ପୁରୀ,୧୨/୦୮: ଶ୍ରୀମନ୍ଦିର ଉତ୍ତର ଦ୍ୱାରା ସାମ୍ନାରେ ଇସ୍କନ  ପକ୍ଷରୁ ଏକ ବିଶାଳ ପ୍ରସାଦ ନିର୍ମାଣକୁ ବିରୋଧ ଆରମ୍ଭ ହୋଇଛି ।  ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପ୍ରତିଷ୍ଠାନ ନିର୍ମାଣ ଉପରେ ଲଗାମ୍‌ ଲଗାଇବାକୁ ଦାବି ହୋଇଛି । ବେଆଇନ୍‌ ଭାବେ ଏହା  ନିର୍ମାଣ ହେଉଥିବା ମଧ୍ୟ ପୁରୀ ତହସିଲଦାରଙ୍କ ନିକଟରେ  ଅଭିଯୋଗ ହୋଇଛି । ଯାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ  ଆପ୍‌ ପକ୍ଷରୁ ନିବେଦନ ହୋଇଛି।

ସେପଟେ ଶ୍ରୀମନ୍ଦିର ପରିକ୍ରମା  ମାର୍ଗ ୧୦୦ ମିଟର ଭିତରେ ଛତୁଫୁଟିବା ଭଳି ବହୁ ସଂଖ୍ୟକ କୋଠାବାଡ଼ି ନିର୍ମାଣ ହେବା ବୁଦ୍ଧିଜୀବୀ ମହଲରେ ଆଲୋଚନାର  ବିଷୟ ହୋଇଛି । ଶ୍ରୀମନ୍ଦିର ଜାତୀୟ ଐତିହ୍ୟ ସ୍ଥଳ ହୋଇଥିବାରୁ ଏହାର ୩୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ  କୋଠାବାଡି ପ୍ରଭୃତି ନିର୍ମାଣ ହେବା କଥା ।  ସେହିପରି ଏଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ତ୍ୱ  ସର୍ବେକ୍ଷଣ ସଂସ୍ଥା) କର୍ତ୍ତୃପକ୍ଷଙ୍କ ଅନୁମତି ସାଙ୍ଗକୁ  ପିକେଡିଏ ଓ ପୌରସଂସ୍ଥାର କୋଠା ନିର୍ମାଣ ପ୍ଲାନ୍‌  ଅନୁମୋଦନ ଆବଶ୍ୟକ । ଶ୍ରୀମନ୍ଦିର ପ୍ରଶାସନ,  ଗ୍ରାଉଣ୍ଡ ୱାଟର ବୋର୍ଡ ପ୍ରଭୃତି ବିଭିନ୍ନ ସରକାରୀ  ସଂସ୍ଥା ପକ୍ଷରୁ ଆପତ୍ତି ବିହୀନ ପ୍ରମାଣପତ୍ର ମଧ୍ୟ  ଆବଶ୍ୟକ । ମାତ୍ର ଏସବୁ ଅନୁମତି ନଆଣି  ଶ୍ରୀମନ୍ଦିର ଚତୁଃପାଶ୍ୱର୍ ନିଷିଦ୍ଧାଞ୍ଚଳରେ ବହୁ ସଂଖ୍ୟକ  ସୁଉଚ୍ଚ ବ୍ୟବସାୟିକ କୋଠାବାଡି ନିର୍ମାଣ ହେବାରେ ଲାଗିଛି । କୋଠାବାଡ଼ି ନିର୍ମାଣ ଉପରେ ନିୟନ୍ତ୍ରଣ ପାଇଁ ସରକାର ସ୍ୱତନ୍ତ୍ର  ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ମାସ  ତଳେ ଚିଠି ହୋଇଥିଲା । ହେଲେ ସରକାର ଏପର୍ଯ୍ୟନ୍ତ ଠୋସ୍‌  ପଦକ୍ଷେପ ନେଇନାହାନ୍ତି । ସରକାରୀ ବିଭିନ୍ନ କର୍ତ୍ତୃପକ୍ଷ ନିରବ  ରହିଥିବାରୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ନିଷିଦ୍ଧାଞ୍ଚଳରେ ବହୁ ବିଶାଳକାୟ  ବ୍ୟବସାୟିକ ଅଟାଳିକାମାନ ଗଢ଼ି ଉଠିବାରେ ଲାଗିଥିବା ଅଭିଯୋଗ  ହୋଇଛି । ଯାହା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକୁ ଲୁଚାଇବାରେ ଲାଗିଛି ।  ବିଶାଳ କୋଠାଗୁଡ଼ିକୁ ଆଢ଼ୁଆଳ କରି ରଖୁଥିବାରୁ ଦୂରରୁ ଏହାର  ସୁନ୍ଦର ଦୃଶ୍ୟ ଆଉ ଦେଖିବାକୁ ମିଳୁନି ।