ନୂଆଦିଲ୍ଲୀ,୧୯/୧୨: ଦେଶରେ ଖାଦ୍ୟ ପାନୀୟ ସାମଗ୍ରୀର ମିଶ୍ରଣ ଖବର ଏବେ ସାଧାରଣ ପାଲଟିଛି । ପ୍ରତିଦିନ ଖବରକାଗଜରେ ଏଭଳି ଅନେକ ଖବର ଆସୁଛି, ଯେଉଁଥିରେ ଖାଦ୍ୟ ଅପମିଶ୍ରଣର ବିକୃତ ଚିତ୍ର ଦେଖିବାକୁ ମିଳୁଛି । ସରକାରୀ ତଥ୍ୟ ମୁତାବକ, ଗତ ୫ ବର୍ଷରେ ଖାଦ୍ୟ ପାନୀୟ ସାମଗ୍ରୀର ଯେତିକି ନମୂନା ଯାଞ୍ଚ ହୋଇଛି, ସେଥିମଧ୍ୟରୁ ପ୍ରତି ୫ରୁ ଗୋଟିଏରେ ଅପମିଶ୍ରଣ ସାମ୍ନାକୁ ଆସିଛି । ଅର୍ଥାତ ୨୦ ପ୍ରତିଶତ ଖାଦ୍ୟ, ପାନୀୟରେ ଅପମିଶ୍ରଣ ହୋଇଛି । ରାଜ୍ୟସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ୧.୭ ଲକ୍ଷରୁ ଅଧିକ ଖାଦ୍ୟ ନମୂନା ଅସୁରକ୍ଷିତ ମିଳିଛି । ଅପମିଶ୍ରଣରେ ଜଡ଼ିତ ଲୋକଙ୍କ ଉପରେ ୨୫୭ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଜରିମାନା ବି ଲଗାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, ଖାଦ୍ୟ ସୁରକ୍ଷା ଆଇନକୁ ଲାଗୁ କରିବା ପାଇଁ ଏବେ ଅଧିକ କଡ଼ା ପଦକ୍ଷେପ ନିଆଯାଉଛି ।
ବିଶେଷକରି ଉକ୍ତ ଖାଦ୍ୟପାନୀୟ ସାମଗ୍ରୀଗୁଡ଼ିକ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଉଛି, ଯେଉଁଥିରେ ଅପମିଶ୍ରଣ ଆଶଙ୍କା ଅଧିକ ରହିଥାଏ । ଏଥିମଧ୍ୟରେ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀ ଓ ରେଡି ଟୁ ଇଟ୍ ଫୁଡ୍ସ ସାମିଲ୍ ଅଛି । ଏହି ସାମଗ୍ରୀଗୁଡ଼ିକ ସହରରେ ଅଧିକ ବିକ୍ରି ହୋଇଥାଏ । ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ସମଗ୍ର ଦେଶରେ ପ୍ରାୟ ୮.୭ ଲକ୍ଷ ଖାଦ୍ୟ ନମୂନା ଯାଞ୍ଚ ହୋଇଛି । ଏଥିମଧ୍ୟରୁ ୧.୭୪ ଲକ୍ଷରୁ ଅଧିକ ନମୂନା ସୁରକ୍ଷା ଏବଂ ଗୁଣବତ୍ତାର ଧାର୍ଯ୍ୟ ମାନକରେ ଫେଲ୍ ହୋଇଛି । ଏହି ଅପମିଶ୍ରଣ ଯୋଗୁ ପ୍ରାୟ ୪୮୦୦ ଲୋକଙ୍କୁ ଦଣ୍ଡ ହୋଇଛି ଏବଂ ସେମାନଙ୍କ ଉପରେ ମୋଟା ଆକାରରେ ଜରିମାନା ବି ଲଗାଯାଇଛି । ଯଦି ଏ ବର୍ଷ କଥା ବିଚାରକୁ ନିଆଯାଏ ତେବେ ଏଯାବତ୍ ୧.୭ ଲକ୍ଷ ନମୂନା ଯାଞ୍ଚ କରାଯାଇଛି, ଯେଉଁଥିରୁ ୩୪,୦୦୦ରୁ ଊଦ୍ଧ୍ୱର୍ ନମୂନା ସୁରକ୍ଷା ମାନକଗୁଡ଼ିକୁ ଅନୁପାଳନ କରି ନ ଥିବା ଜଣାପଡ଼ିଛି ।\
ମନ୍ତ୍ରାଳୟ ବି ଏହା ସ୍ପଷ୍ଟ କରିଛି ଯେ, ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା କେନ୍ଦ୍ର ଏବଂ ରାଜ୍ୟ ଉଭୟଙ୍କ ଦାୟିତ୍ୱ । ଏବେ ‘ରିସ୍କ-ଭିତ୍ତିକ ଯାଞ୍ଚ ବ୍ୟବସ୍ଥା’ ଜରିଆରେ ଅଧିକରୁ ଅଧିକ ତ୍ରୁଟି ଚିହ୍ନଟ କରାଯାଉଛି । ଏହି ବ୍ୟବସ୍ଥାରେ ଖାଦ୍ୟ ବ୍ୟବସାୟ କରୁଥିବା ସଂସ୍ଥାଗୁଡ଼ିକୁ ରିସ୍କ ସ୍ତର ଆଧାରରେ ଯାଞ୍ଚ କରାଯାଇଥାଏ । ସହରାଞ୍ଚଳ ବଜାରଗୁଡ଼ିକ ଉପରେ ଅଧିକ ଧ୍ୟାନ ଦିଆଯାଉଛି କାରଣ ଏଠାରେ ଖାଦ୍ୟର ଚାହିଦା ଅଧିକ ରହିଥାଏ ଏବଂ ଯୋଗାଣ ଶୃଙ୍ଖଳ ବି ଅଧିକ ଜଟିଳ ହୋଇଥାଏ । ସରକାରଙ୍କ କହିବାନୁସାରେ, ବଡ଼ ସଂଖ୍ୟାରେ ଗଡ଼ବଡ଼ି ଚିହ୍ନଟ କରାଯିବା ଏହାର ପ୍ରମାଣ ଯେ, ଯାଞ୍ଚ ମଜଭୁତ ହୋଇଛି । ସରକାର ଆଶ୍ୱସ୍ତ କରିଛନ୍ତି ଯେ, ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ପୁଷ୍ଟିକର ଖାଦ୍ୟ ପହଞ୍ଚିବ, ସେଥିପାଇଁ ଏକତ୍ର ହୋଇ କାର୍ଯ୍ୟ ଜାରି ରଖାଯିବ ।