ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମାର୍ଚ୍ଚରୁ ମେ’ ଜଳାଇବ ତାତି, ଉତ୍ତର-ପଶ୍ଚିମ ଓଡ଼ିଶାରେ କଲବଲ କରିବ ଖରା; ଆଇଏମ୍‌ଡି ଆକଳନ

Published By : Prameya | March 1, 2025 7:31 AM

ଭୁବନେଶ୍ୱର, ୦୧/୦୩: ଏଥର ବି ଭୀଷଣ ତାତି । ଜଳାଇବ ମାର୍ଚ୍ଚରୁ ମେ’ ଖରା । କଲବଲ କରିବ ଜନଜୀବନକୁ । ଉଭୟ ଦିନ ଓ ରାତି ତାପମାତ୍ରା ଅସ୍ୱାଭାବିକ ଭାବେ  ବୃଦ୍ଧି ପାଇବ । ବଡ଼ କଥା ହେଲା, ମାର୍ଚ୍ଚରୁ ଆରମ୍ଭ ହୋଇଯିବ ଗ୍ରୀଷ୍ମ  ଲହରୀ । ପାଣିପାଗ ବିଭାଗ ଏମିତି ପୂର୍ବାନୁମାନ ଦେଖାଇଛି ।  

ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ସମ୍ଭାବ୍ୟ  ପାଣିପାଗକୁ ନେଇ ଆଇଏମ୍‌ଡି ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ଦେଶର ଅଧିକାଂଶ ସ୍ଥାନରେ ମାର୍ଚ୍ଚ ମାସ ଓ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ତାପମାତ୍ରା  ସ୍ୱାଭାବିକଠାରୁ ଅଧିକ ରହିବ । ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ବି ସ୍ୱାଭାବିକଠାରୁ ଅଧିକ ଲମ୍ବିବ । ଓଡ଼ିଶାରେ ବି ଏଭଳି ପ୍ରଚଣ୍ଡ ଗରମରୁ ତ୍ରାହି ମିଳିବ ନାହିଁ ।  

ଆଇଏମ୍‌ଡି ଜାରି କରିଥିବା ସମ୍ଭାବ୍ୟ ପୂର୍ବାନୁମାନ ଚିତ୍ର ଅନୁସାରେ ମାର୍ଚ୍ଚରୁ ହିଁ  ଗରମ ପ୍ରକୋପ ଦେଖାଇବ ଓଡ଼ିଶାରେ ।  ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ  ରହିବା ସହ ରାତିରେ ବି ଗରମ ବଢ଼ିବ ।  ବିଶେଷ କରି ଉତ୍ତର-ପଶ୍ଚିମ ଓଡ଼ିଶାରେ  ତାପମାତ୍ରା ଅଧିକ ରହିବ । କେନ୍ଦ୍ରୀୟ  ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀ  ଅନଭୂତ ହେବା ଆଶଙ୍କା ରହିଛି । 

ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପାଣିପାଗ  ଏ ବର୍ଷ ପୁଣି ଉତ୍ତପ୍ତ ରହିବ । ରାଜ୍ୟ  ସାରା ସ୍ୱାଭାବିକଠାରୁ ତାପମାତ୍ରା ଅଧିକ  ରହିବ । ପଶ୍ଚିମ ଓଡ଼ିଶାରେ ଏ ପ୍ରକୋପ  ବେଶି ହେବ । ରାତିବେଳା ବି ଗରମରୁ  ନିସ୍ତାର ମିଳିବନି । ଗ୍ରୀଷ୍ମ ପ୍ରବାହ ଏ ବର୍ଷ  ବି କଲବଲ କରିବ । ବିଶେଷ କରି ଉପକୂଳ ଓଡ଼ିଶାରେ ଲମ୍ବା ଓ ସାଂଘାତିକ  ଗ୍ରୀଷ୍ମ ଲହରୀ ଛଟପଟ କରିପାରେ ।  

କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ  ଗ୍ରୀଷ୍ମ ଲହରୀ ପ୍ରବାହିତ ହୋଇପାରେ ।  ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି,  ଏ ବର୍ଷ ମାର୍ଚ୍ଚରେ ରାଜ୍ୟରେ କିଛି ବର୍ଷା  ସମ୍ଭାବନା ଅଛି । ଦକ୍ଷିଣ ଏବଂ ଉତ୍ତରରେ  କିଛି ବର୍ଷା ଥିବାବେଳେ ଉପକୂଳରେ ବି  ହାଲୁକା ବର୍ଷା ହୋଇପାରେ । 

ରାଜ୍ୟରେ ବର୍ତ୍ତମାନ ଖରା ପ୍ରକୋପ  ବଢ଼ିବା ସହ ଗରମ ବଢ଼ିଛି । ରାଜ୍ୟର  ୧୫ଟି ସ୍ଥାନରେ ଦିନ ତାପମାତ୍ରା ୩୫  ଡିଗ୍ରୀ ପାର୍‌ କରିଥିବାବେଳେ ସେଥିରୁ  ୭ଟି ସହର ୩୬ ଡିଗ୍ରୀ ଉପରେ ଥିଲା ।  ଝାରସୁଗୁଡ଼ା ସର୍ବାଧିକ ୩୭ ଡିଗ୍ରୀ  ତାଉରେ ସିଝିଛି । ସୁନ୍ଦରଗଡ଼ ୩୬.୯,  ଭବାନୀପାଟଣା ୩୬, ସମ୍ବଲପୁର ୩୬.୪,  ବଲାଙ୍ଗୀର ୩୬.୫, ଟିଟିଲାଗଡ଼ ୩୬.୫,  ବୌଦ୍ଧ ୩୬.୫ ଡିଗ୍ରୀ ଛୁଇଁଥିଲା । ଉପକୂଳ  ଓଡ଼ିଶାର ଭୁବନେଶ୍ୱର ଓ ଚାନ୍ଦବାଲିରେ  ପାରଦ ୩୪ ଡିଗ୍ରୀ ଛୁଇଁଛି ।  

ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ବର୍ତ୍ତମାନ ଦିନ ତାପମାତ୍ରା ବଢ଼ିବ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ । ଆସନ୍ତା ଦିନେ ଦୁଇଦିନରେ କେତେକ ସ୍ଥାନରେ ପାରଦ ୩୭ ଓ  ୩୮ ଡିଗ୍ରୀ ପହଞ୍ଚିପାରେ । ଚଳିତବର୍ଷ ଗ୍ରୀଷ୍ମକୁ ନେଇ ଡ. ସାହୁ କହିଛନ୍ତି, ଗ୍ଲୋବାଲ ୱାର୍ମିଂ ଯୋଗୁ କ୍ରମଶଃ  ତାପମାତ୍ରା ବୃଦ୍ଧି ପାଉଛି । ୨୦୨୩ରେ ଭୀଷଣ ଗ୍ରୀଷ୍ମ  ପ୍ରକୋପ ଥିଲା । ୨୦୨୪ରେ ତା’ଠାରୁ ଅଧିକ ଗରମ  ହେଲା । ଏ ବର୍ଷ ପୂର୍ବବର୍ଷଠାରୁ ଆହୁରି ଅଧିକ ଗରମ  ପ୍ରକୋପ ରହିପାରେ । ପୂର୍ବ ବର୍ଷ ତୁଳନାରେ ହାରାହାରି ତାପମାତ୍ରା ୦.୨ରୁ ୦.୫ ଡିଗ୍ରୀ ଅଧିକ ରହିବା ଆଶଙ୍କା  ଅଛି । ଏପ୍ରିଲ ମାସ ଏବଂ ମେ’ର ଦ୍ୱିତୀୟାର୍ଦ୍ଧରେ  ସର୍ବାଧିକ ଗ୍ରୀଷ୍ମ ପ୍ରକୋପ ରହିପାରେ । ଚିନ୍ତାର ବିଷୟ  ହେଲା, ମାର୍ଚ୍ଚ ମାସରୁ ଗ୍ରୀଷ୍ମ ଲହରୀ ସମ୍ଭାବନା ରହିଛି । 

ଆଇଏମ୍‌ଡି ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ  ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଦେଶର ଅଧିକାଂଶ ସ୍ଥାନରେ  ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା  ସମ୍ଭାବନା ଅଛି । ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ଲହରୀ ଦିନ  ସଂଖ୍ୟା ସ୍ୱାଭାବିକଠାରୁ ବଢ଼ିପାରେ । ମାର୍ଚ୍ଚ ମାସରେ  ଦେଶର ଅଧିକାଂଶ ସ୍ଥାନରେ ଦିନ ଓ ରାତି ତାପମାତ୍ରା  ସ୍ୱାଭାବିକଠାରୁ ଅଧିକ ରହିବ । କେନ୍ଦ୍ରୀୟ ଭାରତର  ଅଧିକାଂଶ ଅଞ୍ଚଳ, ଉତ୍ତର ପଶ୍ଚିମ ଏବଂ ପୂର୍ବ ଭାରତର  କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ସ୍ୱାଭାବିକଠାରୁ  ଅଧିକ ରହିପାରେ । ମାର୍ଚ୍ଚରେ ଦେଶରେ ବର୍ଷା  ସ୍ୱାଭାବିକ ସମ୍ଭାବନା ଅଛି । ଏପଟେ ପାଣିପାଗ ବିଭାଗ  କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିବା  ସହ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.