ନୂଆଦିଲ୍ଲୀ, ୨୧।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସମଗ୍ର ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଏହି ଭୂ-ରାଜନୈତିକ ସଙ୍କଟ ଏବେ ସାରା ବିଶ୍ୱ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି । ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତେଲ ଓ ଗ୍ୟାସ୍ ଯୋଗାଣ କରୁଥିବା ରଣନୀତିକ 'ହୋର୍ମୁଜ୍ ପ୍ରଣାଳୀ' ବନ୍ଦ ହେବା କାରଣରୁ ବିଭିନ୍ନ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବାରେ ଲାଗିଛି । ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଠାରୁ ଆରମ୍ଭ କରି ବ୍ରିଟେନ ଏବଂ ଭାରତ ପର୍ଯ୍ୟନ୍ତ ସମସ୍ତ ଦେଶରେ ଇନ୍ଧନ ଦର ଆକାଶଛୁଆଁ ହୋଇଛି । ଭାରତରେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳିଲାଣି, ଯେଉଁଠି ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି । ଏଭଳି ପରିସ୍ଥିତିରେ ତେଲ ଆମଦାନୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଦେଶଗୁଡ଼ିକର ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ରେଟିଂ ଏଜେନ୍ସି 'କ୍ରିସିଲ୍' ପରେ ଏବେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ଭାରତ ପାଇଁ ଏକ ବଡ଼ ଆଲର୍ଟ ଜାରି କରିଛି । ଆଇଏମଏଫ୍ ଚେତାବନୀ ଦେଇ କହିଛି ଯେ, ଯଦି ଅଶୋଧିତ ତେଲ ଦର ଏଭଳି କ୍ରମାଗତ ଭାବେ ବଢ଼ିଚାଲେ, ତେବେ ଏହା ଭାରତ ପାଇଁ ବଡ଼ ଆର୍ଥିକ ଏବଂ ରାଜକୋଷୀୟ ବିପଦର କାରଣ ସାଜିବ ।
ଭାରତର ଅର୍ଥନୀତି ବିଗାଡ଼ିଦେବ ମହଙ୍ଗା ତେଲ:
ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ଘଟିଛି । ଯଦିଓ ସାମାନ୍ୟ ହ୍ରାସ ପାଇ ବର୍ତ୍ତମାନ ଏହା ପ୍ରତି ବ୍ୟାରେଲ ପିଛା ୧୦୭ ଡଲାର ଆଖପାଖରେ କାରବାର କରୁଛି, ତଥାପି ଏହା ଲଗାତାର ଭାବେ ୧୦୦ ଡଲାର ଉପରେ ରହିବା ଚିନ୍ତାଜନକ ଅଟେ । ଆଇଏମଏଫ୍ ଅନୁଯାୟୀ, ମିଡିଲ୍ ଇଷ୍ଟ୍ ସଙ୍କଟ କାରଣରୁ ହୋର୍ମୁଜ୍ ପ୍ରଣାଳୀ ଦେଇ ଯୋଗାଣ ବାଧାପ୍ରାପ୍ତ ହେଉଥିବାରୁ ତେଲ ଦର ବଢ଼ୁଛି । ଏହା ଭାରତର ସାମଗ୍ରିକ ମହଙ୍ଗା ସ୍ଥିତି ଏବଂ ଦେଶର ଅର୍ଥନୀତି ପାଇଁ ଏକ ବଡ଼ ଆହ୍ୱାନ । କେବଳ ଭାରତ ନୁହେଁ, ବରଂ ଭାରତ ଭଳି ଅନ୍ୟାନ୍ୟ ବିକାଶଶୀଳ ବଜାରଗୁଡ଼ିକ ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରୁଛି, କାରଣ ଏହି ଦେଶଗୁଡ଼ିକରେ ଇନ୍ଧନ ମୂଲ୍ୟ ବୃଦ୍ଧି ସିଧାସଳଖ ଭାବେ ପରିବହନ, ଲଜିଷ୍ଟିକ୍ସ, ଖାଦ୍ୟ ସାମଗ୍ରୀର ଦର ଏବଂ ଘରୋଇ ବ୍ୟବହାର ଉପରେ ଗଭୀର ପ୍ରଭାବ ପକାଇଥାଏ ।
ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ପଡ଼ିବ ପ୍ରଭାବ:
ଭାରତ ପାଇଁ ଏହି ଚେତାବନୀ ଏକ ଅତ୍ୟନ୍ତ ସମ୍ବେଦନଶୀଳ ସମୟରେ ଆସିଛି । ଭାରତ ତା'ର ମୋଟ ଆବଶ୍ୟକତାର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଅଶୋଧିତ ତେଲ ବିଦେଶରୁ ଆମଦାନୀ କରିଥାଏ । ଇରାନ ଏବଂ ହୋର୍ମୁଜ୍ ପ୍ରଣାଳୀ ଆଖପାଖ ଅଞ୍ଚଳରେ ଯୋଗାଣ ବନ୍ଦ ହେବାର ଆଶଙ୍କା ଯୋଗୁଁ ବିଶ୍ୱ ସ୍ତରରେ ତେଲ ଦର ବଢ଼ି ଚାଲିଛି । ଅର୍ଥନୀତିଜ୍ଞମାନଙ୍କ ମତରେ ଏହା ଦ୍ୱାରା ଭାରତର ଚାଲୁ ଖାତା ବ୍ୟବସାୟିକ ନିଅଣ୍ଟ ବଢ଼ିବ, ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ଏବଂ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବ । ଆଇଏମଏଫ୍ ଆହୁରି ମଧ୍ୟ କହିଛି ଯେ, ଶକ୍ତି ବା ଇନ୍ଧନର ଏହି ଅସ୍ଥିର ମୂଲ୍ୟ ସାଧାରଣ ଭାରତୀୟ ପରିବାରଗୁଡ଼ିକର ଖର୍ଚ୍ଚ କରିବାର କ୍ଷମତାକୁ ବହୁ ପରିମାଣରେ କମାଇ ଦେବ । ଯଦି ସମୟ ଥାଉ ଥାଉ ଏହାର ସଠିକ୍ ସମାଧାନ କରାନଯାଏ, ତେବେ ଦେଶର ଅନେକ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ଦାରିଦ୍ର୍ୟ ସୀମାରେଖା ଆଡ଼କୁ ଠେଲି ହୋଇଯିବେ । ଏଥିସହିତ, ସରକାରଙ୍କ ଦ୍ୱାରା ଯଦି ବିନା କୌଣସି ସମୀକ୍ଷାରେ କେବଳ ସାଧାରଣ ସହାୟତା ବା ସବସିଡି ପ୍ରଦାନ କରାଯାଏ, ତେବେ ତାହା ରାଜକୋଷ ଉପରେ ବୋଝ ବଢ଼ାଇବ, ଯାହାକି ଦୀର୍ଘକାଳୀନ ଭାବେ ସରକାରୀ ଋଣ ଏବଂ ଆର୍ଥିକ ଚାପକୁ ଆହୁରି ତୀବ୍ର କରିବ ।
ଆଇଏମଏଫର ପରାମର୍ଶ: ସରକାର ଏବେ କ’ଣ କରିବା ଉଚିତ୍ ?
ବିଶ୍ୱ ସ୍ତରୀୟ ଏହି ଶକ୍ତି ସଙ୍କଟକୁ ଦୃଷ୍ଟିରେ ରଖି ଆଇଏମଏଫ୍ ଭାରତର ନୀତି ନିର୍ଦ୍ଧାରକମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି । ସଙ୍ଗଠନ ଅନୁସାରେ, ବର୍ତ୍ତମାନ ସମୟରେ ସରକାରଙ୍କୁ ମହଙ୍ଗା ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ରାଜକୋଷୀୟ ଏବଂ ରାଜନୈତିକ ଚାପ ମଧ୍ୟରେ ଏକ ସଠିକ୍ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ । ସମଗ୍ର ଦେଶରେ ତେଲ ଦର ଉପରେ ସାଧାରଣ ରିହାତି ଦେବା ବଦଳରେ କେବଳ ଗରିବ, ଅସହାୟ ପରିବାର ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସାମୟିକ ସହାୟତା ପ୍ରଦାନ କରାଯାଉ । ବର୍ତ୍ତମାନ ପ୍ରଚଳିତ ଥିବା ସରକାରୀ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ହିଁ ପ୍ରଭାବିତ ଶ୍ରେଣୀକୁ ଆର୍ଥିକ ସୁରକ୍ଷା ଯୋଗାଇ ଦିଆଯାଉ, ଯାହାଦ୍ୱାରା ସରକାରଙ୍କ ରାଜକୋଷ ଉପରେ ଅତିରିକ୍ତ ସ୍ଥାୟୀ ବୋଝ ପଡ଼ିବ ନାହିଁ । ଯଦି ସରକାର ଆଇଏମଏଫର ଏହି ରଣନୀତିକୁ ଗ୍ରହଣ କରି ସଠିକ୍ ପଦକ୍ଷେପ ନିଅନ୍ତି, ତେବେ ଭାରତ ଏହି ଆନ୍ତର୍ଜାତୀୟ ତେଲ ସଙ୍କଟର ମହାଝଟକାରୁ ରକ୍ଷା ପାଇପାରିବ ବୋଲି ଆଶା କରାଯାଉଛି ।
ଆହୁରି ପଢ଼ନ୍ତୁ... 'ନିଆଁ ସହ ଖେଳନାହିଁ, ବଳି ତ ଦେବାକୁ ପଡ଼ିବ !' ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ହୁମାୟୁନ କବୀରଙ୍କ ଖୋଲା ଚେତାବନୀ