ନୂଆଦିଲ୍ଲୀ,୨୪।୨: ଚଣ୍ଡିଗଡ଼ର IDFC ଫାଷ୍ଟ ବ୍ୟାଙ୍କର ଏକ ଶାଖାରେ ହୋଇଥିବା ସନ୍ଦେହଜନକ ୫୯୦ କୋଟି ଟଙ୍କାର ଠକେଇ ଘଟଣାରେ କଡା କାର୍ଯ୍ୟାନୁଷ୍ଠା ଗ୍ରହଣ କରିଛନ୍ତି ହରିୟାଣା। ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୫୮୩ କୋଟି ଟଙ୍କା ଆସିସାରିଛି। ଏହି ମାମଲାରେ ୪ ଜଣ ବ୍ୟାଙ୍କ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଆଣ୍ଟି କରପସନ୍ ବ୍ୟୁରୋ(ଏସିବି)କୁ ମାମଲାର ତଦନ୍ତ ଦାୟିତ୍ବ ଦିଆଯାଇଛି। ଏହାଛଡା ଏସିବି ପକ୍ଷରୁ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି।

ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ମଙ୍ଗଳବାର ବିଧାନସଭାରେ ଟଙ୍କା ଫେରାଇବା ବିଷୟରେ ସୂଚନା ପ୍ରଦାନ କରି କହିଥିଲେ ଯେ ରାଜ୍ୟ ସରକାର ପ୍ରତ୍ୟେକ ପଇସାର ତଦାରଖ ଏବଂ ସୁରକ୍ଷା ସମ୍ପର୍କରେ ଜିରୋ ଟଲେରାନ୍ସ ନୀତି କାର୍ଯ୍ୟକାରୀ କରୁଛନ୍ତି। ଏହି ଗମ୍ଭୀର ପ୍ରସଙ୍ଗର ସମାଧାନ ପାଇଁ ସେ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ଘୋଷଣା କରିଛନ୍ତି।

କମିଟି କେବଳ ଅନିୟମିତତାରେ ସମ୍ପୃକ୍ତ ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କ ଭୂମିକାର ତଦନ୍ତ କରିବ ନାହିଁ, ବରଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ଦୃଢ଼ ତଦାରଖ ବ୍ୟବସ୍ଥା, ଆର୍ଥିକ ପ୍ରୋଟୋକଲ ଏବଂ ବୈଷୟିକ ସୁରକ୍ଷା ପଦକ୍ଷେପ ସମ୍ପର୍କରେ ସୁପାରିଶ ମଧ୍ୟ କରିବ।