ଭୁବନେଶ୍ୱର, ୪।୧: ନୂଆ ବର୍ଷରେ ପୁଲିସ ବିଭାଗରୁ ଦୁର୍ନୀତିଗ୍ରସ୍ତଙ୍କୁ ଧରିବା ଆରମ୍ଭ କରିଛି ଭିଜିଲାନ୍ସ ସଂସ୍ଥା। । କଟକ ସିଆର୍ଆର୍ଆଇ ଥାନା ଆଇଆଇସି ଶ୍ରୀ ବିଜୟ କୁମାର ବାରିକ ଗିରଫ ହୋଇଥିବା ଜଣାପଡ଼ିଛି । ଭୁବନେଶ୍ୱର ରାଜମହଲ ଛକ ନିକଟରେ ଲାଞ୍ଚ ନେବା ସମୟରେ ସେ ଧରାପଡ଼ିଛନ୍ତି । ଶ୍ରୀ ବାରିକ ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କ ବ୍ୟବସାୟ ସୁଚାରୁ ରୂପେ ଚଲାଇବାକୁ ୪୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ସହ ତାଙ୍କ ପାଖରୁ ସମସ୍ତ ଟଙ୍କା ଜବତ କରାଯାଇଛି ।
ଏହି ଘଟଣା ପରେ ଶ୍ରୀ ବାରିକଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଶ୍ରୀ ବାରିକଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ ଦୁଇଟି ସ୍ଥାନରେ ଏକକାଳୀନ ସନ୍ଧାନ ଜାରି ରଖିଛି । ଭୁବନେଶ୍ୱର ୟୁନିଟ୍–୧ରେ ଅବସ୍ଥିତ ଶ୍ରୀ ବାରିକଙ୍କ ସରକାରୀ ଆବାସରେ ଚଢ଼ାଉ ସମୟରେ ପ୍ରାୟ ୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଲାଞ୍ଚ ନେବା ଓ ଜବତ ହୋଇଥିବା ଟଙ୍କା ସମ୍ପର୍କରେ ଶ୍ରୀ ବାରିକଙ୍କୁ ପଚରାଉଚରା କରାଯାଉଛି । ଘଟଣାର ତଦନ୍ତ ଜାରି ରହିଛି ।