ନୂଆଦିଲ୍ଲୀ,୩୧/୧୦: ବହୁଦିନ ପରେ ଶାନ୍ତ ପଡ଼ିଛି ଭାରତ-ଚୀନ୍‌ ସୀମା । ଡେପସାଙ୍ଗ ଓ  ଡେମଚୋକରେ ଉଭୟ ଦେଶର ସୈନ୍ୟ ପଛକୁ ହଟିବା ପ୍ରକ୍ରିୟା ଶେଷ ହେବା ପରେ ସେଠାରେ  ଶାନ୍ତି ବିରାଜମାନ କରିଛି । ଏମିତି କି ଖୁସିର  ଝଲକ ବି ଦେଖିବାକୁ ମିଳିଲାଣି । 

ଗୁରୁବାର ଆଲୋକର ପର୍ବ ଦୀପାବଳି ପାଳନ ପରିପ୍ରେକ୍ଷୀରେ ଉଭୟ ଦେଶର ସୈନ୍ୟ ପରସ୍ପରକୁ  ମିଠା ଖୁଆଇବେ । ପରସ୍ପରକୁ ଶୁଭେଚ୍ଛା ଜଣାଇବେ । ସେନା ଅପସାରଣ ପ୍ରକ୍ରିୟା ଶେଷ ହେବା ପରେ ପାଟ୍ରୋଲିଂ ଆରମ୍ଭ ପାଇଁ ପଥ ପରିଷ୍କାର  ହୋଇଛି । ପାଟ୍ରୋଲିଂକୁ ନେଇ ଗ୍ରାଉଣ୍ଡ କମାଣ୍ଡରଙ୍କ  ମଧ୍ୟରେ ଔପଚାରିକ ଭାବେ ଆଲୋଚନା ହେବ ।  ଗ୍ରାଉଣ୍ଡ କମାଣ୍ଡର ଭାବେ ବ୍ରିଗେଡିୟର ବା  ତା’ଠାରୁ କମ୍‌ ର‌୍ୟାଙ୍କ୍‌ର ଅଧିକାରୀ ଦାୟିତ୍ୱ ନିର୍ବାହ  କରିଥାନ୍ତି । ସେମାନଙ୍କ ମଧ୍ୟରେ ଆଲୋଚନା ହେବା  ପରେ ଖୁବଶୀଘ୍ର ପାଟ୍ରୋଲିଂ ଆରମ୍ଭ ହେବ । ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ରେ ପାଟ୍ରୋଲିଂକୁ ନେଇ ହୋଇଥିବା ବୁଝାମଣା  ସଂକ୍ରାନ୍ତରେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର  ଗତ ୨୭ ତାରିଖରେ କହିଥିଲେ କି ପ୍ରଥମ  ପର୍ଯ୍ୟାୟରେ ସେନା ଅପସାରଣକୁ ଗୁରୁତ୍ୱ  ଦିଆଯିବ । ଏହାପରେ ବିବାଦ କମାଇବା ଲାଗି  ଉଦ୍ୟମ ହେବ। ଚୀନ୍‌ ମଧ୍ୟ ଶାନ୍ତି ଚାହୁଁଥିବା  ନେଇ ଭାରତର ଯେତେବେଳେ ବିଶ୍ୱାସ ହେବ,  ସେତେବେଳେ ଯାଇ ବିବାଦ ଥମିବ । ବିବାଦ  ଶେଷ ହେବା ପରେ ସୀମାକୁ କିଭଳି ପରିଚାଳନା  କରାଯିବ, ତାହା ଉପରେ ଆଲୋଚନା ହେବ । 

ଉଲ୍ଲେଖଯୋଗ୍ୟ, ପୂର୍ବ ଲଦାଖରେ ଭାରତ  ଓ ଚୀନ୍‌ ମଧ୍ୟରେ ୪ ବର୍ଷ ହେଲା ସୀମା ବିବାଦ  ଲାଗିରହିଥିଲା । ଦୁଇବର୍ଷର ଲମ୍ବା ଆଲୋଚନା ପରେ  ନିକଟରେ ଆପୋସ ବୁଝାମଣା ହୋଇଛି । ଏହାଦ୍ୱାରା  ଉଭୟ ସେନା ବିବାଦୀୟ ପଏଣ୍ଟ ଡେପସାଙ୍ଗ ଓ  ଡେମଚୋକରୁ ପଛକୁ ହଟିଯାଇଛନ୍ତି । ୨୦୨୦ ପୂର୍ବର  ସ୍ଥିତି ଫେରିଆସିବା ନେଇ ଆଶା ଦେଖାଦେଇଛି ।  ଆଗକୁ କମାଣ୍ଡର ସ୍ତରୀୟ ବୈଠକ ଜାରି ରହିବ । ସୀମାରେ ଯାହା ବି ପରିସ୍ଥିତି ଉପୁଜିବ, ତାହାର  ସମାଧାନ ଦିଗରେ ସକାରାତ୍ମକ ପଦକ୍ଷେପ ନିଆଯିବ । ଦୁଇଦେଶ ମଧ୍ୟରେ ସହମତି ହେବା ପରେ  ଅକ୍ଟୋବର ୨୫ରେ ପୂର୍ବ ଲଦାଖସ୍ଥିତ ସୀମାଞ୍ଚଳରୁ  ସେନା ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।  ବୁଧବାର ଏହା ଶେଷ ହୋଇଛି । ଏମିତି କି  ଡେମଚୋକ ଓ ଡେପସାଙ୍ଗରେ ଉଭୟ ସେନା  ଲଗାଇଥିବା ତମ୍ବୁଗୁଡ଼ିକୁ ବି ହଟାଇ ନେଇଛନ୍ତି ।  ଗାଡ଼ି ଓ ସେନା ଉପକରଣ ବି ପଛକୁ ସ୍ଥାନାନ୍ତର  କରାଯାଇଛି । ପାଟ୍ରୋଲିଂ ନିମନ୍ତେ ସୀମିତ ସୈନ୍ୟଙ୍କ  ସଂଖ୍ୟା ସ୍ଥିର ହୋଇଯାଇଛି । ଏହି ସଂଖ୍ୟା କେତେ  ହେବ, ତାହା ନେଇ କିଛି ଜଣାପଡ଼ି ନାହିଁ ।