ଚୌଦ୍ୱାର-ଗୁରୁଡ଼ିଝାଟିଆ,୨୬/୧୨: ଚୌଦ୍ୱାର ସ୍ଥିତ ଇମ୍ଫାରେ କେୟାର୍ ସିକ୍ୟୁରିଟି ଆଲାଏଡ୍ ସର୍ଭିସ୍ ସଂସ୍ଥାର ସୁରକ୍ଷାକର୍ମୀ ଜିତେନ୍ଦ୍ରିୟ ସାହୁ(୪୭) ଭାଇଜାଗ୍‌ରେ ନିଖୋଜ ହେବା ପରେ ବିଶାଖାପାଟଣା ରେଳଷ୍ଟେସନ୍‌ରେ ଆର୍‌ପିଏଫ୍ ତାଙ୍କୁ ଠାବ କରିଛି । ଏନେଇ ଚୌଦ୍ୱାର ପୁଲିସକୁ ଖବର ଦେବା ପରେ ଗୁରୁବାର ସନ୍ଧ୍ୟାରେ ଏକ ଟିମ୍ ବିଶାଖାପାଟଣା ଯାଇଥିବା ଜଣାପଡ଼ିଛି ।

ଜିତେନ୍ଦ୍ରିୟଙ୍କୁ ଖୋଜିବା ପାଇଁ ୨୧ ତାରିଖରେ ଚୌଦ୍ୱାର ଥାନାର ପୁଲିସ ଅଧିକାରୀ ଅବିନାଶ ରାଉତଙ୍କ ନେତୃତ୍ୱରେ ଏକ ଟିମ୍ ବିଶାଖାପାଟଣା ଷ୍ଟେସନ୍‌ରେ ଖୋଜାଖୋଜି କରିଥିଲେ । ତେଲୁଗୁ, ଇଂରାଜୀ ଖବରକାଗଜରେ ଫଟୋ ସହ ନିଖୋଜ ସୂଚନା ଦିଆଯାଇଥିଲା । ରେଳଷ୍ଟେସନ୍ ଓ ଏହାର ଆଖପାଖ ସ୍ଥାନରେ ପୋଷ୍ଟର୍ ଲଗାଇଥିଲେ । ବିଭିନ୍ନ ଥାନାକୁ ସୂଚନା ଦିଆଯାଇଥିଲା । ସେଠାରେ ଟିମ୍ ଦୁଇ ଦିନ ରହି ଫେରି ଆସିଥିଲା । ଜିତେନ୍ଦ୍ରିୟ ବ୍ୟବହାର କରୁଥିବା ଫୋନ୍ ବନ୍ଦଥିବାରୁ ତାଙ୍କୁ ଠାବ କରିବାରେ ଅସୁବିଧା ହୋଇଥିଲା ।

ସୂଚନାଥାଉକି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିକାବିରା ଗ୍ରାମର ଭାଗିରଥୀ ସାହୁଙ୍କ ପୁଅ ଜିତେନ୍ଦ୍ରିୟ ନିଖୋଜ ନେଇ ସିକ୍ୟୁରିଟି ସଂସ୍ଥା ପକ୍ଷରୁ ଏକ ଅଭିଯୋଗ ୧୯ ତାରିଖରେ ଚୌଦ୍ୱାର ଥାନାରେ କରାଯାଇଥିଲା । ଜିତେନ୍ଦ୍ରିୟ ସିକ୍ୟୁରିଟି ସଂସ୍ଥା ପକ୍ଷରୁ ଇମ୍ଫାରେ ୩ ବର୍ଷ ହେବ କାର୍ଯ୍ୟ କରୁଥିବା ବେଳେ କମ୍ପାନିରୁ ଭାଇଜାଗ୍ ଟ୍ରକ୍ ଯୋଗେ କ୍ରୋମାଇଟ୍ ପରିବହନ ବେଳେ ସେ ଏସ୍କର୍ଟରେ ଯାଇଥିଲେ । ଜିତେନ୍ଦ୍ରିୟ ଗତ ୧୩ ତାରିଖରେ ଚୌଦ୍ୱାର ସ୍ଥିତ କମ୍ପାନିରୁ ରାତି ସାଢ଼େ ୭ଟାରେ ଟ୍ରକରେ ଯାଇଥିବା ବେଳେ ଭାଇଜାଗରେ ୧୫ ତାରିଖ ଭୋର ୪ଟାରେ ପହଞ୍ଚିଥିଲେ । ସେଠାରେ ମଧ୍ୟାହ୍ନ ସୁଦ୍ଧା ବିଲ୍ ଦେଇ ଭାଇଜାଗ ଷ୍ଟେସନ୍ରେ ୪ଟା ମଧ୍ୟରେ ପହଞ୍ଚିବା ସହ ପରିବାର ସହ ଫୋନରେ କଥା ହୋଇଥିଲେ । ହେଲେ ୧୬ ତାରିଖ ଦିନ ତାଙ୍କର ଫୋନ୍ ସୁଇଚ୍ଅଫ୍ ଥିଲା । ନିଖୋଜ ହେବାର ୬ ଦିନ ପରେ ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ନେଇ ଦେବଗଡ଼ ବିଧାୟକ ରେମାଞ୍ଚ ରଞ୍ଜନ ବିଶ୍ୱାଳ ଚୌଦ୍ୱାର ଥାନାରେ ପହଞ୍ଚି ଆଇଆଇସି ଦୀପକ ଖଣ୍ଡାୟତରାୟଙ୍କ ସହ ଆଲୋଚନା କରିବା ସହ ନିଖୋଜ ଜିତେନ୍ଦ୍ରିୟଙ୍କୁ ଫେରାଇ ଆଣିବାକୁ କହିଥିଲେ।