ନୂଆଦିଲ୍ଲୀ,୨୫।୫: କେରଳ ପରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ସମୟ ପୂର୍ବରୁ ମହାରାଷ୍ଟ୍ରରେ ପହଞ୍ଚି ସାରିଛି। ପାଣିପାଗ ବିଭାଗର ଅଧିକାରୀ ସୁଭାଙ୍ଗି କହିଛନ୍ତି, ଆଗାମୀ ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ମୁମ୍ବାଇରେ ପହଞ୍ଚିପାରେ। ଏହାର ପ୍ରଭାବ ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସତର୍କତା ଜାରି କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଏହି ସମୟରେ ମୌସୁମୀର ଉତ୍ତର ସୀମା ମହାରାଷ୍ଟ୍ରର ଦେବଗଡ଼ ପର୍ଯ୍ୟନ୍ତ ପହଞ୍ଚିଛି, ଯାହାକି ସାଧାରଣ ସମୟଠାରୁ କିଛି ଦିନ ଆଗୁଆ ଆସିଛି। ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଭଲ ବର୍ଷା ହୋଇପାରେ । ମୌସୁମୀର ଶୀଘ୍ର ପ୍ରବେଶ ଚାଷୀମାନଙ୍କୁ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଥିବା ବେଳେ, ପୌର ଏବଂ ପ୍ରଶାସନିକ ୟୁନିଟ୍ ପାଇଁ ବର୍ଷା ପାଇଁ ପ୍ରସ୍ତୁତିର ଚ୍ୟାଲେଞ୍ଜ ମଧ୍ୟ ବୃଦ୍ଧି ପାଇଛି।
ପାଣିପାଗ ବିଭାଗ ରବିବାର ଦିନ କୋଙ୍କଣ ଏବଂ ପଶ୍ଚିମ ମହାରାଷ୍ଟ୍ରର କିଛି ଅଂଶରେ ଆଗାମୀ କିଛି ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସତର୍କତା ଜାରି କରିଛି। ଏହି ସମୟ ମଧ୍ୟରେ ଘଡ଼ଘଡ଼ି ସହିତ ବିଜୁଳି ଏବଂ ପ୍ରବଳ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି। ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ ମହାରାଷ୍ଟ୍ରରେ ମୌସୁମୀ ପ୍ରବେଶ କରିଛି। ସେଭଳି ମୁମ୍ବାଇ ଏବଂ କୋଙ୍କଣରେ ବର୍ତ୍ତମାନ ପ୍ରାକ ମୌସୁମୀ ବର୍ଷା ହେଉଛି। ଆଇଏମଡି ସତର୍କ କରାଇ ଦେଇଛି ମୁମ୍ବାଇ, ଥାଣେ, ପାଲଘର ଏବଂ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ବର୍ଷା ହେବ। ଏହି ଅଞ୍ଚଳଗୁଡ଼ିକରେ ୫୦-୬୦ କିଲୋମିଟର ବେଗରେ ପ୍ରବଳ ପବନ ବହିବା ସହ ଘଡ଼ଘଡ଼ି ଏବଂ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ଉଲ୍ଲେଖନୀୟ ଯେ, କେରଳରେ ମୌସୁମୀ ପହଞ୍ଚି ସାରିଛି। ଗତ ୧୬ ବର୍ଷ ମଧ୍ୟରେ ଏହା ମୌସୁମୀର ଆଗୁଆ ଆଗମନ। ଏଥର ମୌସୁମୀ ତା’ର ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ପହଞ୍ଚିଛି। ଆଇଏମଡି ଅନୁଯାୟୀ, ରାଜ୍ୟରେ ଶେଷ ଥର ପାଇଁ ଏତେ ଶୀଘ୍ର ମୌସୁମୀ ୨୦୦୯ ଏବଂ ୨୦୦୧ରେ ୨୩ ମଇରେ ପହଞ୍ଚିଥିଲା। କେରଳରେ ମୌସୁମୀ ଆଗମନର ସ୍ବାଭାବିକ ତାରିଖ ହେଉଛି ଜୁନ୍ ୧। ତେବେ ୧୯୧୮ରେ ମୌସୁମୀ ୧୧ ମଇରେ କେରଳରେ ପହଞ୍ଚିଥିଲା, ଯାହା ଏପର୍ଯ୍ୟନ୍ତ କେରଳରେ ସବୁଠାରୁ ଶୀଘ୍ର ମୌସୁମୀ ଆଗମନର ରେକର୍ଡ ରହିଛି।