ଗୋଆ,୨୦/୧୧ (ମନୋରଞ୍ଜନ ମହାନ୍ତି): ଐତିହାସିକ ଭବ୍ୟ ପରେଡ୍ ବା କାର୍ଣ୍ଣିଭାଲ୍ ସହ ଗୁରୁବାର ଅପରାହ୍ଣରେ ଗୋଆରେ ଆରମ୍ଭ ହୋଇଛି ୫୬ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)- ୨୦୨୫ । ଏହି ଉତ୍ସବରେ ମୁଖରିତ ହୋଇଛି ଗୋଆର ରାସ୍ତା । ତାସାଙ୍ଗକୁ ଭଳିକି ଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆହୁରି ରଙ୍ଗିନ ହୋଇଛି ସହର । ଗଳିକନ୍ଦି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଚଳଚ୍ଚିତ୍ରର କାହାଣୀ ଉନ୍ମୋଚନର ମଞ୍ଚ ପାଲଟିଛି ।
ପ୍ରଥମ ଥର ପାଇଁ ପାରମ୍ପରିକ ଶୁଭାରମ୍ଭ ପରିବର୍ତ୍ତେ ଲୋକଙ୍କ ଗହଣରେ ଏବଂ ଏହାର ରାସ୍ତାରେ ଚିତ୍ତାକର୍ଷକ ଢଙ୍ଗରେ ଉଦ୍ଘାଟିତ ହୋଇଛି ଆଇଏଫ୍ଏଫ୍ଆଇ । ଯାହା ଗୋଆ ଜନଜୀବନକୁ ସିନେମାମନସ୍କ ସହ ସମ୍ପୂର୍ଣ୍ଣ ଜୀବନ୍ତ କରି ଦେଇଛି । ଏହି ଭବ୍ୟ ସମାରୋହ ସହରକୁ ଏକ ବଡ଼ ଏବଂ ଜୀବନ୍ତ କାନଭାସ୍ର ପରିଣତ କରିଦେଇଛି । ସହରରେ ଚଳଚ୍ଚିତ୍ରର ଚମକ, ସାଂସ୍କୃତିକ ଗୌରବ ଏବଂ ଶାଶ୍ୱତ କାହାଣୀର କୁହୁକ ଦେଖିବାକୁ ମିଳିଛି । ଏଥିରେ କଳାକାର, ସୃଜନଶୀଳ ପ୍ରତିଭା, ସିନେମାପ୍ରେମୀଙ୍କ ଉତ୍ସାହ ଗୋଆର ସଡ଼କକୁ ମନୋରଞ୍ଜନର ଉତ୍ସାହରେ ଭରି ଦେଇଛି । ଗୋଆ ସୃଜନଶୀଳତାର ଏକ କରିଡର୍ରେ ପରିଣତ ହୋଇଛି । ଏହି ଉଦ୍ଘାଟନୀ ଉତ୍ସବ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବକୁ ଉଦ୍ଘାଟନ କରି ଗୋଆ ରାଜ୍ୟପାଳ ଅଶୋକ ଗଜପତି ରାଜୁ କହିଥିଲେ, ମହୋତ୍ସବ ବିଶ୍ୱ ସ୍ତରରେ ଗୋଆର ଚିତ୍ର ବଦଳାଇବା ସହ ସିନେମା ଉତ୍କର୍ଷର ଉତ୍ସବ ପାଇଁ ଏକ ଅର୍ଥପୂର୍ଣ୍ଣ ମଞ୍ଚ ପାଲଟିଛି ।
ଗୋଆ ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତୀୟ ଚଳଚ୍ଚିତ୍ର ଜଗତ ଅନ୍ତର୍ଜାତୀୟ ସ୍ତରରେ ଶୀର୍ଷ ଛୁଉଁଛି । ଏଥିସହ ଗୋଆ ଆସି ଚଳଚ୍ଚିତ୍ର ସୁଟିଂ କରିବାକୁ ସେ ସମସ୍ତଙ୍କୁ ଆମନ୍ତ୍ରଣ କରିଥିଲେ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ. ମୁରୁଗନ୍ କହିଥିଲେ, ଆଇଏଫ୍ଏଫ୍ଆଇ ତାର ପ୍ରତ୍ୟେକ ସଂସ୍କରଣ ନୂତନତା ସହ ଆଗକୁ ବଢୁଛି । ଏଥର ପ୍ରଥମ କରି ଆୟୋଜିତ ପରେଡ୍ ଆମ ରାଜ୍ୟଗୁଡ଼ିକର ବିବିଧ ପରମ୍ପରାକୁ ପ୍ରଦର୍ଶିତ କରିଛି । ଆଇଏଫ୍ଏଫ୍ଆଇର ସ୍ଥାୟୀ ଆୟୋଜନ ସ୍ଥଳୀ ରୂପେ ପ୍ରତିଷ୍ଠା କରିବାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ମନୋହର ପାରିକରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ତାଙ୍କର ସ୍ମୃତିଚାରଣ କରିବା ସହ ଆୟୋଜନ ପଛରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ କଥା କହିଥିଲେ ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଚଳିତ ସଂସ୍କରଣର ଅନନ୍ୟ ବୈଶିଷ୍ଟ୍ୟଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ଏହି ସଂସ୍କରଣରେ ପ୍ରାୟ ୮୧ ଟି ଦେଶର ପ୍ରତିନିଧିତ୍ୱ କରୁଥିବା ଚଳଚ୍ଚିତ୍ରଗୁଡ଼ିକ ପ୍ରଦର୍ଶିତ ହେବ । ଏଆଇ ଫିଲ୍ମ ହାକାଥନ୍ ଏବଂ ସର୍ବବୃହତ୍ ୱେଭ୍ସ ଫିଲ୍ମ ବଜାର ଭଳି ନୂତନ କାର୍ଯ୍ୟକ୍ରମ ସହ ମାଷ୍ଟରକ୍ଲାସ, ଯୁବପିଢ଼ିଙ୍କ ନେଇ ଡିଜିଟାଲ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବିଶିଷ୍ଟ ଅଭିନେତା ନନ୍ଦମୁରୀ ବାଲକ୍ରିଷ୍ଣଙ୍କୁ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କର ୫୦ଟି ଗୌରବମୟ ବର୍ଷ ଏବଂ ତେଲୁଗୁ ସିନେମାକୁ ସମୃଦ୍ଧ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା ।
ଗୁରୁବାର ପରେଡ୍ରେ ଆନ୍ଧ୍ରପ୍ରଦେଶ, ହରିୟାଣା ଏବଂ ଗୋଆ ଭଳି ରାଜ୍ୟର ଅଭିନବ ପ୍ରଜ୍ଞାପନ ମେଢ଼ ଅଂଶଗ୍ରହଣ କରି ନିଜ ନିଜ ସିନେମା ଏବଂ ସିନେମା ନିର୍ମାଣ ପାଇଁ ଥିବା ପରିବେଶ, ସୁବିଧା ସାଙ୍ଗକୁ ଭାରତୀୟ ସିନେମା ପଛର ସୁନ୍ଦର କାହାଣୀକୁ ବଖାଣିଥିଲେ । ଏହି ଅବସରରେ ଆସନ୍ତା ୨୫ ତାରିଖରେ ଗାଲା ପ୍ରିମିୟର ହେବାକୁ ଥିବା ଓଡ଼ିଆ ଫିଲ୍ମ ‘ବିନ୍ଦୁସାଗର’ର ପ୍ରଜ୍ଞାପନ ମେଢ଼ ରାସ୍ତାରେ ଗଡ଼ିଥିଲା । ଏତଦ୍ ବ୍ୟତୀତ ୧୬ଟି ରାଜ୍ୟର ଶତାଧିକ ଲୋକ ସଙ୍ଗୀତ ଓ ନୃତ୍ୟକୁ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି "ଭାରତ ଏକ ସୁର’ ଦର୍ଶକଙ୍କ ମନ ଜିଣିଥିଲା । ବଡ଼ କଥା ହେଲା ଓଡ଼ିଶାର ଶାସ୍ତ୍ରୀୟ କଳା ପରିଷଦ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ସମ୍ବଲପୁରୀ ଡାଲଖାଇ ନୃତ୍ୟ ପୂରା ଜମେଇ ଦେଇଥିଲା । ଏହି ସୁନ୍ଦର ଚିତ୍ତାକର୍ଷକ ସାଂସ୍କୃତିକ ସମାରୋହରେ ଶତାଧିକ କଳାକାର ପ୍ରଦର୍ଶନ ଉତ୍ସବର ଗୌରବକୁ ଦ୍ୱିଗୁଣିତ କରିଥିଲା ।
ଉଦ୍ଘାଟନୀ ସମାରୋହରେ କେନ୍ଦ୍ର ନୂତନ ଏବଂ ଅକ୍ଷୟ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ, ବିଶିଷ୍ଟ ଅଭିନେତା ଅନୁପମ ଖେର, ମହୋତ୍ସବର ନିର୍ଦ୍ଦେଶକ ଶେଖର କପୁରଙ୍କ ସମେତ ବହୁ ଚଳଚ୍ଚିତ୍ର ନିର୍ମାତା, ସିନେମାପ୍ରେମୀ ଅଂଶଗ୍ରହଣ କରିଥିଲେ । ପୂର୍ବାହ୍ଣରେ ୱେଭ୍ସ ଫିଲ୍ମ ବଜାର ଉଦ୍ଘାଟିତ ହୋଇଥିଲା । ସନ୍ଧ୍ୟାରେ ପ୍ରଥମ ସିନେମା ପ୍ରଦର୍ଶନୀରେ ବ୍ରାଜିଲ ଫିଲ୍ମ "ଦ ବ୍ଲୁ ଟ୍ରେଲ' ପ୍ରଦର୍ଶିତ ହୋଇଥିଲା । ପ୍ରମୁଖ ଆକର୍ଷଣ ସାଜିଲେ ରିପବ୍ଲିକ ଅଫ କୋରିଆର ନ୍ୟାସନାଲ ଆସେମ୍ବଲି ସଦସ୍ୟ ଜଇୱନ କିମ୍ ବନ୍ଦେ ମାତରଂ ପରିବେଷଣ । ସେ ଫିଲ୍ମ ବଜାର ଏବଂ ପରେଡ୍ କାର୍ଯ୍ୟକ୍ରମରେ ଏହାକୁ ଗାଇ ପ୍ରଶଂସା ସାଉଁଟିବା ସହ ସମସ୍ତେ ଛିଡ଼ା ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ ।