ନୂଆଦିଲ୍ଲୀ,୦୭/୦୬: ଇଂଲଣ୍ଡରେ ଭାରତୀୟ କ୍ରିକେଟ ଦଳର ଜବରଦସ୍ତ ହୁଙ୍କାର ଦେଖିବାକୁ ମିଳିଛି । ଘରୋଇ ଇଂଲଣ୍ଡ ଲାୟନ୍ସ ଓ ଭାରତ ଏ’ମଧ୍ୟରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ଦ୍ୱିତୀୟ ଅନଫିସିଆଲ୍‌ ଟେଷ୍ଟ । ପ୍ରଥମ ଦିବସରେ ଲୋକେଶ ରାହୁଲ ବିସ୍ଫୋରକ ଶତକ ହାସଲ କରିଛନ୍ତି । ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏ’ ୭ ୱିକେଟ୍‌ ହରାଇ ୩୧୯ରନ୍‌ ସଂଗ୍ରହ କରିଛି ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଲାଏନ୍ସ । ଭାରତ ଏ’କୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଯଶସ୍ୱୀ ଜୈସ୍ୱାଲଙ୍କ ସହ ଓପନ କରିଥିଲେ କେଏଲ ରାହୁଲ । ଉଭୟ ୨୮ରନ୍‌ ସଂଗ୍ରହ କରିବା ପରେ ଜୈସ୍ୱାଲ (୧୭ରନ୍‌) ଆଉଟ୍‌ ହୋଇଥିଲେ । ଅଧିନାୟକ ଅଭିମନ୍ୟୁ ଈଶ୍ୱରନ (୧୧) ମଧ୍ୟ ନିରାଶ କରିଥିଲେ । ୪୦ରନ୍‌ରେ ୨ଟି ୱିକେଟ୍‌ ହରାଇଥିଲା ଭାରତ ଏ’ । ଏହାପରେ କରୁଣ ନାଏର ଯୋଗଦେଇ ରାହୁଲଙ୍କ ସହ ମିଶି ଦୃଢ଼ ବ୍ୟାଟିଂ କରିଥିଲେ । ତୃତୀୟ ୱିକେଟ୍‌ରେ ସଂଗୃହୀତ ହୋଇଥିଲା ୮୬ ରନ୍‌ । ଦଳୀୟ ସ୍କୋର ୧୨୬ରେ ବ୍ୟକ୍ତିଗତ ୪୦ (୪ଚୌକା) ରନ୍‌ କରି ଆଉଟ୍‌ ହୋଇଥିଲେ ନାଏର । ପେସ୍‌ ବୋଲର କ୍ରିସ୍‌ ୱକ୍ସ ତାଙ୍କୁ ନିଜର ଦ୍ୱିତୀୟ ଶିକାର ବନାଇଥିଲେ । ମଧ୍ୟ ଭାଗରେ ଧ୍ରୁବ ଜୁରେଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । 

ଅନ୍ୟ ପଟରେ ରାହୁଲ ଦର୍ଶନୀୟ ସଟ୍‌ମାନ ଖେଳି ଅର୍ଦ୍ଧଶତକ ପୂରଣ କରିଥିଲେ । ଉଭୟଙ୍କ ମଧ୍ୟରେ ୧୨୧ରନ୍‌ର ଭାଗିଦାରୀ ଗଠନ ହୋଇଥିଲା । ଜୁରେଲ ୬୬ଟି ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଦଳୀୟ ସ୍କୋର ୨୪୭ରେ ବ୍ୟକ୍ତିଗତ ୫୨ (୭ଚୌକା) ରନ୍‌ କରି ଆଉଟ୍‌ ହୋଇଥିଲେ ଜୁରେଲ । ପରେ ପରେ ରାହୁଲ ୧୫୧ ବଲ୍‌ରେ ଶତକ ଅର୍ଜନ କରିଥିଲେ । ରାହୁଲ ଆଗାମୀ ଇଂଲଣ୍ଡ ବିପକ୍ଷ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଫର୍ମରେ ଥିବା ପ୍ରମାଣିତ କରିଛନ୍ତି । ୧୬୮ ବଲରେ ବ୍ୟକ୍ତିଗତ ୧୧୬ (୧୫ଚୌକା, ୧ଛକା) କରି ଆଉଟ୍‌ ହୋଇଥିଲେ । ଅଲରାଉଣ୍ଡର ନୀତିଶ ରେଡ୍ଡୀ ୩୪ ଓ ସର୍ଦୁଲ ଠାକୁର ୧୯ରନ୍‌ ଯୋଗ କରିବା ଫଳରେ ସ୍କୋର ୩୦୦ ଅତିକ୍ରମ କରିଥିଲା । ଇଂଲଣ୍ଡ ଲାୟନ୍ସ ପକ୍ଷରୁ ୱକ୍ସ ୩ଟି ଓ ଜର୍ଜ ହିଲ୍‌ ୨ଟି ୱିକେଟ୍‌ ନେଇଥିଲେ । ଷ୍ଟମ୍ପ ଅପସାରଣ ସୁଦ୍ଧା ତନୁଶ କୋଟିଆନ ୫ ଓ ଅଂଶୁଲ କାମ୍ବୋଜ ୧ରନ୍‌ କରି ଅପରାଜିତ ଅଛନ୍ତି ।