ଡର୍ବାନ,୦୯/୧୧: ଘରୋଇ କ୍ରିକେଟ୍‌ରେ ବହୁ ସଫଳତା ସତ୍ତେ୍ୱ ଭାରତୀୟ ଦଳରେ ସ୍ଥାନ ହାସଲ କରିପାରୁନଥିବା ସଞ୍ଜୁ ସାମସନ   ଡର୍ବାନ୍‌ରେ ଦମ ଦେଖାଇଛନ୍ତି । ପ୍ରଥମ ଭାରତୀୟ ଭାବେ ଟି-ଟ୍ୱେଣ୍ଟି  ଅନ୍ତର୍ଜାତୀୟରେ କ୍ରମାଗତ ଦ୍ୱିତୀୟ ଶତକ ଅର୍ଜନ କରି ସାମସନ ସ୍ୱତନ୍ତ୍ର ରେକର୍ଡ ସ୍ଥାପନ କରିଛନ୍ତି । ଗତ ମାସ  ୧୦ ତାରିଖରେ ସେ ବାଂଲାଦେଶ ବିପକ୍ଷ  ତୃତୀୟ ଟି-ଟ୍ୱେଣ୍ଟିରେ ୧୧୧ ରନ୍‌ର  ଇନିଂସ ଖେଳିଥିଲେ । ଶୁକ୍ରବାର ଅନୁଷ୍ଠିତ  ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ଆଉ ଏକ ବିସ୍ଫୋରକ ଶତକ  ଅର୍ଜନ କରିବା ଫଳରେ ଭାରତ ୬୧  ରନ୍‌ରେ ବିଜୟ ହାସଲ କରିଥିଲା ।  ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି  ଭାରତ ୮ ୱିକେଟ୍‌ ବିନିମୟରେ ୨୦୨  ରନ୍‌ ସଂଗ୍ରହ କରିଥିଲା । ଜବାବରେ  ଦକ୍ଷିଣ ଆଫ୍ରିକା ୧୭.୫ ଓଭରରେ  ୧୪୧ ରନ୍‌ କରି ଅଲ୍‌ ଆଉଟ୍‌  ହୋଇଯାଇଥିଲା । ସାମସନ ପ୍ଲେୟାର  ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । 

ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ରେ  ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ  ଆମନ୍ତ୍ରଣ କରିଥିଲା । ଦୁଇ ନୂଆ  ଓପନିଂ ଯୋଡି ଅଭିଷେକ ଶର୍ମା ଓ ସଞ୍ଜୁ  ସାମସନ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ  ପ୍ରୟାସ କରିଥିଲେ । ଅଭିଷେକ ମାତ୍ର  ୭ ରନ୍‌ କରି ଆଉଟ୍‌ ହୋଇଥିଲେ ହେଁ  ଦଳ ପ୍ରଭାବିତ ହୋଇନଥିଲା । ଅନ୍ୟ  ଓପନର ସାମସନ ବିଧ୍ୱଂସୀ ବ୍ୟାଟିଂ  କରି ଘରୋଇ ଦଳର ହୋସ୍‌ ଉଡ଼ାଇ  ଦେଇଥିଲେ । ତାଙ୍କୁ ଅଟକାଇବା ସମ୍ଭବ ହୋଇ ନଥିଲା । ସୂର୍ଯ୍ୟକୁମାର ଯାଦବଙ୍କୁ  ସାଥୀ କରି ସେ ଦଳୀୟ ସ୍କୋରକୁ ଦ୍ରୁତ  ବେଗରେ ଆଗେଇ ନେଇଥିଲେ ।  ବିସ୍ଫୋରକ ସଟ୍‌ର ବର୍ଷା ହୋଇଥିଲା ।  

ଉଭୟ ମାତ୍ର ୩୫ଟି ବଲ୍‌ରୁ  ୬୬ ରନ୍‌ର ଭାଗିଦାରୀ ଗଢିଥିଲେ । କ୍ଷଣକ ମଧ୍ୟରେ ଦଳୀୟ ସ୍କୋର ୯୦ରେ  ପହଞ୍ଚି ଯାଇଥିଲା । ନବମ ଓଭରରେ  ସୂର୍ଯ୍ୟକୁମାର ବ୍ୟକ୍ତିଗତ ୨୧ ରନ କରି  ଆଉଟ୍‌ ହୋଇଥିଲେ ହେଁ ସାମସନଙ୍କ  ବିସ୍ଫୋରଣ ଜାରି ରହିଥିଲା । ଦକ୍ଷିଣ  ଆଫ୍ରିକା ୭ଜଣ ବୋଲରଙ୍କୁ ନିୟୋଜିତ  କରିଥିଲେ ହେଁ କିଛି ଫଳ ମିଳି ନଥିଲା ।  

ସୂର୍ଯ୍ୟକୁମାରଙ୍କ ୱିକେଟ୍‌ ପରେ  ବ୍ୟାଟିଂ ପାଇଁ ଓହ୍ଲାଇଥିବା ତିଳକ ବର୍ମା  ମଧ୍ୟ ଦର୍ଶନୀୟ ସଟ୍‌ ଖେଳିଥିଲେ ।  ଉଭୟ ତୃତୀୟ ୱିକେଟ୍‌ରେ  ୭୭ ରନ୍‌ ଯୋଗ  କରିଥିଲେ । ସାମସନ  ଚତୁର୍ଥ ବ୍ୟାଟର ଭାବେ କ୍ରମାଗତ ଦ୍ୱିତୀୟ ଟି-ଟ୍ୱେଣ୍ଟି  ଶତକ ଅର୍ଜନ କରିଥିଲେ ।  ସାମସନଙ୍କ ପୂର୍ବରୁ ୨୦୨୨ରେ କେବଳ  ଗୁସ୍ତାଭ ମ୍ୟାକ୍‌କିୟନ ଓ ରାଇଲି ରସୋ,  ୨୦୨୩ରେ ଫିଲ ସଲ୍ଟ କ୍ରମାନ୍ୱୟରେ  ୨ଟି ଲେଖାଏଁ ଟି-ଟ୍ୱେଣ୍ଟି ଶତକ  ଅର୍ଜନ କରିଥିଲେ ।  

ଦଳୀୟ ସ୍କୋର  ୧୬୭ ବେଳେ  ତିଳକ ୧୮ଟି ବଲ୍‌ରୁ  ୩୩(୨ଚୌକା, ୨ଛକା) ରନ୍‌  କରି ଆଉଟ୍‌ ହୋଇଥିଲେ । ପରେ  ପରେ ସାମସନଙ୍କ ୱିକେଟ୍‌ର ପତନ  ଘଟିଥିଲା । ସେ ୫୦ଟି ବଲ୍‌ର ସାମ୍ନା  କରି ୭ଚୌକା ଓ ୧୦ଛକା ବଳରେ  ୧୦୭ ରନ୍‌ କରିଥିଲେ । ନିମ୍ନ ଭାଗ  ବ୍ୟାଟରମାନେ ଦ୍ରୁତ ରନ୍‌ ସଂଗ୍ରହ  କରିବାକୁ ଯାଇ ବିଫଳ ହୋଇଥିଲେ ।  ଶେଷରେ ଭାରତ ୮ ୱିକେଟ ହରାଇ  ୨୦୨ ରନ କରିଥିଲା । ଦକ୍ଷିଣ  ଆଫ୍ରିକା ପକ୍ଷରୁ ଗେରାଲ୍ଡ କୋଏଜି  ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ ।  

୧୨୦ ବଲ୍‌ରେ ୨୦୩ ରନ୍‌ର  ଲକ୍ଷ୍ୟ ହାସଲ କରିବା କଷ୍ଟକର ଥିଲା ।  ଭାରତୀୟ ଦଳର ଶୃଙ୍ଖଳିତ ବୋଲିଂର  ମୁକାବିଲା କରିପାରି ନଥିଲା ଦକ୍ଷିଣ  ଆଫ୍ରିକା । ଓପନର ଆଡେନ ମାରକ୍ରମ ୮  ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ ।  ଅନ୍ୟ ଓପନର ର‌୍ୟାନ ରିକେଲଟନଙ୍କ  ସହ ଟ୍ରିଷ୍ଟନ ଷ୍ଟବ୍ସ ମିଶି ଦଳୀୟ ସ୍କୋରକୁ  ୩୦ରେ ପହଞ୍ଚାଇଥିଲେ । ଷ୍ଟବ୍ସ ୧୧  ରନ୍‌ କରି ଆଉଟ୍‌ ହୋଇଥିଲେ ।  

ସ୍ପିନର ବୋଲିଂ ଭାର ସମ୍ଭାଳିବା  ପରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିଭାଗ  ଟଳମଳ ହୋଇଥିଲା । ୧୧ଟି ବଲ୍‌ରୁ  ୨୧ ରନ୍‌ କରିଥିବା ରିକେଲଟନଙ୍କୁ  ଷଷ୍ଠ ଓଭରରେ ଆଉଟ୍‌ କରିଥିଲେ  ବରୁଣ ଚକ୍ରବର୍ତ୍ତୀ । ଘରୋଇ ଦଳର  ଦୁଇ ଅଭିଜ୍ଞ ବ୍ୟାଟର ଡେଭିଡ୍‌ ମିଲର  ଓ ହେନରିକ କ୍ଲାସେନ କିଛି ଦର୍ଶନୀୟ  ସଟ୍‌ ଖେଳି ୪୨ ରନ୍‌ର ଭାଗିଦାରୀ  ଗଠନ କରିଥିଲେ । ୧୨ତମ ଓଭରରେ  ବରୁଣ ଉଭୟଙ୍କୁ ଆଉଟ୍‌ କରି ବିଜୟ  ପାଇଁ ପଥ ପରିଷ୍କାର କରିଥିଲେ ।  କ୍ଲାସେନ ୨୫(୨ଚୌକା, ୧ଛକା) ଓ  ମିଲର ୧୮(୧ଚୌକା, ୧ଛକା) ରନ୍‌  କରି ପାଭିଲିୟନ ଫେରିବା ପରେ  ଦକ୍ଷିଣ ଆଫ୍ରିକା ବିପର୍ଯ୍ୟୟର ସମ୍ମୁଖୀନ  ହୋଇଥିଲା । 

ରବି ବିଷ୍ଣୋଇ ଏହାପରେ  ପ୍ୟାଟ୍ରିକ କ୍ରୁଗର, ଆଣ୍ଡିଲ ସିମେଲିନ  ଓ ମାର୍କୋ ଜାନସେନଙ୍କୁ ପାଭିଲିୟନ  ପଠାଇଥିଲେ । ୧୧୪ ରନ୍‌ରେ ଦଳ ୮ଟି  ୱିକେଟ୍‌ ହରାଇଥିଲା । ଅନ୍ତିମ ଭାଗରେ ଗେରାଲ୍ଡ କୋଏଜି ୩ଟି ବିଶାଳ ଛକା  ମାରିଥିଲେ ହେଁ ଏହା ବିଜୟ ପାଇଁ  ଯଥେଷ୍ଟ ନଥିଲା । ଶେଷରେ ଦକ୍ଷିଣ  ଆଫ୍ରିକା ୧୩ଟି ବଲ୍‌ ବାକି ଥାଇ ୧୪୧  ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା ।