ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଜଳେଶ୍ୱର ଆକାଶରେ କଳାଧୂଆଁର ବାଦଲ... ଚାଲିଛି ଶତାଧିକ ବେଆଇନ ଇଟାଭାଟି, ପ୍ରଦୂଷଣରେ ନୟାନ୍ତ ଅଞ୍ଚଳବାସୀ

Published By : Rasmita Pradhan | January 18, 2025 12:02 PM

ଜଳେଶ୍ୱର, ୧୮/୦୧ (ଅବଦୁଲ ରହିମ) : ବାଲେଶ୍ଵର ଜିଲ୍ଲା ସୁବର୍ଣ୍ଣରେଖା ନଦୀ କୂଳରେ ଗଢି ଉଠିଛି ଶତାଧିକ ବେଆଇନ ଇଟାଭାଟି। ଜଳେଶ୍ଵର, ବସ୍ତା, ବାଲିଆପାଳ, ଭୋଗରାଇ ଅଞ୍ଚଳରେ ଗଢି ଉଠିଛି ଏହି ସବୁ ଇଟାଭାଟି। ପୂର୍ବରୁ ଇଟାଭାଟି ଗୁଡ଼ିକରେ ବଡ଼ ବଡ଼ ଚୋଙ୍ଗ ଦ୍ଵାରା ଧୂଆଁ ଛଡାଯାଉଥିବା ବେଳେ ଏବେ ଛୋଟ ଛୋଟ ଟିଣରେ ତିଆରି ଚୋଙ୍ଗ ଦ୍ଵାରା ଧୂଆଁ ଛଡ଼ାଯାଉଛି। ଫଳରେ ପ୍ରତିଦିନ ସକାଳେ ସ୍ଥାନୀୟ ଲୋକଙ୍କ ନାକରୁ ପୋଡ଼ା କୋଇଲା ଧୂଆଁର ମଳି ବାହାରୁଛି। ଗତକିଛି ବର୍ଷ ପୂର୍ବରୁ ଇଟାପୋଡା ବେଆଇନ ଘୋଷଣା କରାଯାଇଥିଲା। ରାଜ୍ୟ ଏବଂ କେନ୍ଦ୍ର ପରିବେଶ ବିଭାଗର ଧରପଗଡ଼ ଦ୍ୱାରା କିଛି ଇଟାଭାଟି ବନ୍ଦ ରହିଥିଲା। କିନ୍ତୁ ଏବେ ଲଗାମବିହୀନ ଭାବରେ ଇଟାଭାଟି ଗୁଡିକ ଦିନରାତି କଳାଧୂଆଁ ଛାଡୁଛନ୍ତି।

ଜଳେଶ୍ୱର ବ୍ଲକର ଗୋବରଘଟା, ଲକ୍ଷ୍ମଣନାଥ, ମହମ୍ମଦନଗର ପାଟଣା, ଶେଖସରାଇ, ଶିଖରପୁର, ଚାଲନ୍ତି, କୋଟସାହି, ରାୟାରାମଚନ୍ଦ୍ରପୁର, ଦକ୍ଷିଣ ପ୍ରହରାଜପୁର, ସରଦାରବନ୍ଧ ଇତ୍ୟାଦି ଅଞ୍ଚଳରେ ଛତୁ ଫୁଟିଲା ଭଳି ଇଟାଭାଟି ଖୋଲିଛି। ଏହି ସବୁ ଭାଟିରେ ପ୍ରତିଦିନ ଇଟାପୋଡା ଚାଲିଛି। ସାଧାରଣ ଲୋକ ବାଲି ମାଟି ଆଣିଲେ ତହସିଲ, ମାଇନିଂ ବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରୁଛନ୍ତି। ହେଲେ ଇଟାଭାଟି ମାଲିକମାନେ ପାହାଡ଼ ଭଳି ମାଟି ଗଦା କଲେ ମଧ୍ୟ ସେମାନଙ୍କ ଠାରୁ ରୟାଲିଟି ଆଦାୟ ବା ଜରିମାନା ନିଆଯାଉ ନାହିଁ। ସରକାର ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ପ୍ରତିବର୍ଷ ହାତଗୁଞ୍ଜା ପାଇ ବସି ପଡୁଛନ୍ତି। ସେପଟେ ଅଞ୍ଚଳବାସୀ ବିଭିନ୍ନ ରୋଗରେ ପୀଡ଼ିତ ହେବା ସହିତ ପନିପରିବା ଓ ଶସ୍ୟ ଜାତୀୟ ବହୁ ଫସଲ ଉପରେ କୁପ୍ରଭାବ ପଡ଼ୁଛି। ତା ଛଡା ନଡିଆ, ସୁପାରୀ ଗଛ ଉପରେ ଅଧିକ ପ୍ରଭାବ ପଡୁଛି। ସବୁଠାରୁ ଗୁରତ୍ୱପୂର୍ଣ୍ଣ ବିଷୟ, ବିଭିନ୍ନ ରାଜ୍ୟର ଦାଦନ ଶ୍ରମିକମାନେ ଇଟାଭାଟିରେ ସେମାନଙ୍କର ପିଲାଛୁଆ ପରିବାର ସହିତ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଛନ୍ତି। ବଂଶାନୁକ୍ରମେ ଭାବେ ବେଠି ଖଟୁଛନ୍ତି।

ସରକାର ବିଶ୍ୱ ପରିବେଶ ପ୍ରଦୂଷଣ ଓ ଶିଶୁ ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରୁଥିବା ବେଳେ ଓଡ଼ିଶାରେ ତାହା ଖୁଲମଖୁଲା ଭାବେ ଉଲଙ୍ଘନ କରାଯାଉଛି। ଜଳେଶ୍ୱର ଅଞ୍ଚଳରେ ଥିବା ଇଟାଭାଟି ଗୁଡିକରେ ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଶ୍ରମିକମାନେ ବେଠି ଖଟୁଛନ୍ତି। ପୁରୁଷ ଓ ମହିଳାମାନେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କର ପିଲାଛୁଆମାନେ ଏହି ପ୍ରଦୂଷିତ ପରିବେଷ ମଧ୍ୟରେ ବଢୁଛନ୍ତି। ଏମାନଙ୍କ ଉପରେ ଶିଶୁ ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନି।  ଇଟାଭାଟିରେ ଛୋଟଛୋଟ ପିଲାମାନଙ୍କର ବହୁ ସମୟରେ ଅକାଳରେ ମୃତ୍ୟୁ ହେଉଛି। ବିପଦପୂର୍ଣ୍ଣ ଜଳନ୍ତା ନିଆଁର ଭାଟି, ଗରମ ପାଉଁଶ ଗଦା, ଗଭୀର ପାଣିକୁଣ୍ଡ, ଉଚ୍ଚଉଚ୍ଚ କଞ୍ଚା ଓ ପୋଡା ଇଟାର ଗଦା ଏହି ପିଲାମାନଙ୍କ ମୃତ୍ୟୁର କାରଣ ପାଲଟୁଛି। 

ଏହି ଖବରଟିକୁ ପଢନ୍ତୁ-ବାରହା ମାରି ଖାଉଥିଲେ, ମାଡ଼ି ବସିଲା ଏସଟିଏଫ୍... ୩ ଶିକାରୀ ଅଟକ

ଏହି ଇଟାଭାଟି ଗୁଡିକ ସାଧାରଣତଃ ନିଛାଟିଆ ଓ ମୁଖ୍ୟ ରାସ୍ତା ଠାରୁ ଦୂରରେ ଥିବାରୁ ତାମଧ୍ୟରେ ହେଉଥିବା କାର୍ଯ୍ୟକଳାପ ଲୋକଲୋଚନକୁ ଆସି ନଥାଏ । ପରଦେଶୀ ଶ୍ରମିକମାନଙ୍କର ସୁବିଧା ଅସୁବିଧାକୁ କେହି ନଜର ଦେଇ ନଥାନ୍ତି । ତାର ସୁଯୋଗ ନେଇ ଇଟାଭାଟି ମାଲିକମାନେ ଶ୍ରମିକମାନଙ୍କୁ ଶୋଷଣ କରିବା ସହିତ ମୃତାହତଙ୍କ ପରିବାର ବର୍ଗକୁ ଧମକ ଦେଇ ଚୁପ୍ କରାଇ ଦେଉଥିବାର ଖବର ବହୁ ସମୟରେ ଶୁଣିବାକୁ ମିଳୁଛି। ବିଭିନ୍ନ ସମୟରେ ଇଟାଭାଟି ଗୁଡିକରେ ଦୁର୍ଘଟଣା ଘଟୁଛି। ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ୟରେ ବେଠି ଖଟୁଥିବା ବେଳେ ଅନ୍ୟ ରାଜ୍ୟର ଲୋକମାନେ ଓଡ଼ିଶାରେ ବେଠି ଖଟୁଥିବାର ଦେଖିବାକୁ ମିଳୁଛି। ଏହା ମାନବ ଅଧିକାରକୁ କ୍ଷୂର୍ଣ୍ଣ କରୁଛି। ତେଣୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେବା ସହିତ ଏହି ବେଆଇନ ଇଟାଭାଟି ଗୁଡିକ ଉପରେ ଅଙ୍କୁଶ ଲଗାଇବା ପାଇଁ ବୁଦ୍ଧିଜୀବୀମାନେ ସ୍ୱର ଉତ୍ତୋଳନ କରିଛନ୍ତି। ତେଣୁ ତୁରନ୍ତ ଏହି ଇଟାଭାଟି ଗୁଡିକୁ ବନ୍ଦ କରି ଅଞ୍ଚଳର ପରିବେଶ ସହିତ ପୃଥିବୀକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ନହେଲେ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.