ଭୁବନେଶ୍ୱର,୨୧/୧୦: ୨୪ ତାରିଖରେ ଓଡ଼ିଶା ଉପକୂଳରେ ମାଡ଼ ହେବ ବାତ୍ୟା ‘ଦାନା’ ।  ଗୁରୁବାର ସକାଳେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳ ଭାଗରେ ପ୍ରବେଶ କରିପାରେ ।  ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି । 

ନିର୍ଦ୍ଦିଷ୍ଟ କେଉଁଠି ଏବଂ କେଉଁ ସମୟରେ ବାତ୍ୟା ମାଡ଼ ହେବ ସେ ନେଇ ବିଭିନ୍ନ ପାଣିପାଗ  ମଡେଲ ଭିନ୍ନ ଭିନ୍ନ ପୂର୍ବାନୁମାନ ଦେଇଛନ୍ତି । ୨୪ ତାରିଖ ସକାଳୁ ୨୫ ତାରିଖ ସକାଳ ଭିତରେ  ପୁରୀଠାରୁ ଉତ୍ତର ବାଲେଶ୍ୱର ମଧ୍ୟରେ  ସ୍ଥଳଭାଗକୁ ପଶିବ । ଘଣ୍ଟା ପ୍ରତି ୧୨୦ କିମି ବେଗ ଯାଏ ପବନ  ମାଡ଼ ହେବା ଆଶଙ୍କା ରହିଛି । ୨୩ ତାରିଖରୁ  ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ଉପକୂଳ  ଓଡ଼ିଶାରେ ନିର୍ଘାତ ଛେଚିବ। ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,  ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ  ୭୦ରୁ ୧୧୦ ମିମି ଯାଏ ବର୍ଷା ହୋଇପାରେ ।  

୨୪ ତାରିଖରେ ରାଜ୍ୟରେ ଅତି ଭୀଷଣ  ବର୍ଷା ହେବ । ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ବେଳେ  ପବନ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷିବ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଜଗତସିଂହପୁରରେ  ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ । ଏହି ୪  ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।  

କେନ୍ଦ୍ରାପଡ଼ା, କଟକ, ନୟାଗଡ଼, କନ୍ଧମାଳ ଓ  ଗଜପତି ଜିଲ୍ଲାରେ ୭୦-ରୁ ୨୦୦ ମିମି ପର୍ଯ୍ୟନ୍ତ  ବର୍ଷା ସମ୍ଭାବନା ଅଛି । ଏହି ୫ ଜିଲ୍ଲାକୁ ଅରେଞ୍ଜ  ୱାର୍ଣ୍ଣିଂ ଦିଆଯାଇଛି । ଭଦ୍ରକ, ବାଲେଶ୍ୱର, ଯାଜପୁର,  ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି,  ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ  ଓ କେନ୍ଦୁଝର ଜିଲ୍ଲାରେ ବି ପ୍ରବଳ ବର୍ଷିବ ।  ମତ୍ସ୍ୟଜୀବୀମାନେ ୨୬ ତାରିଖ ଯାଏ ସମୁଦ୍ରକୁ  ନ ଯିବାକୁ ସତର୍କ କରାଇଛି ପାଣିପାଗ ବିଭାଗ । 

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର  କହିଛନ୍ତି, ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ  ସକ୍ରିୟ ଅଛି । ଏହା ପ୍ରଭାବରେ ସୋମବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି  ହୋଇପାରେ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ  ଦିଗରେ ଗତି କରିବ । ୨୨ ତାରିଖରେ ଅବପାତ  ରୂପ ନେବ । ୨୩ ତାରିଖରେ ବାତ୍ୟାରେ ପରିଣତ  ହେବ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି  ବାତ୍ୟା ସୃଷ୍ଟି ହେବ । ଏହି ବାତ୍ୟା ଉତ୍ତର ପଶ୍ଚିମ  ଦିଗରେ ଆଗେଇବ । ୨୪ ତାରିଖ ସକାଳେ  ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ।  

ସେ କହିଛନ୍ତି ୨୪ ଓ ୨୫ ତାରିଖରେ ଓଡ଼ିଶାରେ  ପ୍ରବଳ ବର୍ଷା ହେବ । କେତେକ ସ୍ଥାନରେ ୩୦୦  ମିଲିମିଟର ଯାଏ ବର୍ଷା ଢାଳିବା ସମ୍ଭାବନା ରହିଛି ।  ବର୍ଷା, ପବନ ସହିତ ସମୁଦ୍ରରେ ଜୁଆର ଆସିବ ।  ତେବେ ଲଘୁଚାପ ସୃଷ୍ଟି ପରେ ବାତ୍ୟାର ତୀବ୍ରତା କେତେ  ରହିବ ତାହା ଆଗକୁ ଜଣାପଡ଼ିବ । କୌଣସି ବାତ୍ୟାକୁ  ହାଲୁକାରେ ନ ନେବାକୁ ସେ ପରାମର୍ଶ ଦେଇଛନ୍ତି । 

ଜିଏଫଏସ ମଡେଲ ଆକଳନ କରିଛି,  ବାତ୍ୟାର ତୀବ୍ରତା ଅଧିକ ରହିବ । ଏହା ଭେରି  ସିଭିଅର ସାଇକ୍ଲୋନ୍‌ ବା ଅତି ଭୀଷଣ ବାତ୍ୟା  ରୂପ ନେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ।  ଲ୍ୟାଣ୍ଡଫଲ୍‌ ସମୟରେ ବାତ୍ୟା କେନ୍ଦ୍ରସ୍ଥଳର  ଚାପ(ପ୍ରେସର) ୯୬୦ ମିଲିବାର୍‌ ଥିବ । ଏହା  କାଟାଗୋରୀ-୩ ବାତ୍ୟା ହେବ । ଅର୍ଥାତ ପବନର  ବେଗ ୧୪୦ରୁ ୧୫୦ କିମି ଯାଏ ହୋଇପାରେ ।  ବାତ୍ୟାର ଲ୍ୟାଣ୍ଡଫଲକୁ ନେଇ ବିଭିନ୍ନ ମଡେଲ  ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । 

ସମ୍ଭାବ୍ୟ ବାତ୍ୟା ପୁରୀଠାରେ ଲ୍ୟାଣ୍ଡଫଲ୍‌ କରିପାରେ  ବୋଲି ଆଇଏମଡି ଜିଏଫଏସ୍‌ ମଡେଲ ଦର୍ଶାଇଛି ।  ଏନୟୁସିଏମ୍‌(ଜି) ମଡେଲ କହୁଛି ବାତ୍ୟା ପାରାଦୀପ  ପାଖରେ ଅତିକ୍ରମ କରିବ । ଇସିଏମଡବ୍ଲୁଏଫ୍‌ ମଡେଲ  ଅନୁସାରେ, ପୁରୀ ଉପକୂଳ ପାଖରେ ଏହା ମାଡ଼ ହୋଇପାରେ। ଏନସିଇପି ଜିଏଫ୍‌ଏସ ମଡେଲ ଦର୍ଶାଇଛି,  ପଶ୍ଚିମବଙ୍ଗ ବାଂଲାଦେଶ ଉପକୂଳ ପାଖରେ ଏହି ଲ୍ୟାଣ୍ଡଫଲ୍‌  କରିବ । ଆଇଏମଡି ଏମଏମଇ ମଡେଲ କହୁଛି, ଉତ୍ତର  ଓଡ଼ିଶା ପାଖରେ ବାତ୍ୟା ଅତିକ୍ରମ କରିବ । 

ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ  ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ହୋଇଛି । ଏଥିରେ  ସବୁ ବିଭାଗର ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ  ଉପସ୍ଥିତ ଥିଲେ । ଜିଲ୍ଲାପାଳମାନେ ଭିଡିଓ କନଫରେନ୍ସିଂ  ଯୋଗେ ଯୋଡ଼ି ହୋଇଥିଲେ । ବାତ୍ୟାକୁ ନେଇ ପାଣିପାଗ  ବିଭାଗର ଆକଳନ ଓ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା  ହୋଇଥିଲା । ସତର୍କତା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ସୁଦ୍ଧା ସବୁ  ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରିବାକୁ କୁହାଯାଇଛି ।  ସେହିଭଳି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।  ବର୍ଷା ସ୍ଥିତିକୁ ଦେଖି ସ୍କୁଲ ଛୁଟି ସମ୍ପର୍କରେ ଜିଲ୍ଲାପାଳମାନେ  ନିଷ୍ପତ୍ତି ନେବାକୁ କୁହାଯାଇଛି । 

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ  ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  କହିଛନ୍ତି । ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ  ଯୋଗାଯୋଗରେ ଅଛି । ସୋମବାର ବାତ୍ୟା ପ୍ରସ୍ତୁତିକୁ  ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ସେ କହିଛନ୍ତି । ବାତ୍ୟା ମୁକାବିଲା ପାଇଁ ଅଧିକାରୀସ୍ତରୀୟ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଛି । ବାତ୍ୟାର ଗତିପଥ ଉପରେ ତୀକ୍ଷ୍ଣ  ନଜର ରଖାଯାଇଛି । ପରିସ୍ଥିତିର ସାମ୍ନା ପାଇଁ ବିଭାଗ  ପ୍ରସ୍ତୁତ ଅଛି । ଜିଲ୍ଲାପାଳ, ରାଜସ୍ୱ ବିଭାଗର ଅଧିକାରୀ  ଓ ଓଡ଼୍ରାଫ୍‌ ଟିମ୍‌ ସବୁବେଳେ ଆଲର୍ଟ ଅଛନ୍ତି । ୨୦ଟି ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।  ତଥାପି ଏଭଳି ସମସ୍ତ ପ୍ରକାର ପରିସ୍ଥିତିର ସାମ୍ନା ପାଇଁ  ଆମେ ପ୍ରସ୍ତୁତ ଅଛୁ । ଜନସାଧାରଣ ବାତ୍ୟାକୁ ନେଇ  ବିଚଳିତ କିମ୍ବା ଆତଙ୍କିତ ନ ହେବାକୁ ଅନୁରୋଧ ।  ସରକାର ଜନସାଧାରଣଙ୍କ ରକ୍ଷାକବଚ ସାଜିବେ । ସମସ୍ତ  ପ୍ରକାର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । 

ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ ସିଂ ସୂଚନା  ଦେଇ କହିଛନ୍ତି, ବାତ୍ୟା ସ୍ଥିତି ଉପରେ ସରକାର ତୀକ୍ଷଣ  ନଜର ରଖିଛନ୍ତି । ଜିରୋ କାଜୁଆଲିଟିକୁ ଆମେ ଫୋକସ୍‌  କରୁଛୁ । ଖାଲି ମଣିଷ ନୁହେଁ ଜଣେ ବି ପଶୁର ଜୀବନ  ଯେମିତି ନ ଯିବ ସେଥିପାଇଁ ପଦକ୍ଷେପ ନେଉଛୁ । ଉପକୂଳ ଜିଲ୍ଲାରେ ଅଧିକ ବର୍ଷା ଆଶଙ୍କା ଅଛି । ଏଥିପାଇଁ  ପଦକ୍ଷେପ ନିଆଯାଉଛି । ସବୁ ଜିଲ୍ଲାକୁ ସତର୍କ କରାଯାଇଛି ।  ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରି ପଦକ୍ଷେପ ନିଆଯିବ ।  ଆବଶ୍ୟକ ପଡ଼ିଲେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବୁ ।  ସୋମବାର ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ  ବାତ୍ୟା ଆଶ୍ରୟସ୍ଥଳୀକୁ ପରିଦର୍ଶନ କରିବେ । ଏହାକୁ ପ୍ରସ୍ତୁତ  କରି ରଖାଯିବ । ଆବଶ୍ୟକ ଥିଲେ ଗର୍ଭବତୀ ମହିଳାଙ୍କୁ  ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଲୋକେ ବାତ୍ୟା ପାଇଁ  ସତର୍କ ଓ ସଚେତନ ହୁଅନ୍ତୁ । କିନ୍ତୁ କେହି ଭୟଭୀତ  ହୁଅନ୍ତୁନି । ସରକାର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି  ବୋଲି ସେ ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।