ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ୍କୁ ନେଇ ବଡ଼ ଖବର ଆସିଛି । ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ ନାହିଁ ଭାରତୀୟ ଟିମ୍ । କ୍ରୀଡା ମନ୍ତ୍ରଣାଳୟ ଗୁରୁବାର କହିଛି ଯେ, ଭାରତ ଏବଂ ପାକିସ୍ତାନ କୌଣସି ଦ୍ୱିପାକ୍ଷିକ ମ୍ୟାଚ୍ ଖେଳିବେ ନାହିଁ । କିନ୍ତୁ ଆସନ୍ତା ମାସରେ ହେବାକୁ ଥିବା ବହୁ ଦଳୀୟ ଏସିଆ କପ୍ ଖେଳିବାକୁ ଭାରତୀୟ ଟିମ୍କୁ ବାରଣ କରାଯିବ ନାହିଁ । କ୍ରୀଡା ମନ୍ତ୍ରଣାଳୟ ଭାରତୀୟ ଦଳ ସମ୍ପର୍କରେ ଏକ ନୂତନ ନୀତି ଘୋଷଣା କରିଛି। ଏହି ନୀତି ତୁରନ୍ତ କାର୍ଯ୍ୟକାରୀ ହେବ ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ୍ ସିନ୍ଦୂର ଅଧୀନରେ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲା । ଏହା ସହିତ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ବଂସ କରିଥିଲା ଭାରତ । ସେବେଠାରୁ ପାକିସ୍ତାନ ସହିତ କ୍ରିକେଟ୍ ସମେତ ସମସ୍ତ ସମ୍ପର୍କ ଭାଙ୍ଗିବା ଉଚିତ ବୋଲି ଦାବି ହେଉଥିଲା। ଏବେ କ୍ରୀଡ଼ା ମନ୍ତ୍ରଣାଳୟ ଏହି ମାମଲାରେ ନିଜର ମତ ସ୍ପଷ୍ଟ କରିଛି।
ମନ୍ତ୍ରଣାଳୟ ଭାରତର ଅନ୍ତର୍ଜାତୀୟ ପ୍ରତିଯୋଗିତା ସମ୍ପର୍କରେ ଏକ ନୂତନ ନୀତି ଉନ୍ମୋଚନ କରିଛି। ମନ୍ତ୍ରଣାଳୟର ନୀତିରେ କୁହାଯାଇଛି, 'ପାକିସ୍ତାନ ସହ ଜଡିତ କ୍ରୀଡ଼ା ପ୍ରତିଯୋଗିତା ପ୍ରତି ଭାରତର ଆଭିମୁଖ୍ୟ, ସେହି ଦେଶ ସହିତ ବ୍ୟବହାର କରିବାର ସାମଗ୍ରିକ ନୀତିକୁ ପ୍ରତିଫଳିତ କରେ। ଭାରତୀୟ ଦଳ ପାକିସ୍ତାନରେ ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ ନାହିଁ । ପାକିସ୍ତାନୀ ଦଳକୁ ଭାରତରେ ଖେଳିବାକୁ ଅନୁମତି ମିଳିବ ନାହିଁ।’
ସେପଟେ ବହୁ-ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । କ୍ରୀଡ଼ା ମନ୍ତ୍ରଣାଳୟର ଏକ ସୂତ୍ର ଅନୁସାରେ, ‘ଆମେ ଭାରତୀୟ କ୍ରିକେଟ୍ ଦଳକୁ ଏସିଆ କପ୍ ଖେଳିବାକୁ ବାରଣ କରିବୁ ନାହିଁ । ଏହା ଏକ ବହୁପାକ୍ଷିକ ଟୁର୍ଣ୍ଣାମେଣ୍ଟ। କିନ୍ତୁ ପାକିସ୍ତାନକୁ ଦ୍ୱିପାକ୍ଷିକ ପ୍ରତିଯୋଗିତା ପାଇଁ ଭାରତ ମାଟିକୁ ଆସିବାକୁ ଅନୁମତି ଦିଆଯିବ ନାହିଁ । ଆମେ ଅଲିମ୍ପିକ୍ ଚାର୍ଟର ପାଳନ କରିବୁ । ତେଣୁ ବହୁପାକ୍ଷିକ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଭାରତୀୟ ଟିମ୍କୁ ବାରଣ କରିବୁ ନାହିଁ।’