କେନ୍ଦୁଝର,୨୬/୧୨ : ଓଡ଼ିଶା ସରକାର ଚାଷୀଙ୍କ ସରକାର । ଚାଷୀଙ୍କ ପାଇଁ ଏକାଧିକ ଯୋଜନା ପ୍ରସ୍ତୁତ କରିଥିବା ସରକାରଙ୍କ ଦ୍ବାରା ଧାନର ବୋନସ ୮୦୦ଟଙ୍କାମ ପ୍ରଦାନ କରିବା ହେଉଛି ସବୁଠୁ ବଡ଼ ଉପଳବ୍ଧି। ଏହାଦ୍ବାରା ଚାଷ ପ୍ରତି ଚାଷୀଙ୍କ ମନୋବଳ ବଢ଼ିଛି ବୋଲି କେନ୍ଦୁଝରସ୍ଥିତ ପଳାସପଙ୍ଗ ଲ୍ୟାମ୍ପସରେ ଧାନ ସଂଗ୍ରହର ଶୁଭାରମ୍ଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତର ପ୍ରଥମ ଦିନରେ ପଳାସପଙ୍ଗା ସ୍ଥିତ ଲ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ପାଇଁ ଧାନ ସଂଗ୍ରହ ବ୍ୟବସ୍ଥାକୁ ଶୁଭାରମ୍ଭ କରିଥିଲେ।
- କେନ୍ଦୁଝର ଜିଲ୍ଲା ପାଇଁ ଧାନ ସଂଗ୍ରହ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
- ରାଜ୍ୟରେ ୧,୫୪୨ଟି ନୂଆ ପ୍ୟାକ୍ସ ଓ ଲ୍ୟାମ୍ପସ ଗଠନ କରାଯାଇଛି
- କୋଟିଏ ଟଙ୍କା ସବସିଡି ପାଇଥିବା ଚାଷୀଙ୍କ ଘରକୁ ଯାଇ ସମ୍ବର୍ଦ୍ଧନା ଦେବେ ମୁଖ୍ୟମନ୍ତ୍ରୀ
- କୃଷି ଉଦ୍ୟୋଗ ଯୋଜନାରେ ଅଣ ଧାନ ଫସଲକୁ ପ୍ରୋତ୍ସାହନ ଦିଆଯିବ
- ଆଗାମୀ ତିନି ବର୍ଷରେ ୧୫ଲକ୍ଷ ହେକ୍ଟର ଜମିକୁ ଜଳସେଚନ
- କାନୁପୁର ଜଳସେଚନ ପ୍ରକଳ୍ପ ଦୁଇରୁ ତିନି ମାସରେ ଉଦଘାଟନ ହେବ
ଏହି ଅବସରରେ ଆୟୋଜିତ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଆମେ ଶୁଣୁଥିଲୁ, ଚାଷ ପ୍ରତି ଚାଷୀମାନଙ୍କ ଆଗ୍ରହ କମିଯାଉଛି । ଚାଷୀ ଭାଇମାନେ ବିଲକୁ ଯିବାକୁ ବିମୁଖ ହେଉଛନ୍ତି । କିନ୍ତୁ, ଏ ବର୍ଷର ତଥ୍ୟ ସମ୍ପୂର୍ଣ୍ଣଭାବେ ଅଲଗା ଚିତ୍ର ପ୍ରଦାନ କରୁଛି । ଏହାର କାରଣ ହେଉଛି, ମୋଦୀଜୀଙ୍କ ନେତୃତ୍ବରେ ଓଡିଶାରେ ଗଠିତ ଆପଣ ମାନଙ୍କ ଡବଲ ଇଞ୍ଜିନ ସରକାର । କାରଣ ଆମେ ଆପଣ ମାନଙ୍କୁ ଆପଣଙ୍କ ପରିଶ୍ରମ ଓ ତ୍ୟାଗର ମୂଲ୍ୟଦେବା ପାଇଁ ପ୍ରତିବଦ୍ଧ ହୋଇ ପଦକ୍ଷେପ ନେଇଛୁ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୋଟିଏ ଟଙ୍କା ସବସିଡି ପାଇଥିବା ଚାଷୀଙ୍କୁ ତାଙ୍କ ଘରକୁ ଯାଇ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ପୂର୍ବ ସରକାର ୧୦୦ଟଙ୍କା ଅଧିକ ଦେବେ ବୋଲି କହିଥିଲେ । କିନ୍ତୁ, ଦେଇପାରିଲେ ନାହିଁ। କିମ୍ବା ହୁଏତ ଜାଣି ଜାଣି ଦେଲେ ନାହିଁ। କିନ୍ତୁ, ଆମର ପ୍ରତିଶ୍ରୁତି ପଥରରେ ଅଙ୍କା ହୋଇଥିବା ଚିତ୍ରପରି। ଆମେ ଆପଣମାନଙ୍କୁ ଆମର ସଂକଳ୍ପ ଅନୁଯାୟୀ ୮୦୦ ଟଙ୍କା ଦେଲୁ । ତାହା ନିଶ୍ଚିତ ଭାବରେ ଆପଣମାନଙ୍କ ମନୋବଳ ବୃଦ୍ଧି କରିଛି । ଚାଷ ଉପରେ ଭରସା ବଢିଛି । ସେ କହିଥିଲେ, ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସମ୍ପୂର୍ଣ୍ଣ ଧାନ କିଣା ପ୍ରକ୍ରିୟା ସ୍ବଚ୍ଛତାର ସହ ଚାଲିବ । ଏଥିରେ ଅବହେଳା ହେଲେ, ନିଶ୍ଚିତ ଭାବରେ ସମ୍ପୃକ୍ତ ଅଧିକାରୀ ତା’ର ଫଳ ଭୋଗିବେ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଥିଲେ । ଧାନ ସହିତ ଅଣ-ଧାନ ଫସଲରେ ମଧ୍ୟ ଆପଣ ମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ଆମର ବିଚାର ଚାଲିଛି। ଆମେ ଚାହୁଁଛୁ ଫସଲର ବିବିଧକରଣ ହେଉ। ଆପଣ ମାନେ କେବଳ ଆଉ ଧାନ ନକରି ଡାଲି ଓ ତୈଳବୀଜ ଜାତୀୟ ଫସଲ କରନ୍ତୁ। ମାଣ୍ଡିଆ ଚାଷ କରନ୍ତୁ। ଏଥିରେ ଆପଣଙ୍କର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ଅଧିକ ରହୁଛି ଏବଂ ରାଜ୍ୟ ସରକାର ମଧ୍ୟ ଆହୁରି ଅଧିକ ସହାୟତା ଦେବାପାଇଁ ଚିନ୍ତା କରୁଛନ୍ତି । ଏହି ସବୁ ଚାଷଦ୍ବାରା ଦେଶର ତିନୋଟି ଫାଇଦା ହେବ । ଗୋଟିଏ ହେଲା ଏହି ସବୁ ଶସ୍ୟ ଗୁଡ଼ିକ- ବିଶେଷ କରି ଡାଲି ଓ ତେଲ ଜାତୀୟ ଶସ୍ୟ ଉପରେ ଆମେ ବିଦେଶ ଉପରେ ନିର୍ଭର କରୁଛୁ । ଆପଣମାନେ ଏଗୁଡ଼ିକ ଚାଷ କରିବା ଦ୍ବାରା ଦେଶ ଆତ୍ମନିର୍ଭର ହେବ। ଆତ୍ମ ନିର୍ଭର ଭାରତ ଗଠନରେ ଆପଣମାନଙ୍କ ଆଉଏକ ଯୋଗଦାନ ରହିବ। ଦ୍ବିତୀୟଟି ହେଉଛି, ନ୍ୟୁଟ୍ରିସନ ସିକ୍ୟୁରିଟୀ ବା ପୁଷ୍ଟି ସୁରକ୍ଷା। ପୁଷ୍ଟି ହୀନତା ଆମ ଦେଶର ଏକ ମୁଖ୍ୟ ସମସ୍ୟା। ସେଥିପାଇଁ ମିଲେଟ୍ ବା ମାଣ୍ଡିଆ ଜାତୀୟ ଶସ୍ୟ ଅଧିକ ଜରୁରୀ। ବିଭିନ୍ନ ପ୍ରକାରର ଡାଲି ଜାତୀୟ ଖାଦ୍ୟମଧ୍ୟ ଜରୁରୀ। ତେଣୁ, ଏହା ଦ୍ବାରା ଆମର ପୁଷ୍ଟି ସୁରକ୍ଷା ମଧ୍ୟ ହାସଲ କରିବାରେ ସହାୟକ ହେବ। ତୃତୀୟଟି ହେଉଛି, ଆପଣମାନେ ଏହାଦ୍ବାରା ଅଧିକ ଅର୍ଥ ରୋଜଗାର କରିପାରିବେ। ଆପଣ ମାନଙ୍କ ପରିବାର ଆହୁରି ସ୍ବଚ୍ଛଳ ହେବ। ଧାନ ସଂଗ୍ରହ ଓ ବିଭିନ୍ନ କ୍ଷେତ୍ରରେ ଆପଣ ମାନଙ୍କୁ ସହାୟତା ଦେବା ପାଇଁ ପ୍ୟାକ୍ସ ଓ ଲ୍ୟାମ୍ପସ୍ ମାନଙ୍କ ଭୂମିକା ଖୁବ ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ରାଜ୍ୟରେ ୧,୫୪୨ଟି ନୂଆ ପ୍ୟାକ୍ସ ଓ ଲ୍ୟାମ୍ପସ ଗଠନ କରାଯାଇଛି ଏବଂ ସେମାନଙ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ୫ ଲକ୍ଷ ଟଙ୍କା ସିଡ୍ ମନି ବା ମୂଳଧନ ମଧ୍ୟ ଦିଆଯାଉଛି। ବର୍ତ୍ତମାନ ସାରା ରାଜ୍ୟରେ ୪,୨୫୩ଟି ପ୍ୟାକ୍ସ ଓ ଲ୍ୟାମ୍ପସ୍ ରହିଛି। ଏଗୁଡିକ ଏକ ୱାନ ଷ୍ଟପ ସେଣ୍ଟର ଭାବେ ବିକଶିତ କରାଯାଉଛି। ଏଥିରେ ଆପଣ ମାନେ ଗୋଟିଏ ଜାଗାରେ ସବୁ ପ୍ରକାର ସୁବିଧା ପାଇ ପାରିବେ। 15 ଲକ୍ଷ ହେକ୍ଟର ଜମି ଆଗାମୀ ତିନିବର୍ଷରର ଜଳ ସେଚିତ ହେବ। କାନୁପୁର ଜଳ ସେଚନ ପ୍ରକଳ୍ପ ଆଉ ମାତ୍ର ଦୁଇରୁ ତିନିମାସରେ ଉଦଘାଟନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
କୃଷକମାନଙ୍କ ହିତ ପାଇଁ ଆମ ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରତିଶ୍ରୁତିବଦ୍ଧ । ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ଗତବର୍ଷ ପ୍ରାୟ ୨୦ ଲକ୍ଷ ଚାଷୀ ୭ ହଜାର କୋଟି ଟଙ୍କା ଇନ୍ପୁଟ୍ ସହାୟତା ପାଇଥିଲେ । ଏ ବର୍ଷ ଏ ସଂଖ୍ୟା ଆହୁରି ବଢିବାର ଆଶା କରାଯାଉଛି । ତା ସହିତ ଚାଷ ପାଇଁ ଅନେକ ଯୋଜନା ମଧ୍ୟ ରହିଛି। ଜନ କଲ୍ୟାଣ କ୍ଷେତ୍ରରେ ଆମର ଯେଉଁ ଯୋଜନା ରହିଛି ସେଥିରେ ଅଧିକାଂଶ ସୁବିଧା ଚାଷୀଭାଇମାନେ ପାଉଛନ୍ତି। ସୁଭଦ୍ରା ଯୋଜନାରେ ମା’ମାନଙ୍କୁ ଯେଉଁ ୧୦ହଜାର ଟଙ୍କା ଦିଆ ଯାଉଛି ସେଥିରେ ଅଧିକାଂଶ ହେଉଛନ୍ତି ଚାଷୀ ପରିବାରର। ଏହା ସହିତ ପିଏମ କିଷାନ ଓ ସିଏମ କିଷାନ ମିଶି ବର୍ଷକୁ ୧୦ ହଜାର ଟଙ୍କା ଦିଆଯାଉଛି। ଏହା ସହିତ ଚାଷୀ ଭାଇ ମାନଙ୍କ ପିଲାମାନଙ୍କୁ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ ବୃତ୍ତି ପ୍ରଦାନ କରାଯାଉଛି। ଏହିପରି ସବୁ ସହାୟତା ମିଶାଇଲେ ଚାଷୀ ପରିବାର ମାନଙ୍କୁ ବର୍ଷକୁ ପ୍ରାୟ ୬୦ ହଜାର ଟଙ୍କା ଅଧିକ ରୋଜଗାର ହେଉଛି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅନନ୍ତ ନାୟକ, ବିଧାୟକ ବଦ୍ରି ନାରାୟଣ ପାତ୍ର, ବିଧାୟକ ସନାତନ ମହାକୁଡ଼, ବିଧାୟକ ଅଖିଳ ଚନ୍ଦ୍ର ନାଏକ, ବିଧାୟକ ଡକ୍ଟର ଫକୀର ମୋହନ ନାଏକ, ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ଜିଲ୍ଲାପାଳ ବିଶାଲ୍ ସିଂହ ଉପସ୍ଥିତ ଥିଲେ।