ନୂଆଦିଲ୍ଲୀ,୧୫/୧: ଖୋ ଖୋ ବିଶ୍ବକପରେ ଭାରତର ଦମଦାର ପ୍ରଦର୍ଶନ ।  ଚଳିତ ପ୍ରଥମ ଖୋ ଖୋ ବିଶ୍ୱକପ୍‌ରେ ଭାରତୀୟ ପୁରୁଷ ଦଳ ବ୍ରାଜିଲକୁ ୬୪-୩୪ ପଏଣ୍ଟରେ ପରାସ୍ତ କରିଛି । ସେହପରି  ଭାରତୀୟ ମହିଳା ଦଳ ବୃହତ୍‌ ବିଜୟ ସହ ଅଭିଯାନ ଆରମ୍ଭ କରିଛି ।  ଦଳ ପ୍ରଥମ ମ୍ୟାଚ୍‌ରେ ୧୭୫-୧୮ ପଏଣ୍ଟରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି । 

ଖୋ ଖୋ ବିଶ୍ବକପରେ ଭାରତୀୟ ପୁରୁଷ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଦଳ ୬୪-୩୪ ପଏଣ୍ଟରେ ବ୍ରାଜିଲ୍‌କୁ ପରାଜିତ କରିଛି । ଦଳରେ ସାମିଲ ଥିବା ଓଡ଼ିଆ ଖେଳାଳି ପବନି ଶବର ଶ୍ରେଷ୍ଠ ଆଟାକର ପୁରସ୍କାର ପାଇଥିଲେ । ଆରମ୍ଭରୁ ବ୍ରାଜିଲ ଆଟାକିଂ ଆରମ୍ଭ କରିଥିଲା । ୧୬ ପଏଣ୍ଟ ଯାଏ ଦଳ ଦମଦାର ପ୍ରଦର୍ଶନ କରିଥିଲା । ମାତ୍ର ଭାରତୀୟ ଦଳ ଜବରଦସ୍ତ କମବ୍ୟାକ କରିଥିଲା। ବ୍ରାଜିକୁ ହରାଇବା ସହ ପଏଣ୍ଟ ଟେବୁଲ ଉପରକୁ ଉଠିଛି ଭାରତ । ଟର୍ଣ୍ଣ ଟୁ ରେ ଭାରତର ପ୍ରଦର୍ଶନ ଭଲ ଥିଲା । ଫଳରେ ଦଳରୁ ୩୬ ପଏଣ୍ଟ ମିଳିଥିଲା ।

ବିଜୟ ପରେ ଭାରତୀୟ ଦଳର ଅଧିନାୟକ ପ୍ରତୀକ ୱାଇକାର କହିଛନ୍ତି, ବହୁତ ଖୁସି ଅଛି । ପ୍ଲାନ ଅନୁସାରେ ଫିଲ୍ଡରେ ପ୍ରଦର୍ଶନ କରିଥିଲୁ । ପଏଣ୍ଟ ଟେବୁଲରେ ଶୀର୍ଷ ରହିବାକୁ ଲକ୍ଷ୍ୟ ରଖିଛୁ । ଆଗକୁ ଏହିପରି ପ୍ରଦର୍ଶନ ଜାରି ରହିବ । ଖୋ ଖୋ ବହୁତ ଆଗକୁ ଯିବ ।

ଅନ୍ୟପଟେ ବିଜୟରୁ ଖୋ ଖୋ ବିଶ୍ବକପ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ଦଳ । ପ୍ରଥମ ମ୍ୟାଚ୍‌ରେ ୧୭୫-୧୮ ପଏଣ୍ଟରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି ।  ଦଳ ପକ୍ଷରୁ ନସରିନ୍‌ ଶୈଫ୍‌, ପ୍ରିୟଙ୍କା ଇଙ୍ଗଲେ ପ୍ରଭାବୀ ଖେଳ ପ୍ରଦର୍ଶନ କରିଥିଲେ । ଭାରତର ନିର୍ମଳା ଭାଟି ଶ୍ରେଷ୍ଠ ଆଟାକର, ନସରିନ୍‌ ଶ୍ରେଷ୍ଠ ଖେଳାଳି ଏବଂ ଦକ୍ଷିଣ କୋରିଆର ଇସ୍ଥର କିମ୍‌ ଶ୍ରେଷ୍ଠ ଡିଫେଣ୍ଡର ବିବେଚିତ ହୋଇଥିଲେ । ଭାରତୀୟ ମହିଳା ଦଳରେ ଓଡ଼ିଶାରୁ ଶୁଭଶ୍ରୀ ସିଂହ ଓ ମାଗାଇ ମାଝୀ ସାମିଲ ରହିଛନ୍ତି ।