ଭୁବନେଶ୍ୱର,୧୫/୧୨: ଭୟଙ୍କର ରୂପ ନେଉଛି ଜଳବାୟୁ । ଓଡ଼ିଶାକୁ ଆଗାମୀ ଦିନରେ ମାଡ଼ି ଆସିବ ଅତି ଭୀଷଣ ବନ୍ୟା । ପୁଣି କେତେବେଳେ ସାଂଘାତିକ ମରୁଡ଼ି ନୟାନ୍ତ କରିବ । ଏମିତି କିଛି ସମ୍ଭାବ୍ୟ ବିପଦର ଆଶଙ୍କା ଦେଖା ଦେଲାଣି । ଜଳବାୟୁ ପରିବର୍ତ୍ତନର ଚରମ ଟାର୍ଗେଟ ଭିତରେ ରହିଛି ଓଡ଼ିଶା । ରାଜ୍ୟକୁ ଉଭୟ ବନ୍ୟା ଓ ମରୁଡ଼ିର ଭୟଙ୍କର ବିପଦ ଅଛି । ଭାରତର ୧୧ଟି ଜିଲ୍ଲାକୁ ଅତି ଭୟଙ୍କର ବନ୍ୟା ଓ ମରୁଡ଼ି ବିପଦ ଆଶଙ୍କା ରହିଛି । ତାଲିକାରେ ଓଡ଼ିଶାର କେନ୍ଦ୍ରାପଡ଼ା, ବିହାରର ପାଟନା ଏବଂ କେରଳର ଆଲ୍ପ୍ପୁଝା ଆଦି ଜିଲ୍ଲା ଅଛି । ଆଇଆଇଟି ଗୌହାଟି, ଆଇଆଇଟି ମଣ୍ଡି ଏବଂ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଫର୍ ଷ୍ଟଡିଜ ଅଫ୍ ସାଇନ୍ସ, ଟେକ୍ନୋଲୋଜି ଆଣ୍ଡ ପଲିସିର ମିଳିତ ଗବେଷଣାରେ ଏଭଳି ସମ୍ଭାବ୍ୟ ଆକଳନ ପ୍ରକାଶ ପାଇଛି ।
ଜଳବାୟୁ ପରିବର୍ତ୍ତନଜନିତ ସମ୍ଭାବ୍ୟ କ୍ଷୟକ୍ଷତି ଆକଳନକୁ ନେଇ ଏହି ରିପୋର୍ଟ ନିକଟରେ ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି, ଭାରତର ୫୧ଟି ଜିଲ୍ଲା ପାଇଁ ଅତି ଭୀଷଣ ବନ୍ୟା ଆଶଙ୍କା ରହୁଛି । ସେହିପରି ସମ୍ଭାବ୍ୟ ଭୀଷଣ ବନ୍ୟା ଆଶଙ୍କା ତାଲିକାରେ ଦେଶର ୫୧ଟି ଜିଲ୍ଲାକୁ ସ୍ଥାନିତ କରାଯାଇଛି । ଆସାମ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ଜମ୍ମୁ ଓ କାଶ୍ମୀର ସହ ଓଡ଼ିଶା ଭଳି ରାଜ୍ୟକୁ ବନ୍ୟାର ବେଶି ବିପଦ ରହୁଛି ।
ସେହିପରି ୯୧ଟି ଜିଲ୍ଲାକୁ ଅତି ଭୀଷଣ ମରୁଡ଼ି ଆଶଙ୍କା ନେଇ ଏହି ରିପୋର୍ଟ ଦର୍ଶାଇଛି । ୧୮୮ ଜିଲ୍ଲାକୁ ଭୀଷଣ ମରୁଡ଼ି ଆସିପାରେ । ସମ୍ଭାବ୍ୟ ମରୁଡ଼ି ପ୍ରବଣ ରାଜ୍ୟ ଭିତରେ ଓଡ଼ିଶା ସମେତ ବିହାର, ଆସାମ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ରହିଛି । ଆହୁରି କୁହାଯାଇଛି, ଏଭଳି ସମ୍ଭାବ୍ୟ ସ୍ଥିତିର ମୁକାବିଲା କରିବାକୁ ହେଲେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ହେବ । ଜାତୀୟ ଓ ରାଜ୍ୟସ୍ତରରେ ଏଥିପାଇଁ ଯଥାଶୀଘ୍ର ଆବଶ୍ୟକ ଖସଡ଼ା ପ୍ରସ୍ତୁତ କରିବା ଦରକାର । ନଚେତ୍ ସ୍ଥିତି ଆହୁରି ବିଗିଡ଼ିବ ।