ନୂଆଦିଲ୍ଲୀ,୧୮/୦୭: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ  ଯାଉଥିବା ସଂସଦର ମୌସୁମୀ  ଅଧିବେଶନ ସମୟରେ ‘ଇଣ୍ଡିଆ’ର ସହଯୋଗୀଙ୍କ ମଧ୍ୟରେ ଏକତା  ବଢ଼ାଇବାକୁ କଂଗ୍ରେସ ବିରୋଧୀ  ନେତାମାନଙ୍କର ଏକ ସ୍ୱତନ୍ତ୍ର ବୈଠକ ଡାକିଛି । ଶନିବାର ଅର୍ଥାତ୍‌ ଜୁଲାଇ ୧୯  ତାରିଖ ସନ୍ଧ୍ୟା ୭ଟାରେ ଅନ୍‌ଲାଇନ  ମାଧ୍ୟମରେ ସେହି ବୈଠକ ଅନୁଷ୍ଠିତ  ହେବ । ଶୁକ୍ରବାର ନିଜ ସୋସିଆଲ  ମିଡିଆ ଏକ୍ସରେ ଏହି ସୂଚନା  ଦେଇଛନ୍ତି କଂଗ୍ରେସ ନେତା କେସି  ବେଣୁଗୋପାଳ । 

ସେଥିରେ କଂଗ୍ରେସ  ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ  ଗାନ୍ଧୀ ସାମିଲ ହେବେ । ସଂସଦର  ମୌସୁମୀ ଅଧିବେଶନ ସମୟରେ  କିଭଳି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ  ଘେରାଯିବ ସେଥିନେଇ ବୈଠକରେ ରଣନୀତି ପ୍ରସ୍ତୁତ ହେବ । ବିହାରରେ  ଭୋଟର ତାଲିକାର ରିଭିଜନ୍‌କୁ ନେଇ  ରାଜନୀତି ସରଗରମ ଥିବା ସମୟରେ  ଏହି ବୈଠକକୁ ମହତ୍ତ୍ୱପୂର୍ଣ୍ଣ ଭାବେ  ଦେଖାଯାଉଛି । 

ସୂଚନା ଅନୁସାରେ,  ଲୋକସଭାରେ ବିରୋଧୀ ଦଳର ନେତା  ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ  ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ସମେତ ଅନେକ ନେତାଙ୍କ  ସହ ଏ ସଂପର୍କରେ କଥା ହୋଇଛନ୍ତି ।  ତେବେ ବୈଠକରେ ଟିଏମ୍‌ସି ଓ ଆପ୍‌  ସାମିଲ ହେବେ ନାହିଁ। ଟିଏମ୍‌ସି ଜୁଲାଇ  ୨୧ରେ ସହିଦ ଦିବସ ପାଳନ କରୁଛି ।  ତା’ର ପ୍ରସ୍ତୁତି ଲାଗି ଦଳୀୟ ନେତା  ବ୍ୟସ୍ତ ରହିବେ । ସେହିପରି ଆପ୍‌  ଗୁଜରାଟ ଓ ଅନ୍ୟ ରାଜ୍ୟରେ ନିଜର  ପ୍ରଭାବ ବିସ୍ତାର ଅଭିଯାନରେ ଲାଗିଛି ।