ନୂଆଦିଲ୍ଲୀ: ତେନ୍ଦୁଲକର-ଏଣ୍ଡରସନ ଟ୍ରଫିର ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୭୧ ରନରେ ଅଲଆଉଟ୍ ହୋଇଯାଇଛି। ଦଳ ମାତ୍ର ୪୧ ରନ ସ୍କୋରରେ ଶେଷ ୭ ୱିକେଟ ହରାଇଛି। ହେଡିଙ୍ଗଲି କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ମ୍ୟାଚ୍ ର ଦ୍ୱିତୀୟ ଦିନରେ ଭାରତୀୟ ଦଳ ୩୫୯/୩ ସ୍କୋରରୁ ଖେଳିବା ଆରମ୍ଭ କରିଥିଲା। ତେବେ ବର୍ତ୍ତମାନ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଛି।

ଭାରତୀୟ ଖେଳାଳି ଗତକାଲି ଚମତ୍କାର ପ୍ରଦର୍ଶନ କରିଥିଲେ। ଅଧିନାୟକ ଶୁଭମନ ଗିଲ୍ ୧୪୭, ରିଷଭ ପନ୍ତ ୧୩୪ ଏବଂ ଯଶସ୍ୱୀ ଜୟସ୍ୱାଲ ୧୦୧ ରନ ସଂଗ୍ରହ କରିଥିଲେ। ସେହିପରି କେଏଲ ରାହୁଲ ଦଳ ପାଇଁ ୪୨ ରନର ଅବଦାନ ଦେଇଥିଲେ। ମଧ୍ୟାହ୍ନ ଭୋଜନ ପୂର୍ବରୁ ଗିଲ୍ ଏବଂ ପନ୍ତ ଆଉଟ୍ ହେବା ପରେ ଭାରତୀୟ ଦଳର ନିମ୍ନ ମଧ୍ୟକ୍ରମ ଭୁଶୁଡ଼ି ପଡ଼ିଥିଲା। ୮ ବର୍ଷ ପରେ ଭାରତୀୟ ଦଳକୁ ଫେରିଥିବା କରୁଣ ନାୟାର ଖାତା ମଧ୍ୟ ଖୋଲିପାରି ନଥିଲେ। ରବିନ୍ଦ୍ର ଜାଡେଜା ୧୧ ଏବଂ ଶାର୍ଦ୍ଦୁଲ ଠାକୁର ମାତ୍ର ଏକ ରନ କରିବା ପରେ ଆଉଟ ହୋଇଯାଇଥିଲେ।




ଇଂଲଣ୍ଡ ପକ୍ଷରୁ ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ଜୋଶ୍ ଟଙ୍ଗ୍ ୪-୪ ୱିକେଟ୍ ନେଇଥିଲେ। ବ୍ରାଇଡନ୍ କାର୍ସେ ଏବଂ ସୋଏବ୍ ବଶିର ମଧ୍ୟ ଗୋଟିଏ-ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।