ନୂଆଦିଲ୍ଲୀ,୨୫।୯: ସିରିଆର ରାଷ୍ଟ୍ରପତି ଅହମ୍ମଦ ଅଲ୍-ଶରା ବୁଧବାର ଜାତିସଂଘର ମହାସଭାକୁ ସମ୍ବୋଧିତ କରିଛନ୍ତି। ଗତ ପ୍ରାୟ ୬୦ ବର୍ଷରେ ଏଭଳି ପ୍ରଥମ ଥର ଘଟିଛି, ଯେତେବେଳେ କୌଣସି ସିରିଆ ରାଷ୍ଟ୍ରପତି ଏଭଳି କରିଛନ୍ତି। ନିଜ ସମ୍ବୋଧନରେ ସିରିଆ ରାଷ୍ଟ୍ରପତି ମହାସଭାକୁ କହିଛନ୍ତି ସିରିଆ ଦୁନିଆର ବାକି ଦେଶଙ୍କ ଭିତରେ ନିଜର ଉପଯୁକ୍ତ ସ୍ଥାନ ପାଇ ସାରିଛି। ଯେତେବେଳେ ଅହମ୍ମଦ ଅଲ୍-ଶରା ଜାତିସଂଘର ମହାସଭାରେ କହୁଥିଲେ ସେତେବେଳ ସିରିଆର ବିଭିନ୍ନ ସହରର ଗଳିରେ ସ୍କ୍ରିନ୍ରେ ତାଙ୍କୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।
ସିରିଆର ରାଷ୍ଟ୍ରାଧ୍ୟକ୍ଷ ୧୯୬୭ ରେ ଶେଷଥର ଜାତିସଂଘର ମହାସଭାରେ ଭାଗ ନେଇଥିଲେ। ଏହା ଅସଦ ପରିବାରର ୫ ଦଶକ ଲମ୍ବା ଶାସନ କାଳ ପୂର୍ବର କଥା। ସେତେବେଳେ ନୌରିଦ୍ଧିନ୍ ଅତ୍ତାସି ସିରିଆ ରାଷ୍ଟ୍ର ଭାବରେ ଜାତିସଂଘରେ ଭାଷଣ ଦେଇଥିଲେ। ଏହା ଆରବ-ଇସ୍ରାଏଲ ଯୁଦ୍ଧର ତୁରନ୍ତ ପରେ ହୋଇଥିଲା। ଏହି ଯୁଦ୍ଧରେ ଦମାସକ୍ ଗୋଲେନ୍ ହାଇଟସ୍ରୁ ନିୟନ୍ତ୍ରଣ ହରାଇ ବସିଥିଲା। ୧୯୭୦ ରେ ଅସଦ ପରିବାର ସିରିଆରେ କ୍ଷମତାକୁ ଆସିଥିଲେ। ଏହାପରେ ସିରିଆର ସମ୍ପର୍କ ସୋଭିଏତ ସଂଘ ସହ ରହିଥିଲା। ବହୁ ବର୍ଷ ପରେ ସିରିଆର ବୈଦେଶିକ ମନ୍ତ୍ରୀ ଜାତିସଂଘର ମହାସଭାରେ ଦେଶର ପ୍ରତିନିଧିତ୍ବ କରୁଛନ୍ତି। ଉଲ୍ଲେଖନୀୟ ଯେ ଅସଦ ପରିବାରର ୫୦ ବର୍ଷ ଧରି ଚାଲି ଆସୁଥିବା ନିରଙ୍କୁଶ ଶାସନ ଡିସେମ୍ବରରେ ଶେଷ ହୋଇଯାଇଥିଲା। ଅଲ୍-ଶରାଙ୍କ ନେତୃତ୍ବରେ ଅଭିଯାନରେ ତତ୍କାଳୀନ ରାଷ୍ଟ୍ରପତି ବଶର ଅଲ୍-ଅସଦଙ୍କୁ କ୍ଷମତାକୁ ହଟାଇ ଦିଆଯାଇଥିଲା। ଅସଦଙ୍କୁ ଅପଦସ୍ତ ହେବା ସହ ସିରିଆରେ ପ୍ରାୟ ୧୪ ବର୍ଷ ଧରି ଗୃହଯୁଦ୍ଧ ଶେଷ ହୋଇଯାଇଥିଲା।
ସିରିଆ ରାଷ୍ଟ୍ରପତି ଅହମ୍ମଦ ଅଲ୍-ଶରା ନିଜ ଭାଷଣରେ ଇସ୍ରାଏଲକୁ କଡା ନିନ୍ଦା କରିଛନ୍ତି। ସେ କହିଛନ୍ତି ଅସଦଙ୍କ ପତନ ପରେ ଇସ୍ରାଏଲ ସିରିଆକୁ ଧମକ ଦେବା ବନ୍ଦ କରିନଥିଲା। ଇସ୍ରାଏଲର ନୀତି, ଅନ୍ତର୍ଜାତୀୟ ସମୁଦାୟଙ୍କ ଦ୍ବାରା ସିରିଆ ଓ ଏହାର ଲୋକଙ୍କୁ ସମର୍ଥନ ଦେବାର ବିପରୀତ ରହିଛି। ଏହାଦ୍ବାରା ଆମ ପାଇଁ ବିପଦ ସୃଷ୍ଟି ହୋଇଥାଏ। ଇସ୍ରାଏଲ ଓ ସିରିଆ ଭିତରେ ସୁରକ୍ଷା ଚୁକ୍ତି ପାଇଁ ଆଲୋଚନା ଚାଲିଛି। ସିରିଆ ରାଷ୍ଟ୍ରପତିଙ୍କ କହିବା ଅନୁସାରେ ତାଙ୍କୁ ଆଶା ରହିଛି ଇସ୍ରାଏଲୀ ସେନା ପୁଣିଥରେ ଫେରିଯିବେ। ଏହା ସହ ୧୯୭୪ ଚୁକ୍ତିକୁ କାର୍ଯ୍ୟକାରୀ କରାଯିବ। ଗତ ସପ୍ତାହରେ ତଳେ ଅଲ୍-ଶରା କହିଥିଲେ କିଛି ଦିନରେ ଏକ ଚୁକ୍ତି କରାଯାଇପାରେ।