ନୂଆଦିଲ୍ଲୀ: ଭାରତ ବନାମ ଇଂଲଣ୍ଡ ଟି-୨୦ ସିରିଜ୍‌ ଜାନୁଆରୀ ୨୨ରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ନଜରରେ ରଖି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଟିମ୍‌ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ । ସବୁଠୁ ବଡ଼ କଥା ହେଉଛି, ଷ୍ଟାର ବୋଲର ମହମ୍ମଦ ଶାମି ଦଳକୁ ଫେରିଛନ୍ତି । ଶାମି ଇଂଲଣ୍ଡ ବିପକ୍ଷରେ ବୋଲିଂ କରୁଥିବା ନେଇ ନଜର ଆସିବେ । ସଂଜୁ ସାମସନ, ଅଭିଷେକ ଶର୍ମା, ତିଳକ ବର୍ମା ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ଦଳରେ ମଉକା ମିଳିଛି । ଅକ୍ଷର ପଟେଲ ଉପ ଅଧିନାୟକ ରହିବେ । 

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଶନିବାର ରାତିରେ ଟି-୨୦ ସିରିଜ୍‌ ଲାଗି ଟିମ୍‌ ଘୋଷଣା କରିଛି । ଦିନିକିଆ ସିରିଜ୍‌ ଏବଂ ଚାମ୍ପିୟନ୍ସ ଟ୍ରଫି ପାଇଁ ପରେ ଟିମ୍‌ ଘୋଷଣା ହେବ ।  ଖାସ କଥା ହେଉଛି, ମହମ୍ମଦ ଶାମି ଦୀର୍ଘ ଦିନ ଧରି ଦଳରୁ ବାହାରେ ଥିଲେ । କିନ୍ତୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ତାଙ୍କର ବୋଲିଂ ଯାଦୁ ଦେଖିବାକୁ ମିଳିବ । ସେପଟେ ଭାରତର ଘାତକ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ ରବି ବିଷ୍ଣୋଇଙ୍କୁ ଦଳରେ ସୁଯୋଗ ମିଳିଛି । ଓ୍ବାସିଂଟନ ସୁନ୍ଦର ମଧ୍ୟ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । 

ଶୁଭମନ, ପନ୍ତ ଓ ଯଶସ୍ବୀ ଆଉଟ୍‌

ବସିସିଆଇ ଶୁଭମନ ଗିଲ୍‌ ଏବଂ ଋଷଭ ପନ୍ତଙ୍କୁ ବ୍ରେକ୍‌ ଦେଇଛି । ଏହି ଦୁଇ ଖେଳାଳି ଟି-୨୦ ଟିମ୍‌ରେ ନାହାନ୍ତି । କିନ୍ତୁ ଦିନିକିଆ ଏବଂ ଚାମ୍ପିୟନ୍ସ ଟ୍ରଫିରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଯଶସ୍ବୀ ଜୟସ୍ବାଲ ମଧ୍ୟ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି ।

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ଲାଗି ଭାରତୀୟ ଦଳ

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଂଜୁ ସାମସନ (ଓ୍ବିକେଟ କିପର), ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପ ଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଓ୍ବାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ (ଓ୍ବିକେଟ କିପର) 

 ସୂଚନାଯୋଗ୍ୟ, ଭାରତ ବନାମ ଇଂଲଣ୍ଡ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜାନୁଆରୀ ୨୨ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ କୋଲକାତାର ଇଡେନ୍‌ ଗାର୍ଡେନସ୍‌ରେ ଖେଳାଯିବ । ଦ୍ବିତୀୟ ମ୍ୟାଚ୍‌ ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମ୍‌ରେ ଜାନୁଆରୀ ୨୫ରେ ଖେଳାଯିବାର ଅଛି । ତୃତୀୟ ମ୍ୟାଚ୍‌ ଜାନୁଆରୀ ୨୮ରେ ରାଜକୋଟ ଷ୍ଟାଡିୟମ, ଚତୁର୍ଥ ମ୍ୟାଚ୍‌ ଜାନୁଆରୀ ୩୧ରେ ପୁଣେରେ ଖେଳାଯିବ । ସେହିଭଳି ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍‌ ଫେବୃଆରୀ ୨ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ । ଏହା ପରେ ଦୁଇ ଟିମ୍‌ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟି ଦିନିକିଆ ସିରିଜ୍‌ ଆରମ୍ଭ ହେବ । ପ୍ରଥମ ଦିନିକିଆ ମ୍ୟାଚ୍‌ ଫେବୃଆରୀ ୬ରେ ନାଗପୁରରେ ଖେଳାଯିବ । ଦ୍ବିତୀୟ ଦିନିକିଆ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୯ରେ ହେବ । ସେହିଭଳି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶେଷ ଦିନିକିଆ ମ୍ୟାଚ୍‌ ଖେଳିବେ ଭାରତ ଏବଂ ଇଂଲଣ୍ଡ କ୍ରିକେଟ ଟିମ୍‌ ।