ପ୍ରାକୃତିକ ସମ୍ବଳ ଉପରେ ଆମର ବ୍ୟବହାର ଚାପ ଆଜି ହାରାହାରି ୧.୭ ପୃଥିବୀର ଆବଶ୍ୟକତାକୁ ଅନୁଭବ କରାଇଲାଣି । ଆମର ଭାରତୀୟ ଉପନିଷଦ ବାଣୀ "ବସୁଧୈବ କୁଟୁମ୍ବକଂ' ହିଁ ଚିରନ୍ତନତା ଆଡ଼କୁ ବାଟ କଢ଼େଇ ନେବ, ଏହା ନିଃସନ୍ଦେହ ।
ଏକ ସୁସ୍ଥ ଓ ଚିର ପରିସଂସ୍ଥାନ ସହ ଅର୍ଥନୈତିକ ଅଭିବୃଦ୍ଧି ଆଗକୁ ଏକ ଦୋ' ଛକିକୁ ଟାଣିନିଏ, ଯେଉଁଠି ମଣିଷକୁ ବିଚାର କରିବାକୁ କଷ୍ଟ ହୁଏ ଯେ, ପରିସଂସ୍ଥାନର ଚିରନ୍ତନତାକୁ ଦେଖି ଅର୍ଥନୀତିର ଅଭିବୃଦ୍ଧି ସହ ସାଲିସ କରିବ ନା ଦ୍ୱିତୀୟ ପାଇଁ ପ୍ରଥମଟିକୁ ବଳି ପକେଇବ? ପର ପିଢ଼ିଗୁଡ଼ିକ ପାଇଁ ଏକ ସୁରକ୍ଷିତ ପୃଥିବୀଟିଏ ସମସ୍ତଙ୍କ ମନରେ ବସା ବାନ୍ଧିବାକୁ ଆହୁରି ସମୟ ଲାଗିବ । ପରିସଂସ୍ଥାନ ଆମ ଚାରିପଟରେ ଥିବା ଜଳ, ଜମି, ଜଙ୍ଗଲ, ସମୁଦ୍ର, ବାୟୁମଣ୍ଡଳ ଆଦି ତନ୍ତ୍ରକୁ ବୁଝାଏ । ମନୁଷ୍ୟ ଆବଶ୍ୟକତାର ଦ୍ୱାହି ଦେଇ ସମସ୍ତ ପରିସଂସ୍ଥାନ ଉପରେ ଦାଉ ସାଧୁଛି । ସୁତରାଂ, ପୃଥିବୀରେ ଆବଶ୍ୟକୀୟ ସମ୍ପଦ ମନୁଷ୍ୟର ଅମାନବୀୟ କାର୍ଯ୍ୟକଳାପ ଯୋଗୁଁ କମିଗଲାଣି । ବହୁତ କିଛି ଅସମାହିତ ପ୍ରଶ୍ନ ସବୁ ଯେତେବେଳେ ଉଙ୍କିମାରେ ସେତେବେଳେ ପୁନରାୟ ପଛକୁ ଅନେଇବାକୁ ଆମେ ବାଧ୍ୟ ହେଉ ଯେ, ଭୁଲ୍ ରହିଗଲା କେଉଁଠି? ଏହି ସମ୍ପଦର ଉତ୍ପାଦନ ବା ପୁନଃ ନବୀକରଣଠାରୁ ଆମ ବ୍ୟବହାର ଯଥେଷ୍ଟ କମ୍ ହେବା ଦରକାର, ନଚେତ୍ ଜୀବସତ୍ତାର ଅନ୍ତ ସହ ଆମ ପୃଥିବୀ ଧ୍ୱଂସାଭିମୁଖୀ ହେବା ଅନିବାର୍ଯ୍ୟ ।
ମନୁଷ୍ୟ ଯେତେ ପରିମାଣରେ ପ୍ରାକୃତିକ ସମ୍ପଦକୁ ବ୍ୟବହାର କରେ ତାକୁ ପରିସଂସ୍ଥାନ ଉପରେ ପାଦଚିହ୍ନ ବୋଲି ଧରାଯାଏ । ଅପରପକ୍ଷରେ, ପୃଥିବୀର ବର୍ଜ୍ୟବସ୍ତୁକୁ ଅବଶାଷଣ କରି, ପୁନଃ ଚକ୍ରୀକରଣ ମାଧ୍ୟମରେ ପୃଥିବୀକୁ ଫେରେଇଦେବା କ୍ଷମତାକୁ ପୃଥିବୀର ଜୈବିକ କ୍ଷମତା କୁହାଯାଏ । ଯେଉଁଠି ଜୈବିକ କ୍ଷମତା ପୃଥିବୀରେ ଉତ୍ପନ୍ନ ବର୍ଜ୍ୟବସ୍ତୁଠାରୁ ଅଧିକ ହୁଏ, ସେଠାରେ ପୃଥିବୀ ନିଜର ସମ୍ପଦକୁ ପୁନଃ ଚକ୍ରୀକରଣ ମାଧ୍ୟମରେ ଫେରେଇ ଦିଏ । ଅନ୍ୟଥା, ପୃଥିବୀର କ୍ଷତି ହୁଏ, ଯଦି ବିପରୀତ ବାଟରେ ଯାଏ ।
ଗ୍ଲୋବାଲ ଫୁଟପ୍ରିଣ୍ଟ ନେଟୱର୍କ ନାମକ ଏକ ବିଶ୍ୱସ୍ତରୀୟ ସଂସ୍ଥାର ୨୦୨୩ ମସିହାର ଏକ ରିପୋର୍ଟ ଅନୁଯାୟୀ, ଆମ ପୃଥିବୀ ଯେତେ ପରିମାଣର ସମ୍ପଦକୁ ପୁନଃ ଚକ୍ରୀକରଣ କରାଇପାରୁଛି, ତା'ଠାରୁ ୭୦% ଅଧିକ ଚାପ ଆମେ ପକେଇ ସାରିଲୁଣି । ଅର୍ଥାତ୍ ଆମେ ରହୁଛୁ ଗୋଟିଏ ପୃଥିବୀରେ, କିନ୍ତୁ ଚାପ ପକାଉଛୁ ୧.୭ ପୃଥିବୀ ଉପରେ । ଯଦି ପୃଥିବୀରେ ୧୦୦% ସମ୍ପଦ ଅଛି, ତେବେ ୧୭୦% ସମ୍ପଦ ଆସିଲା କେଉଁଠୁ? ସମ୍ପଦ ସେତିକି, କିନ୍ତୁ ଆମେ ପୁନଃ ଚକ୍ରୀକରଣକୁ ଉପଯୁକ୍ତ ସୁଯୋଗ ଦେଉନାହୁଁ ଏବଂ ଆମକୁ ୭୦% ଅଧିକ ପୃଥିବୀ ଆବଶ୍ୟକ ପଡ଼ିବ, ଯେଉଁଟା ଅସମ୍ଭବ । ଫଳସ୍ୱରୂପ, ପୃଥିବୀର ଧ୍ୱଂସ ଅବଶ୍ୟମ୍ଭାବୀ, ଯଦି ଏହାକୁ ତୁରନ୍ତ ରୋକାନଯାଏ । ବିଭିନ୍ନ ତଥ୍ୟ ଅନୁଯାୟୀ, ୧୯୭୦ ମସିହାରୁ ଏହି ଚାପର ପରିମାଣ ଅଧିକ ହୋଇଛି । ଆମେ ଯାହା ସବୁ ବର୍ଜ୍ୟବସ୍ତୁ ନିର୍ଗମନ କରୁଛୁ ତା' ପାଇଁ ମଧ୍ୟ ଅନୁରୂପ ଅଧିକ କ୍ଷେତ୍ର ଆବଶ୍ୟକ ପଡ଼ୁଛି । ଏହାକୁ ଜମି ମାପ ଭଳି "ବୈଶ୍ୱିକ ହେକ୍ଟରରେ' ମାପ କରାଯାଏ ।
ସୂଚନାଯୋଗ୍ୟ, ଏକ ବୈଶ୍ୱିକ ହେକ୍ଟର ଆମ ସାଧାରଣ ହେକ୍ଟର ସମାନ ନୁହଁ । ଯେଉଁଠି ଗୋଟିଏ ଜମିଟିର ହେକ୍ଟର ମାପ ପୃଥିବୀ ସାରା ସମାନ, ସେହି ସ୍ଥାନରେ ବୈଶ୍ୱିକ ହେକ୍ଟରକୁ ଗୋଟିଏ ହେକ୍ଟର ସହ ତା'ର ଉତ୍ପାଦିକା ଶକ୍ତି ସହ ଗୁଣନ କରାଯାଏ । ଯେମିତି, ଭାରତର ଏକ ଭୌତିକ ହେକ୍ଟର ବିଶ୍ୱର ଭୌତିକ ହେକ୍ଟର ଠାରୁ ୬୭% ଅଧିକ ଉତ୍ପାଦନ କରିପାରେ, ଏହା ତେଣୁ ୧.୭ ବୈଶ୍ୱିକ ହେକ୍ଟର ସହ ସମାନ । ଯଦିଓ ସମସ୍ତ ଦେଶର ବୈଶ୍ୱିକ ହେକ୍ଟର ଅଲଗା, ବିଶ୍ୱସ୍ତରରେ ତୁଳନା କରିବାକୁ ଏକ ସମାନତା କାରକକୁ ଗୁଣନ କରାଯାଏ । ଆମେରିକା ଓ ୟୁରୋପ ଭଳି ଧନୀ ରାଷ୍ଟ୍ରରେ ଚାହିଦା ପୂରଣ ନିମନ୍ତେ ବ୍ୟକ୍ତି ପିଛା ଯଥାକ୍ରମେ ୮ ଓ ୪.୭ ବୈଶ୍ୱିକ ହେକ୍ଟର, ଚୀନ ଓ ଭାରତରେ ଯଥାକ୍ରମେ ୩.୭ ଓ ୧.୨ ବୈଶ୍ୱକ ହେକ୍ଟର ଏବଂ ନିମ୍ନ ରୋଜଗାରକାରୀଙ୍କ ପାଇଁ ୧.୦ ବୈଶ୍ୱିକ ହେକ୍ଟର ଆବଶ୍ୟକ ।
ଜନସଂଖ୍ୟା ବୃଦ୍ଧି, ଉପଭୋଗ ବୃଦ୍ଧିର ପରମ୍ପରା, ପାରମ୍ପରିକ ଶକ୍ତି ଉତ୍ସର ବହୁଳ ବ୍ୟବହାର, ଜଙ୍ଗଲ କଟା ତଥା ଏଥିରେ କୃଷିକାର୍ଯ୍ୟ, ସମୁଦ୍ରରୁ ଅତ୍ୟଧିକ ମାଛଧରା, ଗୃହ ଓ ଭିତ୍ତିଭୂମି ପାଇଁ ଅଧିକ ଜମିର ବ୍ୟବହାର, ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ କରୁଥିବା ପରିସଂସ୍ଥାନର କ୍ଷୟକ୍ଷତି ଏବଂ ସମ୍ପଦର ନଷ୍ଟ ଆଦି ପରିସଂସ୍ଥାନୀୟ ଚାପ କାରଣ ସମୂହ ମଧ୍ୟରେ ଅନ୍ତର୍ଭୁକ୍ତ । ପ୍ରମୁଖ ପ୍ରଭାବ ମଧ୍ୟରେ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତାର କ୍ଷୟକ୍ଷତି, ମଧୁର ଜଳର ଅଭାବ, ମୃତ୍ତିକା ଅବକ୍ଷୟ, ବିଭିନ୍ନ ପ୍ରକାର ପ୍ରଦୂଷଣ ଆଦି ଅନ୍ତର୍ଭୁକ୍ତ । ଜଳବାୟୁ ପରିବର୍ତ୍ତନରେ ପୃଥିବୀର ବାୟୁମଣ୍ଡଳୀୟ ଉତ୍ତାପ ଶିଳ୍ପାୟନ ସମୟ ପୂର୍ବ ସମୟଠାରୁ ହାରାହାରି ୧.୫୫ ଡିଗ୍ରୀ ବଢ଼ି ସାରିଛି । ପାଣିପାଗର ଭୟାବହତା, ଗରମ ବାୟୁମଣ୍ଡଳ, ବନ୍ୟା, ବାତ୍ୟା, ଜଙ୍ଗଲ ନିଆଁ ଆଦି ଏହାର ପରିଣାମ ।
ସେହିପରି "ୱାର୍ଲଡ ୱାଇଡ ଫଣ୍ଡ ଫର ନେଚର'ର ଆକଳନ ହିସାବରେ, ଯଦି ୧୯୭୦ ମସିହାକୁ ମୂଳ ବର୍ଷ ହିସାବରେ ଧରିନେବା, ତେବେ ଆଜି ହାରାହାରି ୬୯% ମେରୁଦଣ୍ଡୀୟ ପ୍ରାଣୀ ପୃଥିବୀରୁ କମି ଗଲେଣି । ଅନ୍ୟପକ୍ଷେ "ଇଣ୍ଟର ଗଭର୍ନମେଣ୍ଟାଲ ସାଇନ୍ସ ପଲିସୀ ପ୍ଲାଟଫର୍ମ ଅନ ବାୟୋଡାଇଭରସିଟି ଆଣ୍ଡ ଇକୋସିଷ୍ଟମ ସର୍ଭିସେସ' ସଂସ୍ଥାର ୨୦୧୯ ମସିହାର ୧୧୪୫ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ଅନୁଯାୟୀ, ଆମ ପୃଥିବୀ ୧୭୦୦ ମସିହାଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ ହାରାହାରି ୮୫% ଆର୍ଦ୍ରଭୂମି ହରେଇ ସାରିଛି, ଯାହା ବନ୍ୟା ନିୟନ୍ତ୍ରଣ ଏବଂ ବିଦେଶାଗତ ପକ୍ଷୀମାନଙ୍କ ବାର୍ଷିକ ସ୍ଥାନାନ୍ତରଣର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥାନ । ମଧୁର ଜଳର ଚାହିଦା ୨୦୩୦ ମସିହା ବେଳକୁ ଆହୁରି ୪୦% ବଢ଼ିଯାଇଥିବ । ସେହିପରି ଆଜି ପୃଥିବୀର ଏକ-ତୃତୀୟାଂଶ ଉର୍ବର ମୃତ୍ତିକା ନଷ୍ଟ ହେଇସାରିଲାଣି । ପୃଥିବୀ ସାରା ବାର୍ଷିକ ୪୦କୋଟି ଟନ୍ର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ନିର୍ଗମନ ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ ହିସାବରେ ବାର୍ଷିକ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରାୟ ୭୦ଲକ୍ଷ ଶିଶୁ ପୂର୍ଣ୍ଣ ଗର୍ଭାବସ୍ଥା ସମୟ ପୂର୍ବରୁ ହିଁ ମାତୃଗର୍ଭରୁ ପ୍ରସବ ହେଇଯାଉଛନ୍ତି ।
ଉପରୋକ୍ତ ଜଟିଳ ସମସ୍ୟାର ସମାଧାନ ପାଇଁ ଆମ ପ୍ରାଚୀନ ଉପନିଷଦର ଗୋଟିଏ ବାଣୀ "ବସୁଧୈବ କୁଟୁମ୍ବକଂ’ ହିଁ ଯଥେଷ୍ଟ । ସମୁଦାୟ ବସୁନ୍ଧରା ଗୋଟିଏ ପରିବାର, ପୃଥିବୀ ଆମର ଜଗତଜନନୀ ଏବଂ ସମସ୍ତେ ମିଳିତ ଉଦ୍ୟମ କରିଲେ ସମସ୍ୟାର ସମାଧାନ ନିଶ୍ଚିତ ହେବ । ଯଦି ଏହାକୁ ହୃଦୟରେ ଧାରଣ କରାଯାଏ, ତେବେ ଉପର ସମସ୍ତ ବର୍ଣ୍ଣିତ ପରିବେଶ ସମସ୍ୟାର ସମାଧାନ ଅତି ସହଜ ଢଙ୍ଗରେ ହୋଇପାରିବ । ଜଳବାୟୁ ପରିବର୍ତ୍ତନ ସମସ୍ତଙ୍କ ଦାୟିତ୍ୱ । ଆମେରିକା, ୟୁରୋପ ଭଳି ବିକଶିତ ଦେଶମାନେ ଅଧିକ ଦାୟିତ୍ୱସମ୍ପନ୍ନ ହେବା ଆବଶ୍ୟକ । ଭାରତ ଓ ଚୀନ ଭଳି ବିକାଶଶୀଳ ଦେଶଗୁଡ଼ିକ ଅର୍ଥନୀତିରେ ଉନ୍ନତି ଆଣିବା ବିଧେୟ, କିନ୍ତୁ ବିକଶିତ ଦେଶମାନଙ୍କର ଭୁଲ୍ଗୁଡ଼ିକରୁ ଶିଖିବା ବି ଉଚିତ । ପ୍ରକୃତିକୁ ସୁହେଇଲା ଭଳି ବସ୍ତୁର ବ୍ୟବହାର ତଥା ପ୍ରକ୍ରିୟାକୁ ଆପଣେଇବା ନିତାନ୍ତ ଜରୁରି ।
ଅହିଂସା ନୀତି ଆପଣେଇବାକୁ ଉପରୋକ୍ତ ବାଣୀ କହେ । ଲୋଭର ବଶବର୍ତ୍ତୀ ହେବାକୁ ହିଂସା ରୂପରେ ଦେଖାଯାଏ । ଆମେ ଯଦି ସମସ୍ତ ପଶୁପକ୍ଷୀ, ବୃକ୍ଷଲତା ଆଦିକୁ ନିଜ ପରିବାର ଭଳି ଆପଣେଇବା, ତେବେ ଜୈବବିବିଧତାର ବିକଟାଳ ସଂଖ୍ୟାରେ ନିଶ୍ଚୟ ସୁଧାର ଆସିବ । ସାର, କୀଟନାଶକ ପ୍ରୟୋଗକୁ ହିଂସାତ୍ମକ ବୋଲି ମଧ୍ୟ ବିବେଚନା କରାଯିବା ଉଚିତ । ତେଣୁ ପ୍ରକୃତିକୁ ସୁହେଇଲା ଭଳି ଚାଷବାସ ଆଜି ଯଥାସମ୍ଭବ ଆପଣେଇବା ଅନିବାର୍ଯ୍ୟ । ଭାରତୀୟ ସଂସ୍କୃତି ସଦାସର୍ବଦା ଜଳ, ଜମି, ଜଙ୍ଗଲ ଆଦିକୁ ଜୀବନ୍ତ ମାନି ଆସିଛି । ଆଜିର ବସ୍ତୁବାଦୀ ଆଚରଣ ସହ ସାଂସ୍କୃତିକ ଜ୍ଞାନର ଅଭାବ ନତୁବା ପରିତ୍ୟାଗ ହିଁ ଉପରୋକ୍ତ ସମସ୍ତ ବିପଦର ମୂଳ କାରଣ ।
ଭାରତୀୟ ସଂସ୍କୃତି ସର୍ବଦା ସରଳ ଜୀବନ, ଉଚ୍ଚ ଚିନ୍ତନ ସହ ପ୍ରକୃତିର ଉପାସକ ହେବାକୁ ଶିଖାଏ ଏବଂ ପର୍ବତ, ଜଳ, ଜମି ଜଙ୍ଗଲ ଆଦିକୁ ଦେବତା ରୂପରେ ବିବେଚନା କରାଏ । ଆମର ବିଶ୍ୱାସ ଅନୁଯାୟୀ, ଯଦି ସେମାନଙ୍କୁ ଅସମ୍ମାନ କରାଯାଏ ତେବେ ସେମାନେ ଅଭିଶାପ ଦେଇଦିଅନ୍ତି, ଯାହାର ପ୍ରମାଣ ଉପର ତଥ୍ୟ ସମୂହରେ ପ୍ରତିଫଳିତ । ଯେଉଁଠାରେ ପରମ୍ପରା ଅନୁଯାୟୀ ପ୍ରକୃତିର ଉପାସନା କରାଯାଇଛି, ସେଠାରେ ସମ୍ବଳ ପରିଚାଳନାରେ ଚିରନ୍ତନତା ଉପଲବ୍ଧି ହୋଇଛି, ଯାହା ବିଜ୍ଞାନସମ୍ମତ ମଧ୍ୟ ହେଲାଣି ।