ଆଡିଲେଡ,୦୩/୧୨: ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ  ଚୂଡ଼ାନ୍ତ ଏକାଦଶ ପରିବର୍ତ୍ତନ କରିବା ନିଶ୍ଚିତ । କେବଳ ସେତିକି ନୁହେଁ,  ବ୍ୟାଟିଂ କ୍ରମରେ ମଧ୍ୟ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରଥମ ଟେଷ୍ଟ ଖେଳି ନଥିବା ଅଧିନାୟକ ରୋହିତ ଶର୍ମା ଏକାଦଶକୁ ଫେରୁଥିବାବେଳେ ପ୍ରଥମ ଟେଷ୍ଟ ପୂର୍ବରୁ ଆହତ ହୋଇଥିବା ଶୁଭମନ ଗିଲ୍‌ ମଧ୍ୟ ଫିଟ୍‌ ହୋଇ ସାରିଛନ୍ତି । ଉଭୟ ଦ୍ୱିତୀୟ ଟେଷ୍ଟ ଖେଳିବେ । ଯାହା  ଫଳରେ ଦେବଦତ୍ତ ପାଡ଼ିକଲ ଓ ଧ୍ରୁବ  ଜୁରେଲ ଏକାଦଶରୁ ବାଦ ପଡ଼ିବେ । ଗିଲ୍‌ଙ୍କ ଅନୁପସ୍ଥିତିରେ ପାଡ଼ିକଲଙ୍କୁ  ଖେଳିବାକୁ ସୁଯୋଗ ମିଳିଥିଲା ଓ  ସେ ନିରାଶ କରିଥିଲେ । ଗିଲ ଗତ  ଅଭ୍ୟାସ ମ୍ୟାଚ୍‌ ଜରିଆରେ ପ୍ରତ୍ୟାବର୍ତ୍ତନ  କରି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । 

ରୋହିତ ମଧ୍ୟ କ୍ରମରେ ବ୍ୟାଟିଂ  କରିବା ଆଶା କରାଯାଉଛି । ଅଭ୍ୟାସ  ମ୍ୟାଚ ଜରିଆରେ ଏହାର ପୂର୍ବାଭାସ  ମିଳିଯାଇଛି । ଅଭ୍ୟାସ ମ୍ୟାଚ୍‌ରେ ସେ  ୪ନଂ ସ୍ଥାନରେ ବ୍ୟାଟିଂ କରିଥିଲେ ।  ଅବଶ୍ୟ ବିରାଟ କୋହଲି ଏହି ମ୍ୟାଚରୁ  ବିଶ୍ରାମ ନେଇଥିଲେ ।  

ଆଡିଲେଡ୍‌ରେ କୋହଲି ନିଜ  ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ ।  ଗିଲ୍‌ ମଧ୍ୟ ପୂର୍ବ ଭଳି ୩ନଂ ସ୍ଥାନରେ  ଖେଳିବେ । ଫଳରେ ରୋହିତ ମଧ୍ୟକ୍ରମରେ ଅଥବା ୬ନଂ ସ୍ଥାନରେ  ବ୍ୟାଟିଂ କରିବା ଆଶା କରାଯାଉଛି । 

ପ୍ରଥମ ଟେଷ୍ଟରେ ଓପନ୍‌ କରି  ରାହୁଲ ପୂର୍ବ ଫର୍ମ ଫେରି ପାଇଛନ୍ତି ।  ଉଭୟ ଇନିଂସରେ ସେ ଧୈର୍ଯ୍ୟପୂର୍ଣ୍ଣ  ବ୍ୟାଟିଂ କରିଥିଲେ । ଦ୍ୱିତୀୟ ଇନିଂସରେ  ଯଶସ୍ୱୀ ଜୈସ୍ୱାଲ ଓ ରାହୁଲ ୨୦୧ ରନ୍‌ର  ଓପନିଂ ଭାଗିଦାରୀ ଗଠନ କରିଥିଲେ ।  ଯାହା ଭାରତର ବିଜୟରେ ପ୍ରମୁଖ  ଭୂମିକା ଗ୍ରହଣ କରିଥିଲା । ଏହି ପ୍ରଦର୍ଶନ  ବଳରେ ରାହୁଲ ଓପନିଂ ପାଇଁ ପ୍ରମୁଖ  ଦାବିଦାର ହୋଇଛନ୍ତି । ରୋହିତ ମଧ୍ୟ  ଦଳର ସ୍ୱାର୍ଥ ପାଇଁ ନିଜ ବ୍ୟାଟିଂ ସ୍ଥାନକୁ  ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଅଛନ୍ତି । 

ରାହୁଲ ଓପନ କଲେ ରୋହିତଙ୍କ  ପାଇଁ କେବଳ ୬ନଂ ସ୍ଥାନ ଖାଲି ରହିବ । କାରଣ କୋହଲି ୪ ଓ ପନ୍ତ ୫ନଂ ସ୍ଥାନରେ  ବ୍ୟାଟିଂ କରିବେ । ଗୌତମ ଗମ୍ଭୀର  ଦଳରେ ଯୋଗ ଦେବା ପରେ ଏକାଦଶ  ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।