ମୁମ୍ବାଇ ୧୫/୧୨: ବଲିଉଡ୍ ଇତିହାସର ସବୁଠୁ ଚର୍ଚ୍ଚିତ ଫିଲ୍ମ ‘ଶୋଲେ’ ୫୦ ବର୍ଷ ପରେ ପୁଣି ଥରେ ବଡ଼ ପରଦାକୁ ଆସିଛି । ମୂଳ ଫିଲ୍ମର କ୍ଲାଇମାକ୍ସ ସିନ୍ ଏବେ ଦେଖିବାକୁ ପାଉଛନ୍ତି ଦର୍ଶକ । ଏହି କ୍ରମରେ ଫିଲ୍ମକୁ ନେଇ ଏକ ରୋଚକ କାହାଣୀ ପୁଣି ଥରେ ସିନେପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରିଛି । ନିର୍ଦ୍ଦେଶକ ରମେଶ ସିପ୍ପି ‘ଶୋଲେ’ର କିଛି ଅଜଣା କାହାଣୀ ଶେୟାର କରିଛନ୍ତି । ସେ କହିଛନ୍ତି, ଫିଲ୍ମର ସୁଟିଂ ସମୟରେ ଦିବଂଗତ ଅଭିନେତା ଧର୍ମେନ୍ଦ୍ରଙ୍କ ଦ୍ୱାରା ଏକ ବଡ଼ ଭୁଲ ହୋଇଥିଲା । ଭୁଲରେ ତାଙ୍କ ହାତରୁ ଅସଲି ଗୁଳି ଫୁଟିଥିଲା, ଯାହାକୁ ନେଇ ସୁଟିଂ ସେଟରେ ଆତଙ୍କ ଖେଳିଯାଇଥିଲା । ଗୁଳି ଅମିତାଭ ବଚ୍ଚନଙ୍କ ପାଖରୁ ଖସିଯାଇଥିଲା । ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଥିଲା ଏବଂ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା ।

ଫିଲ୍ମର କ୍ଲାଇମାକ୍ସ ସୁଟିଂ ସମୟରେ ଏହି ଘଟଣା ହୋଇଥିଲା । ସିନରେ ବୀରୁ ଅର୍ଥାତ୍ ଧର୍ମେନ୍ଦ୍ର ଗୁଳି ଉଠାଇ ବନ୍ଧୁକରେ ଲୋଡ୍ କରୁଥିଲେ । ସେଥିରେ ତାଙ୍କୁ ଗୁଳି ଚଳାଇବାର ନ ଥିଲା । କେବଳ ବନ୍ଧୁକ ଲୋଡ୍ କରିବାର ଥିଲା । କିନ୍ତୁ ସେ ବନ୍ଧୁକ ଉଠାଇଲେ ଏବଂ ଗୁଳି ଚଲାଇଦେଲେ । ଉପରେ ଏକ ଖାଇର ଧାରରେ ଅମିତାଭ ଠିଆ ହୋଇଥିଲେ । ଗୁଳି ଠିକ୍ ତାଙ୍କ ପାଖଦେଇ ଚାଲିଗଲା ।

ଏହି ସିନ୍ ପରେ ଫିଲ୍ମର ଆକ୍ସନ୍ କ୍ୟାମେରାମ୍ୟାନ୍ ଭୟଭୀତ ହୋଇଗଲେ ଏବଂ ସୁଟିଂ ଅଟକାଇଦେଲେ । ସେ ରମେଶ ସିପ୍ପିଙ୍କୁ କହିଲେ, କଳାକାର ଯଦି ଏମିତି ବ୍ୟବହାର ପ୍ରଦର୍ଶନ କରିବେ, ମୁଁ ଆଉ ସୁଟିଂ କରିବି ନାହିଁ । ମୋ ସେଟରେ ଏମିତି ହୋଇପାରିବ ନାହିଁ । କୌଣସି ଦୁର୍ଘଟଣା ମୁଁ ଚାହେଁନା । ସେ ଦିନ ସୁଟିଂ ବନ୍ଦ ହୋଇଗଲା । ସିପ୍ପି ଓ ଅନ୍ୟମାନେ ଧର୍ମେନ୍ଦ୍ରଙ୍କୁ ବୁଝାଇଲେ । ମୁଡରେ ରହିବା ଠିକ୍ । କିନ୍ତୁ ଦୁର୍ଘଟଣାର ଭୟ ଥିଲେ ସୁଟିଂ ହୋଇପାରିବ ନାହିଁ । ଧର୍ମେନ୍ଦ୍ର ଆକ୍ସନ୍ କ୍ୟାମେରାମ୍ୟାନଙ୍କୁ କ୍ଷମା ମାଗିଲେ । ସମସ୍ତେ ମିଶି ମାମଲା ସମାଧାନ କଲେ ।