ନୂଆଦିଲ୍ଲୀ: ମହାକୁମ୍ଭରେ ସାମିଲ ହୋଇଛନ୍ତି କୋଟି କୋଟି ସାଧୁ, ସନ୍ଥ ଏବଂ ଶ୍ରଦ୍ଧାଳୁ । ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭକୁ ଆସିଥିବା ବହୁ ସାଧୁ, ସନ୍ଥ ଏବଂ ସ୍ବାଧ୍ବୀ ନିଜ ନିଜର ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସେ ମଧ୍ୟରୁ ଜଣେ ସାଧୁ ଅଛନ୍ତି ଯିଏ ଆଇଆଇଟି ବାବା ନାମରେ ପ୍ରସିଦ୍ଧି ଲାଭ କରିଛନ୍ତି । ଏହାର କାରଣ ହେଉଛି ସେ, ଲକ୍ଷାଧିକ ଟଙ୍କାର ଚାକିରି ଛାଡ଼ି ପରାମାତ୍ମାଙ୍କ ଶରଣ ନେଇଛନ୍ତି । ସେ ଆଇଆଇଟି, ବମ୍ବେରୁ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ଆଉ ଏଥିପାଇଁ ଆଇଆଇଟି ବାବାଙ୍କ ସଂପର୍କରେ ଲୋକେ ଅଧିକରୁ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି । 

 ସୂଚନା ଅନୁସାରେ ଆଇଆଇଟି ବାବାଙ୍କ ପ୍ରକୃତ ନାଁ ଅଭୟ ସିଂହ । ତେବେ ଅଭୟ ସିଂହ ଉଚ୍ଚ ଶିକ୍ଷା କରିଥିବା ବେଳେ ମୋଟା ଅଙ୍କର ଦରମା ପାଉଥିଲେ, କିନ୍ତୁ ସେ କଣ ପାଇଁ ଆଧ୍ୟାତ୍ମିକ ମାର୍ଗକୁ ଚାଲିଆସିଲେ ? ସବୁ ସୁଖ ସୁବିଧାକୁ ପାଦରେ ଏଡ଼ାଇ ଦେଇ ଅଭୟ ସିଂହ କାହିଁକି ପାଲଟିଗଲେ ଆଇଆଇଟି ବାବା ? ଏହା ଜାଣିବାକୁ ପ୍ରତିଟି ବ୍ୟକ୍ତିଙ୍କ ମନରେ ଅହେତୁକ ଉତ୍ସାହ ଉପୁଜିଛି ।  ଅଭୟ ସିଂହ ହରିୟାଣାର ଝଜ୍ଜର ଜିଲ୍ଲାରେ ସାସରୌଲିରେ ଜନ୍ମ ଗ୍ରହଣ କରିଥିଲେ ।  ଏକ ସାକ୍ଷାତକାରରେ ଅଭୟ କହିଛନ୍ତି, ସେ ଆଇଆଇଟି ବମ୍ବେରୁ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଛନ୍ତି । ଏହା ବ୍ୟତୀତ ସେ ଅନେକ ବଡ଼ ବଡ଼ କମ୍ପାନିରେ କାର୍ଯ୍ୟ କରିଛନ୍ତି । 

 କେତେ ଦରମା ପାଉଥିଲେ ଅଭୟ ? 

ଅଭୟ କହିଛନ୍ତି, ସେ କାନାଡାରେ ୩ ବର୍ଷ ରହିଥିଲେ ଏବଂ ସେଠାରେ ସେ କମ୍ପାନିରୁ ଲକ୍ଷାଧିକ ଟଙ୍କା ଦରମା ପାଉଥିଲେ । ୨୦୧୯ରେ ସେ କାନାଡା ଯାଇଥିଲେ, ସେଠାରେ ଏକ କମ୍ପାନିରେ ମାସକୁ ୩ ଲକ୍ଷ ଟଙ୍କା ଦରମାରେ କାର୍ଯ୍ୟ କରୁଥିଲେ । ବର୍ଷକୁ ୩୬ ଲକ୍ଷ ଟଙ୍କା ପ୍ୟାକେଜ୍‌ ପାଉଥିଲେ ଅଭୟ ସିଂହ । ସବୁ ଠିକଠାକ୍‌ ଚାଲିଥିବା ବେଳେ ହଠାତ ତାଙ୍କ ମନକୁ ଏକ କଥା ଆନ୍ଦୋଳିତ କରିବାକୁ ଲାଗିଲା । ସବୁ ଦିନ ସେହି କାମ ଏବଂ ମାସ ଶେଷରେ ଦରମା, ଏହା ଯେମିତି ତାଙ୍କୁ ଭିତରୁ ବିରକ୍ତ କରିସାରିଥିଲା । ସେ ଅଶନିଶ୍ବାସୀ ହୋଇପଡ଼ିଥିଲେ ଏବଂ ଜୀବନରେ କିଛି ପରିବର୍ତ୍ତନ ସଂପର୍କରେ ଚିନ୍ତା କରିଥିଲେ । ପରେ ସେ ଆଧ୍ୟାତ୍ମ ଆଡ଼କୁ ଅଗ୍ରସର ହୋଇଥିଲେ ଏବଂ ଏହି ରାସ୍ତାରେ ଯାତ୍ରା ତାଙ୍କୁ ଖୁସି ଦେଇଥିଲା ବୋଲି ଅଭୟ କୁହନ୍ତି ।  ତେବେ କାନାଡାରେ ଥିବା ବେଳେ ସେ ଡିପ୍ରେସନ୍‌ରେ ଥିଲେ ଏବଂ ଏଥିରୁ ବାହାରିବା ପାଇଁ ସେ ଆଧ୍ୟାତ୍ମିକ ରାସ୍ତାକୁ ବାଛିଥିଲେ ବୋଲି କହିଛନ୍ତି ଅଭୟ । 

 ୪ ବର୍ଷର ପ୍ରେମ

ଅଭୟ ଆହୁରି କହିଛନ୍ତି, ଭାରତରେ ତାଙ୍କର ଜଣେ ପ୍ରେମିକା ଥିଲେ । ତାଙ୍କ ସହ ସେ ୪ ବର୍ଷ ବିତାଇଥିଲେ । କିନ୍ତୁ ବାପା-ମାଙ୍କ ମଧ୍ୟରେ ସବୁ ବେଳେ ଝଗଡ଼ା ଦେଖି ତାଙ୍କର ବିବାହ ଉପରୁ ଭରସା ତୁଟି ଯାଇଥିଲା ଏବଂ ବିବାହ କଥା ସେ ଭୁଲି ଗଲେ ।

 ଅଭୟଙ୍କ ବାପା କଣ କହିଲେ ?

ଗଣାମଧ୍ୟମକୁ ପ୍ରତିକ୍ରିୟା ଦେଇ ଅଭୟଙ୍କ ବାପା କର୍ଣ୍ଣ ସିଂହ କହିଛନ୍ତି, ‘ଗତ ୬ ମାସ ହେଲା ଅଭୟ ନିଜର ଫୋନ୍‌ ବ୍ଲକ୍‌ କରି ରଖିଛନ୍ତି । ସେ କେଉଁଠି ଥିଲେ ଆମେ ଜାଣିନଥିଲୁ ।’ ଅଭୟ ନିଜ ଭଉଣୀଙ୍କ ସହ କାନାଡାରେ ରହୁଥିଲେ ବୋଲି କର୍ଣ୍ଣ ସିଂହ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଅଭୟଙ୍କ ପିତା କର୍ଣ୍ଣ ସିଂହ ପେଶାରେ ଜଣେ ଓକିଲ ।