ଭୁବନେଶ୍ୱର,୦୧/୦୬: ୨୦୨୫ ଜାନୁଆରୀ ମାସରୁ ୨୦୨୬ ମେ ମାସ ମଧ୍ୟରେ ରାଜ୍ୟର ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଚଢ଼ାଉ କରି ଓଡ଼ିଶା ପୁଲିସ ୨୭ ଶହ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି କିମ୍ବା ନଷ୍ଟ କରିଛି । ଦକ୍ଷିଣ-ପଶ୍ଚିମ (କୋରାପୁଟ) ପୁଲିସ ରେଞ୍ଜରେ ୩ ହଜାର ୧୭୧ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ବ୍ରହ୍ମପୁର ରେଞ୍ଜରେ ୨ହଜାର ୮୬୨ କିଲୋ ଗଞ୍ଜେଇ ଜବତ ହୋଇଛି । ଚଳିତ ବର୍ଷ ମେ ୧୨ ରୁ ୧୬ ତାରିଖ ମଧ୍ୟରେ ପୁଲିସ ରାଜ୍ୟବ୍ୟାପୀ ଚଢ଼ାଉ କରି ୩ ହଜାର କିଲୋ ଗଞ୍ଜେଇ ଜବତ କରିଛି ।
ଗଞ୍ଜେଇ ନିର୍ମୂଳ ଅଭିଯାନରେ ରାଜ୍ୟ ପୁଲିସର ବିଶାଳ ସଫଳତା ମଧ୍ୟରୁ ଏହା କାଣିଚାଏ । କିନ୍ତୁ ସଫଳତାର ଡିଣ୍ଡିମ ମଧ୍ୟରେ ଯାଦୁ କାଛୁ ଭଳି ଗଞ୍ଜେଇ ମଞ୍ଜି କିପରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରୁ ଆସି ଉପକୂଳ ଜିଲ୍ଲାରେ ବିଞ୍ଚି ହେଲାଣି, ତାହାକୁ ସମ୍ଭବତଃ ପୁଲିସ ଅଣଦେଖା କରୁଛି । ଦୀପ ତଳ ଅନ୍ଧାର ଭଳି ପୁରୀ ଜିଲ୍ଲାରେ ଗଞ୍ଜେଇ ଗଛର ଚେର ଏବେ ମାଟି କାମୁଡ଼ି ଧରିଲାଣି । ଫୁଟେ କି ଦୁଇ ଫୁଟ ନୁହଁ ୫ ଫୁଟ ଉଚ୍ଚର ସବୁଜ ଛନ ଛନ ଗଛ ନଦୀ କୂଳର ଶୋଭା ବଢ଼ାଉଛି ।
ପୁରୀ ଜିଲ୍ଲାର କଣାସ ବ୍ଲକ । ଗତ ବର୍ଷ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ଗୋପିନାଥପୁର-ବଡ଼ଗୋଠ ମଧ୍ୟବର୍ତ୍ତୀ ଅଞ୍ଚଳ ମକରା ନଦୀର ଧାରେ ଧାରେ ଥିବା ଜମିରେ ବିପୁଳ ଗଞ୍ଜେଇ ଗଛ ଦେଖିବାକୁ ମିଳିଥିଲା । ନାନକେରା ମୌଜାରେ କିଛି ଅଞ୍ଚଳରେ ଏହା ବି ହୋଇଥିଲା । ପରିବା ଫସଲ ମଧ୍ୟରେ ଉର୍ବର ମାଟି ଓ ଭଲ ପାଣି ପାଇ ଗଞ୍ଜେଇ ଗଛ ଶୀଘ୍ର ବଢ଼ିଥିଲା । ସେହିପରି ପଣ୍ଡିଆକେରା ପଞ୍ଚାୟତର ନାନକେର ଗ୍ରାମ ପାଖରେ ବାଦାମ ଓ ପୋଟଳ ଜମିରେ ମଧ୍ୟ ଗଞ୍ଜେଇ ଗଛ ହୋଇଥିଲା । ଉର୍ବର ମାଟି ଭଳି କିଛି ଲୋକଙ୍କ ଉର୍ବର ମସ୍ତିଷ୍କ ଥିଲା ଏହା ପଛରେ । କାରଣ ସାରା ଓଡ଼ିଶାରେ ପରିବା ଜମିରେ ଗଞ୍ଜେଇ ଚାଷ କେବେ ଦେଖିବାକୁ ମିଳିନଥିଲା । ସ୍ଥାନୀୟ କିଛି ସଚେତନ ଲୋକଙ୍କ ଚାପ ପଡ଼ିବାରୁ ଅବକାରୀ ବିଭାଗ ଦଳବଳ ନେଇ ଚଢ଼ାଉ କରିଥିଲା । ୪/୫ଶହ ଗଛ କାଟି ଜାଳି ଦେଇଥିଲା । ବିଭିନ୍ନ ଗଣମାଧ୍ୟମରେ ବଡ଼ ବଡ଼ ଫଟୋ ସହ ଖବର ଦେଖିବାକୁ ମିଳିଥିଲା । ପୁଲିସ ଓ ଅବକାରୀ ବିଭାଗ ସାଉଁଟିଥିଲା ପ୍ରଶଂସା । କିନ୍ତୁ କାହା ନାମରେ ମାମଲା ହେଲାନି କି କାହାରିକୁ ଗିରଫ କରାଗଲାନି ।
ବାସ୍ତବରେ ୨୦୨୫ରେ ଏହି ନଦୀ ପଠାରେ ଅବକାରୀ ବିଭାଗର ପାଦ ପଡ଼ିଥିଲେ ମଧ୍ୟ, ଖବର ଯାହା ଅଛି ୨୦୨୩ ଓ ୨୦୨୪ରେ ବି ଏହି ଅଞ୍ଚଳରେ ଗଞ୍ଜେଇ ଅମଳ ହୋଇଥିଲା । ସୁରୁଖୁରୁରେ ବେପାର ହୋଇଥିଲା । ୨୦୨୫ରେ ଟିକେ ଅଧିକ ଅଞ୍ଚଳକୁ ତାହା ବ୍ୟାପିଥିଲା ।
ଏବେ ୨୦୨୬ । ପୁଣି ଗଞ୍ଜେଇ ନିଶାରେ କଣାସର ନଦୀ ପଠା । ଏଥର ଗଡ଼ବଡ଼ପୁଟ ପଞ୍ଚାୟତକୁ ଚେର ବ୍ୟାପିଛି । କଣାସ ବ୍ଲକ ଚିଲିକା ଉପକୂଳରେ ଅବସ୍ଥିତ । ଅନେକ ଜମି ଖାଲୁଆ । ବନ୍ୟା ସମୟରେ ଶାରଦ ଧାନ ଫସଲ ଅନେକ ସମୟରେ ନଷ୍ଟ ହୋଇଯାଏ । ଦୟା ଓ ରାଜୁଆ ନଦୀ ପଠା ଅଞ୍ଚଳ ଏବଂ ପାଖଆଖ ଜମିରେ ବଡ଼ବଡ଼ ବେଣାବୁଦା ମଧ୍ୟରେ ବେଶ ସହଜରେ ପାଣି ପବନ ପାଇ ଗଞ୍ଜେଇ ଗଛ ସୁରକ୍ଷିତ ରହିଛି।
ଏଠାରେ ପ୍ରଶ୍ନ ଉଠୁଛି, ଏଠି ଗଞ୍ଜେଇ ଚାଷ କରୁଛି କିଏ? କାହା ଜମିରେ ହେଉଛି? ଅମଳ ହେଉଥିବା ଗଞ୍ଜେଇ ଫୁଙ୍କୁଛି କିଏ ନା ଚାଲାଣ କରାଯାଉଛି । ଭାଙ୍ଗ ହୋଇ ପୁରୀ ଯାଉଛି କି? ଥାନା ଓ ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର ୪/୫ କିଲୋମିଟର ଦୂରରେ କିପରି ଗଞ୍ଜେଇ ଚାଷ ହୋଇପାରୁଛି? ଚାଷ ହେଉଥିବା ଜମି ବ୍ୟକ୍ତିଗତ ହୋଇଥିଲେ, ଜମି ମାଲିକଙ୍କୁ ଗିରଫ କରା ନଯିବାର କାରଣ କ’ଣ? ଗଞ୍ଜେଇ ଗଛ ଛୋଟ ଥିବା ବେଳେ ଟେର୍ ପାଉ ନଥିବା ବିଭାଗ ଗଛ ୫ ଫୁଟ ହେବା ପରେ ଖବର ପାଉଛି କିପରି? ପୁଲିସ, ବନ ବିଭାଗ ଓ ରାଜସ୍ୱ ବିଭାଗର ନାକ ତଳେ ହେଉଥିବା ଏହି ଗଞ୍ଜେଇ ଚାଷରେ ଲଗାମ ନ ଲାଗିଲେ ଏହା ଧୀରେ ଧୀରେ ଲୋକଙ୍କ କିଚେନ୍ ଗାର୍ଡେନକୁ ବ୍ୟାପିଯିବା ଅସମ୍ଭବ ନୁହେଁ । ଭବିଷ୍ୟତରେ ରାଜ୍ୟ ବାହାର ବେପାରୀ ଆଉ କନ୍ଧମାଳ ନଯାଇ ପୁରୀ ଜିଲ୍ଲାରେ ଗଞ୍ଜେଇ ପାଇପାରିବେ ।
କିନ୍ତୁ ଅବକାରୀ ବିଭାଗର ସଫେଇ ବଡ଼ ଚମତ୍କାର । ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ଜଗଦିଶ ସାମଲ କହିଛନ୍ତି, କିଛି ଲୋକ ଫସଲ ଜମିରେ ଏହି ନିଶାଦ୍ରବ୍ୟ ଗଛର ଚାରା ଲଗାଉଛନ୍ତି । କିନ୍ତୁ ଗଞ୍ଜେଇ ଚାଷ ପାଇଁ ଆଦୌ ନୁହେଁ, ବରଂ ଭାଙ୍ଗ ପାଇଁ ଚାଷ କରନ୍ତି । ଭାଙ୍ଗ ପତ୍ରକୁ ନିଜେ ସେବନ କରନ୍ତି । କଣାସଠୁ ଅଳ୍ପ ଦୂର ପୁରୀରେ ବିକି ଦିଅନ୍ତି । ଆଗକୁ ଗଞ୍ଜେଇ ଗଛ ନଷ୍ଟ ଅଭିଯାନ ବ୍ୟାପକ ହେବ ।
ନାମ ଗୋପନ ସର୍ତ୍ତରେ ଜଣେ ସରପଞ୍ଚ କହିଛନ୍ତି, କଣାସର ଗାଁ ଗଣ୍ଡା ଦେଇ ମକରା ଓ ଦୟା ନଦୀ ବୋହିଛି । ସାଧାରଣତଃ ନଦୀପଠାରେ ଚିନା ବାଦାମ, ବିରି ମଞ୍ଜି ବୁଣାଯାଏ । କିଛି ଚାଷୀ ଜାଣିଶୁଣି ଗଞ୍ଜେଇ ମଞ୍ଜି ବୁଣୁଛନ୍ତି । ଗୋପୀନାଥପୁର, ବଡ଼ଗୋଠ, ପାଣ୍ଡିଆକେରା, ଗଡ଼ବଡ଼ପୁଟ ଗାଁକୁ ନିଶା ଚାଷ ଗ୍ରାସିଲାଣି । ଯେହେତୁ, ନଦୀ ପଠାରେ ଥିବା ଶହ ଶହ ଏକର ଅନାବାଦୀ ଜମି କାହାରି ମାଲିକାନାରେ ନାହିଁ । ପୁଲିସ କି ଅବକାରୀ ଅଧିକାରୀମାନେ କାହାରିକୁ ଗିରଫ କରିପାରୁ ନାହାନ୍ତି । କେବଳ ଯାହା, ଗଞ୍ଜେଇ ଗଛ ନଷ୍ଟ କରି ଫେରିଯାଉଛନ୍ତି । ଚାଷୀଙ୍କ ସାହସ ବଢ଼ୁଛି ।
ଅଧିକ ପଢ଼ନ୍ତୁ :- Cannabis Smuggling : ଗଞ୍ଜେଇ କିଲୋ ୧ ଲକ୍ଷ, ତରଳରେ ୧୫ ଲକ୍ଷ... ମାଲ୍ ପାଇଁ ଦେଶବିଦେଶରୁ ବରାଦ, ଆନ୍ଧ୍ର ଛାଡ଼ି ଓଡ଼ିଶାରେ ବେପାରୀଙ୍କ ଆଡ୍ଡା
ଅବଶ୍ୟ, ଚାଷୀଙ୍କୁ ଗଞ୍ଜେଇ ଚାଷରୁ ନିବୃତ୍ତ ରଖିବା ଦାୟିତ୍ୱ ସ୍ଥାନୀୟ ତହସିଲଦାରଙ୍କର ମଧ୍ୟ । ଏଭଳି ଚାଷୀଙ୍କୁ ଚିହ୍ନଟ କରି ବିକଳ୍ପ ବେଉସା ସେ ଦେଇପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଯେଉଁ ଜମିରେ ଗଞ୍ଜେଇ ଚାଷ ହେଉଛି ତାହାର ମାଲିକ କିଏ ଚିହ୍ନଟ କରିବା ଦାୟିତ୍ୱ ବି ଏହି ବିଭାଗର । ଗତବର୍ଷ ବିଭାଗ ପକ୍ଷରୁ ଏହି ସୂଚନା ଅବକାରୀ ବିଭାଗକୁ ଦିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା କୁହାଯାଉଛି । ଏହି ଚାଷ ରୋକିବାରେ ବିଭାଗର ଦାୟିତ୍ୱ ସୀମିତ ବୋଲି କୁହନ୍ତି କଣାସ ତହସିଲଦାର ହିମାଂଶୁ ଶେଖର ଗିରି । କିନ୍ତୁ ଆଗକୁ ଏହି ଚାଷକୁ ମୂଳୋତ୍ପାଟନ କରାଯିବ ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି ।