ନୂଆଦିଲ୍ଲୀ,୧୨।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପିଟିଆଇ ମୁଖ୍ୟ ଇମ୍ରାନ୍ ଖାନ୍ ହରାଇଲେ ଦୃଷ୍ଟି ଶକ୍ତି। ଆଦିୟାଲା ଜେଲ୍ରେ ବନ୍ଦ ଥିବା ଇମ୍ରାନ୍ଙ୍କ ସ୍ବାସ୍ଥ୍ୟକୁ ନେଇ ପାକିସ୍ତାନ ସୁପ୍ରିମକୋର୍ଟରେ ଏଭଳି ଏକ ରିପୋର୍ଟ ଦିଆଯାଇଛି। ଏହି ରିପୋର୍ଟ ଏବେ ସମସ୍ତଙ୍କୁ ଚକିତ କରିଛି। ଏହା ଅନୁସାରେ, ଇମ୍ରାନଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଛି। ତାଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି। ତାଙ୍କ ଡାହଣ ଆଖି ୮୫ ପ୍ରତିଶତ ଖରାପ ହୋଇଯାଇଛି। ଫଳରେ ତାଙ୍କୁ ଆଉ ଭଲ ଭାବରେ ଦେଖାଯାଉନି।
ସୁପ୍ରିମକୋର୍ଟ ଇମ୍ରାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ନେଇ ବରିଷ୍ଠ ଆଇନଜୀବି ସଲମାନ ସଫଦରଙ୍କୁ ନ୍ୟାୟମିତ୍ର କରି ଜେଲ୍ ପଠାଇଥିଲେ। ସଫଦର ନିଜ ରିପୋର୍ଟରେ କହିଛନ୍ତି, ଇମ୍ରାନଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ଏବେ ମାତ୍ର ୧୫% ବାକି ରହିଛି। ରିପୋର୍ଟରେ ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯଦି ତାଙ୍କୁ ତୁରନ୍ତ ଚିକିତ୍ସା ନମିଳେ ତେବେ ତାଙ୍କ ଡାହଣ ଆଖିର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ହରାଇ ପାରନ୍ତି। ଆଇନଜୀବି ସଫଦରଙ୍କ କହିବା ଅନୁସାରେ, ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଇମ୍ରାନଙ୍କ ସ୍ବାସ୍ଥ୍ୟ ଠିକ୍ ଥିଲା,କିନ୍ତୁ ଏହାପରେ ତାଙ୍କ ଡାହଣ ଆଖିର ଦୃଷ୍ଟିଶକ୍ତି ହଠାତ ଚାଲି ଯାଇଥିଲା।
ଇମ୍ରାନ୍ ଖାନଙ୍କ ଦଳ ପକ୍ଷରୁ କୁହାଯାଇଛି, ତାଙ୍କୁ ସେଣ୍ଟ୍ରାଲ ରେଟିନଲ ଭେନ୍ ଅଲ୍ୟୁଜନ୍ ନାମକ ସମସ୍ୟା ହୋଇଛି। ନ୍ୟାସନାଲ ହେଲଥ୍ ଫାଉଣ୍ଡେସନ୍ର ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ରୋଗରେ ଆଖିର ସ୍ନାୟୁରେ ରକ୍ତ ଜମି ଯାଇଥାଏ। ଏହାଫଳରେ ଦୃଷ୍ଟିଶକ୍ତି ଚାଲିଯାଇଥାଏ। ତେବେ ସରକାରଙ୍କ କହିବା ଅନୁସାରେ, ତାଙ୍କର ଚିକିତ୍ସା କରାଯାଇ ସାରିଛି। ତାଙ୍କ ଦଳ ଓ ମେଡିକାଲ ରିପୋର୍ଟ ଏହି କଥାକୁ ନେଇ ସନ୍ତୁଷ୍ଟ ନୁହେଁ।
ଏହି ରିପୋର୍ଟ ପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ୧୬ ଫେବୃଆରୀ ୨୦୨୬ ପୂର୍ବରୁ ଦେଶ ସବୁଠାରୁ ଭଲ ଡାକ୍ତରଙ୍କ ଏକ ଟିମ୍କୁ ଜେଲ୍ ପଠାଯାଉ। ତାଙ୍କର ଉପଯୁକ୍ତ ଚିକିତ୍ସା କରାଯାଉ। ଏହାଛଡା କୋର୍ଟ ମାନବିକତା ଆଧାରରେ ଇମ୍ରାନଙ୍କୁ ତାଙ୍କର ଦୁଇ ପୁଅ ସହ ଫୋନ୍ରେ କଥା ହେବାକୁ ନିର୍ଦେଶ ଦେଇଛନ୍ତି, ଯାହାର ଦାବି ତାଙ୍କ ଓକିଲ ବାରମ୍ବାର କରି ଆସୁଛନ୍ତି। ଉଲ୍ଳେଖନୀୟ ଯେ, ୭୩ ବର୍ଷୀୟ ଇମ୍ରାନ୍ ଖାନ୍ ମଇ ୨୦୨୩ ରୁ ଜେଲ୍ରେ ଅଛନ୍ତି। ତାଙ୍କ ଉପରେ ଦୁର୍ନୀତି ଓ ସେନା ବିରୋଧରେ ଲୋକଙ୍କୁ ଉକସାଇବା ଭଳି ବହୁ ଗମ୍ଭୀର ଅଭିଯୋଗ ରହିଛି।
ଆହୁରି ପଢନ୍ତୁ :‘ବନ୍ଦେ ମାତରମ୍’କୁ ନେଇ ମୌଲାନା ଅର୍ଶଦ ମଦନୀଙ୍କ ବିରୋଧ: କହିଲେ- ଆଲ୍ଲାହଙ୍କ ବିନା ଅନ୍ୟ କୌଣସି...