ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଭକ୍ତକବିଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ସଂସ୍କରଣ ଉନ୍ମୋଚିତ, ଓଡ଼ିଆ ଭାଷାର ଶିକ୍ଷାଦାନ ପାଇଁ ବର୍ଣ୍ଣବୋଧର ବିକଳ୍ପ ନାହିଁ : ମୁଖ୍ୟମନ୍ତ୍ରୀ

Published By : Prameya | February 2, 2025 10:36 PM

ଭୁବନେଶ୍ୱର, ୨।୨ : ଓଡ଼ିଶା ଏବଂ ଓଡ଼ିଆ  ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସୂଦନ ରାଓ ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଆମ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ ।  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡିଜିଟାଲ କପି ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।  ଚଳିତ ବର୍ଷ ଏହି ପୁସ୍ତକର ୧୦ ହଜାର କପି ଛପାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପବିତ୍ର ଶ୍ରୀ ପଞ୍ଚମୀ ଓ ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧକୁ ନୂତନ ଭାବେ ପ୍ରକାଶ କରିବା, ଭକ୍ତକବିଙ୍କ ପ୍ରତି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆ ଭାଷାର ନିଜତ୍ଵ, ମୂଳ ସ୍ୱରୂପକୁ ଜନମାନସରେ ଆଦୃତ କରିବା ପାଇଁ ଲେଖା ହୋଇଥିଲା ‘ବର୍ଣ୍ଣବୋଧ’। ଏହାର ରଚୟିତା ଭକ୍ତକବି ମଧୁସୂଦନ ରାଓ, ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ଶବ୍ଦ, ଶବ୍ଦ ଗଠନ, ବାକ୍ୟ ଗଠନକୁ କିପରି ସରଳ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କୁ ଶିଖାଇ ହେବ ଏହି ପୁସ୍ତକରେ ପ୍ରତିପାଦିତ କରିଛନ୍ତି। 

ସେ ଆହୁରି ମଧ୍ୟ କହିଥିଲେ ଯେ, ମା’, ମାତୃଭୂମି ଏବଂ ମାତୃଭାଷା ଯେ କୌଣସି ମାନବର ସବୁଠାରୁ ବଡ ପରିଚୟ। ଯଦି କେହି ଏହାର ହତାଦର କରେ, ତାକୁ ସ୍ଵଭାବ କବି ଅଜ୍ଞାନ କହିଥିଲେ ନିଜ କାଳଜୟୀ ରଚନାରେ। ବର୍ଣ୍ଣବୋଧର ଭାଷା ଥିଲା ଅତ୍ୟନ୍ତ ସହଜ ଓ ସରଳ । ପଶୁ, ପକ୍ଷୀ, ସକାଳ, ସନ୍ଧ୍ୟା, ଆଖପାଖର ଦୃଶ୍ୟ ଭଳି ସହଜ ଉଦାହରଣ ସବୁ ଦେଇ, ଭକ୍ତକବି କୋମଳ ମନକୁ ଆକର୍ଷିତ କରିଥିଲେ। ଏହି ବହିଟି ଅତି କମ୍‍ ଦିନରେ ପ୍ରତ୍ୟେକ ଓଡ଼ିଆ ପରିବାରର ଅଂଶ ପାଲଟିଗଲା । ଘରେ ଘରେ ବର୍ଣ୍ଣବୋଧ ପହଞ୍ଚିଲା । ୧୮୯୫ ରେ ବହିଟି ପ୍ରଥମେ ପ୍ରକାଶିତ ହୋଇଥିଲା । ଏହାର ଲୋକପ୍ରିୟତା ଏଭଳି ବଢିଗଲାଯେ ୧୮୯୫ ରୁ ୧୯୦୧ ଭିତରେ ବହିର ଆଠଟି ସଂସ୍କରଣ ହୋଇଥିଲା । 

 ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ବହିଟିର ନୂଆ ଶୋଭନ (illustration) ସଂସ୍କରଣ ପାଇଁ ବିଶିଷ୍ଟ ଭାଷାବିତ୍ ଓ ସାହିତ୍ୟିକ କୈଳାଶ ଚନ୍ଦ୍ର ଟିକାୟତ ରାୟ, ଦାଶ ବେନହୁର, ବୈଷ୍ଣବ ଚରଣ ମହାନ୍ତି, ହରପ୍ରସାଦ ମିଶ୍ର ଓ ସନ୍ତୋଷ କୁମାର ରଥଙ୍କ ଅବଦାନ ପ୍ରଶଂସନୀୟ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଏହି ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣବୋଧର ଡିଜିଟାଲ ସଂସ୍କରଣ, ଭାଷା ପ୍ରତିଷ୍ଠାନର ମୁଖପତ୍ର " ଭାଷାପତ୍ର", ସତ୍ୟନାରାୟଣ ବହିଦାର ଏବଂ ବାସୁଦେବ ସାହୁଙ୍କ ଜୀବନୀ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ । ଭକ୍ତକବିଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

 ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ, ବର୍ତ୍ତମାନ ସମୟରେ ସ୍ମାର୍ଟ କ୍ଲାସରୁମରେ ପିଲା ମାନଙ୍କୁ ଚିତ୍ର ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ୧୮୫୩ ମସିହାରେ ଜନ୍ମିତ ଭକ୍ତକବି, ପିଲାଙ୍କୁ ସ୍ମାର୍ଟ ବହି ସେତେବେଳେ ଧରାଇଥିଲେ। ସେତେବେଳେ ସ୍ରଷ୍ଟା ମାନେ ସାହିତ୍ୟ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରିଥିଲେ। ଆମ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ଏବଂ ଆପଣ ମାନଙ୍କ ସହଯୋଗରେ ଏହା ନିଶ୍ଚୟ ସୁଦୃଢ ହେବ। 

 ବିଧାୟକ ବାବୁ ସିଂ କହିଥିଲେଯେ, ଆମ ସଂସ୍କୃତିକୁ ନେଇ ଆମେ ଗର୍ବ ଅନୁଭବ କରିଥାଉ। ସଂସ୍କୃତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ଆଜିର ଏହି ଶୁଭଦିନ ଶ୍ରୀ ପଞ୍ଚମୀ, ଆମପାଇଁ ସଂସ୍କୃତି, ସ୍ୱାଭିମାନ ଓ ଅସ୍ମିତାକୁ ବଜାୟ ରଖିବା ପାଇଁ ଏକ ସଂକଳ୍ପର ଦିନ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.