ନୂଆଦିଲ୍ଲୀ,୧୩/୦୧: ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ ଭାବେ ସର୍ଜିୟୋ ଗୋର୍ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆମେରିକା ଲାଗି ଭାରତ ସବୁଠାରୁ ଜରୁରି ଦେଶ ବୋଲି ସେ କହିଛନ୍ତି । ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ମଙ୍ଗଳବାର ଟେଲିଫୋନ ଜରିଆରେ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି ।
ଗୋର୍ କହିଲେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ପ୍ରକୃତ ବନ୍ଧୁତ୍ୱ ରହିଛି । ପ୍ରକୃତ ବନ୍ଧୁଙ୍କ ମଧ୍ୟରେ ମତଭେଦ ରହିପାରେ । ମାତ୍ର ଶେଷରେ ସେମାନେ ସବୁ କିଛିକୁ ଭୁଲି ଏକାଠି ହେବା ପନ୍ଥା ଆପଣାଇଥାନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଆଗାମୀ ଗୋଟିଏ ବର୍ଷ କିମ୍ବା ୨ ବର୍ଷରେ ଭାରତ ଆସି ପାରନ୍ତି । ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିବା ଅତ୍ୟନ୍ତ ଗର୍ବର ବିଷୟ ।
ଭାରତ ବିଶ୍ୱର ସବୁଠାରୁ ପୁରୁଣା ଏବଂ ସର୍ବବୃହତ ଲୋକତନ୍ତ୍ର । ଅନେକ ଲୋକ ଭାରତ ସହ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ପଚାରୁଛନ୍ତି । ପ୍ରକୃତ କଥା ହେଲା ଉଭୟ ପକ୍ଷ ଲଗାତର ସମ୍ପର୍କରେ ଅଛନ୍ତି । ବାଣିଜ୍ୟିକ ଆଲୋଚନାକୁ ଆଗକୁ ବଢ଼ାଉଛନ୍ତି । ଭାରତ ବିଶ୍ୱର ପ୍ରମୁଖ ରାଷ୍ଟ୍ର ହୋଇଥିବାରୁ ଆଲୋଚନାକୁ ଆଗକୁ ବଢ଼ାଇବା ଏତେ ସହଜ ନୁହେଁ । ମାତ୍ର ଉଭୟ ଦେଶ ବାଣିଜ୍ୟ ଚୁକ୍ତି ସମ୍ପୂର୍ଣ୍ଣ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରୟାସ କରୁଛନ୍ତି ।
ଗୋର୍ ପୁଣି କହିଲେ, ବାଣିଜ୍ୟ ଭାରତ ଆମେରିକା ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ସହଯୋଗ କେବଳ ବ୍ୟବସାୟ ମଧ୍ୟରେ ସୀମିତ ନାହିଁ । ଉଭୟ ଦେଶ ପ୍ରତିରକ୍ଷା, ଆତଙ୍କବାଦ ନିରୋଧୀ ଗତିବିଧି, ଶକ୍ତି, ଟେକ୍ନୋଲୋଜି, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମିଳିତ ହୋଇ କାମ କରୁଛନ୍ତି । ସେହିଭଳି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଭାରତ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତି ନେଇ ଆଲୋଚନା ଜାରି ରହିଛି । ସେହିଭଳି ୟୁରୋପୀୟ ୟୁନିୟନ ସହ ବାଣିଜ୍ୟ ଚୁକ୍ତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି ।
ଉଲ୍ଲେଖଯୋଗ୍ୟ, ରୁଷ ତେଲ କିଣାକୁ ନେଇ ଆମେରିକା ଭାରତ ଉପରେ ୫୦% ଟାରିଫ ଲାଗୁ କରିଛି । ରୁଷ ତେଲ କିଣୁଥିବା ଦେଶ ଗୁଡ଼ିକ ବିରୋଧରେ ୫୦୦% ଟାରିଫ ଲଗାଇବା ନେଇ ଆମେରିକା ପ୍ରସ୍ତାବ ରଖିଛି । ଉଚ୍ଚ ଟାରିଫ ଯୋଗୁ ଆମେରିକାକୁ ଭାରତର ରପ୍ତାନି ପ୍ରଭାବିତ ହୋଇଛି । ଟାରିଫ ଚାପ କମାଇବା ଲାଗି ଆମେରିକା ସହ ଟ୍ରେଡ ଡିଲ୍ ଏବେ ଯାଏ ଚୂଡାନ୍ତ ହୋଇ ପାରୁନି ।
ଏଭଳି ସ୍ଥିତିରେ ଭାରତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସମ୍ଭାବ୍ୟ ବିକଳ୍ପ ବଜାର ଗୁଡ଼ିକୁ ଖୋଜୁଛି । ଏହି ସବୁ ଦେଶ ଗୁଡ଼ିକୁ ଭାରତର ରପ୍ତାନି ବୃଦ୍ଧି ନେଇ ବିଭିନ୍ନ ଦେଶ ସହ ଭାରତ ବାଣିଜ୍ୟ ଚୁକ୍ତିରେ ସାମିଲ ହେଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟରେ ୫୦% ଟାରିଫ ଲଦିବା ପରେ ୱାଶିଂଟନ ଏବଂ ନୂଆଦିଲ୍ଲୀ ମଧ୍ୟରେ ରହିଥିବା ସମ୍ପର୍କ ଭଟ୍ଟା ପଡିଛି ।