ଭୁବନେଶ୍ୱର,୨୭/୦୪: ଚଳିତ ଗ୍ରୀଷ୍ମ ଅବକାଶ ସମୟରେ ଯୁକ୍ତ ଦୁଇ ପିଲାଙ୍କ ପାଇଁ ଅନ୍ଲାଇନ୍ ଏକାଡେମିକ ସପୋର୍ଟ ପ୍ରୋଗାମ କରାଯିବ। ଏଥିରେ ଜେଇଇ ଏବଂ ନିଟ୍ କୋଚିଂ ଦିଆଯିବ । ସକାଳ ୧୦ଟା ପର୍ଯ୍ୟନ୍ତ ଏହି କୋଚିଂ ଦିଆଯିବ । ପାଠ ପଢ଼ାଇବା ପାଇଁ ଶିକ୍ଷକଙ୍କର ରୋଷ୍ଟର ଡ୍ୟୁଟି ପକାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ ଏବଂ ଧନ୍ଦାମୂଳକ କଲେଜର ପ୍ରିନ୍ସିପାଲଙ୍କୁ ଚିଠି କରାଯାଇଛି ।
ଗତ ୨୫ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲରେ ଗ୍ରୀଷ୍ମ ଛୁଟି କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠପଢ଼ା ଯେପରି ବାଧାପ୍ରାପ୍ତ ନହୁଏ ସେଥିଲାଗି ଧ୍ୟାନ ଦେବାକୁ କୁହାଯାଇଥିଲା । ପ୍ରାଥମିକ ଓ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ସ୍କୁଲ ଛୁଟି ଦିନ ପିଲାଙ୍କୁ ହୋମୱାର୍କ ଦିଆଯାଇଛି । ପିଲାମାନେ ଏହି ହୋମୱାର୍କକୁ ଘରେ କରିବା ସହ ନିଜର ଶିକ୍ଷକଙ୍କୁ ବିଭିନ୍ନ ଦ୍ୱନ୍ଦ୍ୱ ପଚାରି ବୁଝିବେ । ଶିକ୍ଷକମାନେ ମଧ୍ୟ ନିୟମିତ ଯାଞ୍ଚ କରିବେ । ଏପରିକି ସ୍ୱତନ୍ତ୍ର ଭାବେ ବିଭିନ୍ନ ଶ୍ରେଣୀର ହ୍ୱାଟସ୍ଆପ୍ ଗ୍ରୁପ କରାଯାଇଛି । ଏହି ଢାଞ୍ଚାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ଯୁକ୍ତ ୨ ପିଲାଙ୍କ ପାଇଁ ହୋମୱାର୍କ ଦିଆଯାଇଛି । ଯୁକ୍ତ ଦୁଇ କ୍ୟାରିଅରର ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ ହୋଇଥିବାରୁ ପିଲାଙ୍କ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସେଥିଲାଗି ଛୁଟି ସମୟରେ ପିଲାଙ୍କର ଅନ୍ଲାଇନ କ୍ଲାସ କରାଯିବ । ଏହାକୁ ଶିକ୍ଷକମାନେ ରୋଷ୍ଟର ଡ୍ୟୁଟି କରି ତଦାରଖ କରିବେ ।
କିଛି ମାସ ପୂର୍ବରୁ ନୂଆ କରି ମାଗଣା ନିଟ୍ ଓ ଜେଇଇ କୋଚିଂ ଆରମ୍ଭ ହୋଇଛି । ଯେଉଁଥିରେ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯାଉଛି । ଖରା ଛୁଟିରେ ଯେପରି ପାଠପଢ଼ାରେ ବାଧ୍ୟାପ୍ରାପ୍ତ ନହୁଏ ସେଥିଲାଗି ଧ୍ୟାନ ଦିଆଯିବ । ରବିବାରକୁ ଛାଡ଼ି ସମସ୍ତ ଦିନ ସକାଳୁ ଏହି କୋଚିଂ ଅନ୍ଲାଇନ୍ରେ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ଅନ୍ୟ ପାଠକୁ ରିଭାଇଜ୍ କରିବେ । ସକାଳ ସାଢ଼େ ୬ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ସ୍କୁଲ କାର୍ଯ୍ୟାଳୟ ଖୋଲା ରହିବ । ୨୦୨୪-୨୫ ଏକାଡେମିକ ସେସନ୍ ପାଇଁ ଏହି ସମୟରେ କାର୍ଯ୍ୟ କରାଯିବ । ସାଧାରଣ ନିର୍ବାଚନ ଥିବାରୁ ବିଭାଗର ବିନା ଅନୁମତି ଅଧ୍ୟକ୍ଷ କିମ୍ବା ଷ୍ଟାଫ୍ମାନେ ହେଡକ୍ୱାଟର ଛାଡ଼ି ଯିବେ ନାହିଁ । ଜରୁରି ଥିଲେ ଛୁଟି ଦିଆଯିବ ।