ନୂଆଦିଲ୍ଲୀ, ୨୫/୧ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ ଚେନ୍ନାଇରେ ଖେଳାଯିବ । କିନ୍ତୁ ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ୍ ପୂର୍ବରୁ ଲାଗିଛି ଝଟକା । ଟିମର ଦୁଇ ଖେଳାଳୀ ଆହତ କାରଣରୁ ବାହାରି ଯାଇଛନ୍ତି । ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ କହିଛି କି ରିଙ୍କୁ ସିଂହ ଏବଂ ନୀତିଶ କୁମାର ରେଡ୍ଡୀ ଟିମରୁ ବାହାରି ଯାଇଛନ୍ତି । ତାଙ୍କ ସ୍ଥାନରେ ଶିବମ ଦୁବେ ଏବଂ ରମନଦୀପ ସିଂହଙ୍କୁ ସୁଯୋଗ ଦିଆଯାଇଛି । ଦୁବେ-ରମନଦୀପଙ୍କ ଏବେ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି ।
ବିସିସିଆଇ ଶନିବାର ସନ୍ଧ୍ୟାରେ ନିଜ ଅଫିସିଆଲ ଓ୍ବେବସାଇଟରେ ଏହି ସୂଚନା ସେୟାର କରି କହିଛି କି ରିଙ୍କୁ ଏବଂ ନୀତିଶ ଟିମ୍ ଇଣ୍ଡିଆରୁ ବାହାରି ଯାଇଛନ୍ତି । ରେଡ୍ଡୀ ପ୍ରାକ୍ଟିସ ସମୟରେ ଶୁକ୍ରବାର ଆହତ ହାଇଥିଲେ । ସେ ୫ଟିକିଆ ଟି-୨୦ ସିରିଜରୁ ବାହାରି ଯାଇଛନ୍ତି । ନୀତିଶ ରେଡ୍ଡୀଙ୍କୁ ବେଙ୍ଗାଲୁର ପଠାଯିବ । ସେଠାରେ ମେଡ଼ିକାଲ୍ ଟିମ୍ ତାଙ୍କର ସ୍ବାସ୍ଥ୍ୟବସ୍ଥା ବୁଝିବେ ।
ସେହିଭଳି ଟିମ୍ ଇଣ୍ଡିଆର ବହୁ ଭଲ ଖେଳାଳୀ ରିଙ୍କୁ ବି ଟିମ୍ ଇଣ୍ଡିଆରୁ ବାହାରି ଯାଇଛନ୍ତି । ତାଙ୍କ ପୀଠିରେ ଅସୁବିଧା ଅଛି । ରିଙ୍କୁଙ୍କୁ ଭାରତ- ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ ସମୟରେ ଅସୁବିଧା ହୋଇଥିଲା । ଏବେ ସେ ବିସିସିଆଇର ମେଡ଼ିକାଲ ଟିମର ନଜରରେ ଅଛନ୍ତି । ରିଙ୍କୁ ଧିରେ ଧିରେ ଭଲ ହେବାକୁ ଲାଗିଛନ୍ତି । ରିଙ୍କୁ ଦ୍ବିତୀୟ ଏବଂ ତୃତୀୟ ଟି-୨୦ରୁ ବାହାରି ଯାଇଛନ୍ତି। ଯଦି ସେ ସମ୍ପୂର୍ଣ୍ଣ ଭାବେ ଫିଟ୍ ହେଉଛନ୍ତି ତ ଚତୁର୍ଥ ଟି-୨୦ମ୍ୟାଚରେ ଖେଳୁଥିବା ନଜର ଆସିପାରନ୍ତି ।