• ଟ୍ରମ୍ପ ପ୍ରଶାସନକୁ ୟୁଏସ୍ ରିପବ୍ଲିକାନ ସାଂସଦଙ୍କ କଡ଼ା ବାର୍ତ୍ତା
  • ଭାରତକୁ ପ୍ରଶଂସା କଲେ ରିଚ୍ ମ୍ୟାକକାର୍ମିକ
  • ଭାରତକୁ ହଇରାଣ କଲେ ଆମେରିକାର ପାଇଁ ସମସ୍ୟା ହେବ
  • ପାକିସ୍ତାନରେ ଆମେରିକୀୟ ନିବେଶ ନାହିଁ 

ନୂଆଦିଲ୍ଲୀ : ପାକିସ୍ତାନକୁ ଆଇନା ଦେଖାଇ ଆମେରିକାର ରିପବ୍ଲିକାନ ସାଂସଦ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାର୍ଟିର ନେତା ରିଚ୍ ମ୍ୟାକକାର୍ମିକ କହିଛନ୍ତି ଯେ, ଭାରତ ତୁଳନାରେ ପାକିସ୍ତାନ ଆମେରିକାରେ ନିବେଶ ଆଣିବାରେ ଅସଫଳ ରହିଛି। ୱାଶିଂଟନ ସ୍ଥିତ ପ୍ରତିଷ୍ଠିତ ଥିଙ୍କ୍ ଟ୍ୟାଙ୍କ ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ ( ସିଏସଆଇଏସ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ମ୍ୟାକକାର୍ମିକ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଭାରତ କେବଳ ନିବେଶ ଆକର୍ଷିତ କରି ନଥାଏ, ବରଂ ଆମେରିକାରେ ନିଜେ ମଧ୍ୟ ନିବେଶ କରିଥାଏ। ମ୍ୟାକ୍କାର୍ମିକ ଟ୍ରମ୍ପ ପ୍ରଶାସନକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ଭାରତକୁ ହଇରାଣ କରିବା ଆମ ସମସ୍ତଙ୍କ ପାଇଁ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ମ୍ୟାକକାର୍ମିକ କହିଛନ୍ତି – ପାକିସ୍ତାନ ୩୦ କୋଟିର ଜନସଂଖ୍ୟା ବିଶିଷ୍ଟ ଦେଶ , କିନ୍ତୁ ଆପଣ ଏହାକୁ ଆମେରିକାରେ ନିବେଶ ଆଣିବାରେ କେବେ ଦେଖି ନଥିବେ । ଏହାର ଓଲଟା ଭାରତ ନିବେଶ ନେଇଥାଏ ଏବଂ ଆମେରିକାରେ ନିବେଶ ମଧ୍ୟ କରିଥାଏ। ସେ ଭାରତର ପ୍ରତିଭା ଶକ୍ତି ଉପରେ ଜୋର ଦେଇ କହିଛନ୍ତି –ଭାରତ କେବଳ ଦକ୍ଷ ଲୋକଙ୍କୁ ହିଁ ପଠାଇ ନଥାଏ ,ବରଂ ସେ ଆମେରିକାରେ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ତୁଳାଉଛି। ସେ କହିଛନ୍ତି – ଟାଲେଣ୍ଟ ମହତ୍ତ୍ୱପୂର୍ଣ୍ଣ ସାଜି ଥାଏ ଏବଂ ଭାରତ ପୂରା ବିଶ୍ୱରେ ଜବରଦସ୍ତ ମାତ୍ରାରେ ଟାଲେଣ୍ଟ ଉପଲବ୍ଧ କରୁଛି। ଏହା କେବଳ ପ୍ରତିଭାଶାଳୀ ଲୋକଙ୍କୁ ପଠାଇବା ଯାଏ ସୀମିତ ନୁହେଁ, ବରଂ ଏହା ଏଠାରେ ପ୍ରମୁଖ ଖାଲି ସ୍ଥାନକୁ ମଧ୍ୟ ଭରୁଛି।

ଗତ କିଛି ମାସରେ ଟ୍ରମ୍ପ ପାକିସ୍ତାନ ଆଡ଼କୁ ମୁହାଁଇଛନ୍ତି,ଯେଉଁଥିରେ ଭାରତ ସହ ସଂପର୍କରେ ବିବାଦ ସୃଷ୍ଟି ହୋଇଛି। ଭାରତକୁ ଚୀନ ତୁଳନାରେ ଇଣ୍ଡୋ-ପେସିଫିକ୍ କ୍ଷେତ୍ରରେ କାଉଣ୍ଟରୱେଟ୍ ଭାବେ ଦେଖା ଯାଉଛି। ହେଲେ , ସମ୍ପ୍ରତି ଟ୍ରମ୍ପ ପାକିସ୍ତାନୀ ନାଗରିକଙ୍କ ପାଇଁ ଇମିଗ୍ରେଟ୍ ଭିସା ପ୍ରୋସିସିଂ ରୋକି ଇସଲାମାବାଦକୁ କଡ଼ା ଚେତାବନୀ ଦେଇଛନ୍ତି। ଏହି ସ୍ଥିତିରେ ଆମେରିକୀୟ ସାଂସଦ ଟ୍ରମ୍ପ ପ୍ରଶାସନ ପାଇଁ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି , ଭାରତକୁ ଅସୁବିଧାରେ ପକାଇବା ଆମେରିକା ପାଇଁ ବହୁତ ବଡ଼ ସମସ୍ୟା ହୋଇପାରେ। ସେ କହିଛନ୍ତି – ଯଦି ଆମେରିକା ଭାରତକୁ ବନ୍ଧୁ ଭାବେ ଆପଣାଏ, ତ ଶାନ୍ତି ଓ ସମୃଦ୍ଧି ହେବ। ଯଦି ଆମେ ଭାରତରୁ ଅଲଗା କରିବା , ତ ଏହା ଆମ ସମସ୍ତଙ୍କ ପାଇଁ ବଡ଼ ସଙ୍କଟର ସ୍ଥିତି ହେବ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଭାରତୀୟ ବଂଶୋଦ୍ଭବ ଡେମୋକ୍ରେଟ୍ ସାଂସଦ ଏମି ବେରା ମଧ୍ୟ ମ୍ୟାକକାର୍ମିକଙ୍କ କଥାରେ ସହମତି ପ୍ରକାଶ କରିଥିଲେ। ସେ କହିଥିଲେ ଆମେରିକା ଓ ପାକିସ୍ତାନ ମଧ୍ୟରେ ଯଦିଓ ସଦ୍ୟ ନିକଟତରତା ବଢିଛି, ହେଲେ ଆମେରିକୀୟ କମ୍ପାନୀ ମାନେ ପାକିସ୍ତାନରେ ବିଲିୟନ ବିଲିୟନ ଡଲାରର ନିବେଶ କରୁ ନାହାନ୍ତି । ଏସବୁ କିନ୍ତୁ ଭାରତରେ ହେଉଛି।