ଭୁବନେଶ୍ଵର, ୦୭/୧୧ : ଗିରଫ ହେଲେ ଇଡକୋ ଜୁନିଅନର ମ୍ୟାନେଜର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟ ଉଦୟ ସିଂଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯୋଶବନ୍ତ ଜେଠୱା ସୂଚନା ଦେଇଛନ୍ତି। ବୁଧବାର ବିଜୟଙ୍କ ୬ଟି ଠିକଣାରେ ଭିଜିଲାନ୍ସ ରେଡ୍ କରିଥିଲା। ଚଢାଉ ବେଳେ ୫୦ କୋଟିରୁ ଉର୍ଦ୍ଧ୍ଵ ମୂଲ୍ୟର ସମ୍ପତ୍ତି ଠାବ କରିଥିଲା।
ପ୍ରକାଶ ଥାଉକି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ ବୁଧବାର ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ। ତାଙ୍କ ଅଫିସ୍, ଖୋର୍ଦ୍ଧା ଜଙ୍କିଆରେ ଥିବା ପୈତୃକ ଘର, ପୁରୀରେ ଫ୍ଲାଟ୍, ଭୁବନେଶ୍ୱର ଆଚାର୍ଯ୍ୟବିହାର ଘର ସହ ମୋଟ ୬ଟି ଜାଗାରେ ଚଢ଼ଉ କରିଥିଲା ଭିଜିଲାନ୍ସ। ଚଢ଼ଉ ସମୟରେ ୫୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଛି।
ବିଜୟ ଉଦୟସିଂହଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ଭୁବନେଶ୍ୱର ରାଜାରାଣୀ ମଉଜା ପ୍ଲଟ୍ ନମ୍ବର ୫୦୪ରେ ୪ ମହଲା ଘର । ଯାହା ୭୫୦୦ ବର୍ଗଫୁଟ୍ରେ ଠିଆ ହୋଇଛି । ଘରର ସରକାରୀ ମୂଲ୍ୟ ରହିଛି ୩.୨୨ କୋଟି ଟଙ୍କା । ଘରେ ଝଲସୁଛି ଇମ୍ପୋର୍ଟେଡ୍ ବିଦେଶୀ ଇଣ୍ଟରିୟର । ଏହି ଘରର ସମସ୍ତ ଦ୍ୱାରରେ ସେନ୍ସର ଲାଗିଛି । ଖଟ, ସୋଫା, କବାଟ, ଝରକା ଓ ଆଲମାରୀଗୁଡିକ ଶାଳ କାଠରେ ହୋଇଛି । ଘରେ ଲାଗିଥିବା ଝୁମର ଥାଇଲାଣ୍ଡରୁ ଆସିଛି । ପାଇଖାନାରେ ବି ସେନ୍ସର ଲାଗିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ବାବୁ ଗାଧୋଇବା ପାଇଁ ବି ମିନେରାଲ୍ ୱାଟର ବ୍ୟବହାର କରନ୍ତି । ଡ୍ରଇଂ ରୁମ୍ଠାରୁ ଆରମ୍ଭ କରି ବେଡ୍ ରୁମ୍-ସବୁଠି ରହିଛି ସେନ୍ସର ଲକିଂ ବ୍ୟବସ୍ଥା । ଘରର ଡିଜାଇନ ଆଖି ଖୋସିଲା ଭଳି ହୋଇଛି । ଗୋଟିଏ ଗୋଟିଏ ଫ୍ୟାନ୍ର ମୂଲ୍ୟ ୨୦ ହଜାରରୁ ଅଧିକ ଟଙ୍କା । ପାଇଖାନାରେ ବି ବାବୁ ଏସି ଲଗାଇଛନ୍ତି।
ତା’ଛଡ଼ା ପୁରୀ ଜିଲ୍ଲାର ବାଲୁଖଣ୍ଡ ମୌଜାରେ ଏକ ଫ୍ଲାଟ ମିଳିଛି । ଭୁବନେଶ୍ୱର ଓ ଖୋର୍ଦ୍ଧାର ପ୍ରମୁଖ ଅଞ୍ଚଳରେ ୩ଟି ପ୍ଲଟ୍ ଅଛି। ଯାହାର ମୂଲ୍ୟ ପାଖାପାଖି ୪ କୋଟି ହେବ ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି । ବିଜୟଙ୍କ ବ୍ୟାଙ୍କ ଜମା ଓ ବୀମା ୫୫ ଲକ୍ଷ ୧୦ ହଜାର ଟଙ୍କା ଠାବ ହୋଇଛି । ତାଙ୍କ ଘରୁ ନଗଦ ୪ ଲକ୍ଷ ୫୦ ହଜାର ଜବତ ମଧ୍ୟ କରାଯାଇଛି । ସେହିପରି ତାଙ୍କର ଗୋଟିଏ ଚାରିଚକିଆ ଏବଂ ୩ଟି ଦୁଇଚକିଆ ଗାଡ଼ି ରହିଛି । ୨୯ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି । ବାବୁଙ୍କ ପାସ୍ପୋର୍ଟ ଦେଖି ଭିଜିଲାନ୍ସ ତାଜୁବ ହୋଇଛି । ବିଦେଶ ଖର୍ଚ୍ଚର ହିସାବ ହୋଇ ନାହିଁ । ୫୦ ଲକ୍ଷରୁ ଅଧିକ ହେବ ବୋଲି ଭିଜିଲାନ୍ସ ଅନୁମାନ କରୁଛି । କିଛି ମହିଳାଙ୍କ ନାଁରେ ବେନାମୀ ସମ୍ପତ୍ତି ଠାବ ମଧ୍ୟ ହୋଇଛି । ସେ ମହିଳାମାନେ କିଏ ? ତାଙ୍କ ସହ କ’ଣ ସମ୍ପର୍କ ତାର ଖୋଳତାଡ଼ ହେବ ବୋଲି ଭିଜିଲାନ୍ସ ଏସ୍ପି କହିଛନ୍ତି ।
କେଉଁ ଉପାୟରେ ବିଜୟ ଏତେ ମାତ୍ରାରେ କଳାଧନ କମାଇଲେ ତହାର ତଦନ୍ତ ଚାଲିଛି । କିଛି ମାସ ହେବ ବିଜୟଙ୍କ ନାଁରେ ଭିଜିଲାନ୍ସ ନିକଟକୁ ମାଳ ମାଳ ପିଟିସନ୍ ଆସୁଥିଲା । ଉକ୍ତ ପିଟିସନ୍କୁ ଆଧାର କରି ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ଜଣାପଡ଼ିଥିଲା ବିଜୟ କଳାଧନର ପାହାଡ଼ ଠିଆ କରିଛନ୍ତି । ତା’ପରେ ଚଢ଼ଉ ପାଇଁ ସ୍ପେଶାଲ୍ ଭିଜିଲାନ୍ସ କୋର୍ଟରୁ ଅନୁମତି ମଗାଯାଇଥିଲା। କୋର୍ଟଙ୍କ ଅନୁମତି ପରେ ବୁଧବାର ଚଢ଼ଉ ହୋଇଥିଲା । ୬ଟି ଟିମ୍ରେ ୮ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟ ଓ ଅନ୍ୟ ପୁଲିସ୍ କର୍ମଚାରୀମାନେ ସାମିଲଥିଲେ।