୍ଲିମର,  ଆମେଲିଆ କେର, ଶୋଫି ଡିଭାଇନ  (ଅଧିନାୟିକା), ବ୍ରୁକ ହାଲିଡେ, ମାଡି  ଗ୍ରୀନ, ଇସାବେଲା ଗେଜ, ଜେସ  କେର/ରୋଜମେରୀ ମାଇର, ଲି  ତାହୁହୁ, ଏଡେନ କାର୍ସନ, ବ୍ରି ଇଲିଂ ।