ନୂଆଦିଲ୍ଲୀ,୨୬/୧୦: ଦୁଇ ବନ୍ଧୁତା ମଧ୍ୟରେ ନୂଆ ଉଡ଼ାଣ । ପୁରୁଣା କଥା ଭୁଲି ଭାରତ-ଚୀନ ପୁଣି ବନ୍ଧୁତା କରିଛନ୍ତି । ୫ ବର୍ଷ ପରେ ଦୁଇ ଦେଶ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ସିଧାସଳଖ ବିମାନ ସେବା । କୋଲକାତାରୁ ଉଡ଼ାଣ ଆରମ୍ଭ କରି ଚୀନର ଗୁଆଙ୍ଗଝୋଉ ଯିବେ ଇଣ୍ଡିଗୋ ବିମାନ । ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପୁଣି ବିମାନ ସେବା ଚାଲିବ । ଚୀନ୍ ଏୟାରଲାଇନ୍ସର ଚାଇନା ଇଷ୍ଟର୍ଣ୍ଣ ଆରମ୍ଭ କରିବ ବିମାନ ସେବା ।
ନଭେମ୍ବର ୯ ତାରିଖରୁ ସଂଘାଇ ଏବଂ ଦିଲ୍ଲୀ ମଧ୍ୟରେ ୩ ଥର ସିଧା ସଳଖ ଫ୍ଲାଇଟ୍ ଚାଲିବ । ଅକ୍ଟୋବର ୨୬ ଅର୍ଥାତ ଆଜିଠୁ କୋଲକାତାରୁ ଗୁଆଙ୍ଗଝୋଉ ମଧ୍ୟରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ଅନୁସାରେ, ସଂଘାଇ-ଦିଲ୍ଲୀ ଫ୍ଲାଇଟ୍ ରହିବ ଯାହା ନଭେମ୍ବର ୯ରୁ ସପ୍ତାହରେ ୩ ଥର (ବୁଧବାର, ଶନିବାର ଏବଂ ରବିବାର) ଚାଲିବ । ବିମାନର ନାମ A330-200 ଏୟାରକ୍ରାପ୍ଟ । ଇଣ୍ଡିଗୋ- କୋଲକାତାରୁ ଗୁଆଙ୍ଗଝୋଉ ମଧ୍ୟରେ ଚାଲିବ । ଦିଲ୍ଲୀ- ଗୁଆଙ୍ଗଝୋଉ ନଭେମ୍ବର ୧୦ରୁ ଆରମ୍ଭ ହେବ ।
୫ ବର୍ଷ ପରେ ସିଧାସଳଖ ବିମାନ ସେବା- ବଡ଼ କଥା ହେଉଛି କି, ଭାରତ ଓ ଚୀନ ମଧ୍ୟରେ ସିଧା ସଳଖ ବିମାନ ସେବା ୫ ବର୍ଷରୁ ଅଧିକ ସମୟ ପରେ ଆରମ୍ଭ ହେବାକୁ ଯାଉଛି । ଏହି ନିଷ୍ପତ୍ତି ଦୁଇଦେଶର ସିଭିଲ ଏଭିଏସନ୍ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ହୋଇଛି । ସେବା ପୁଣି ଥରେ ଆରମ୍ଭ ହେବାରୁ ଭାରତ-ଚୀନ ଲୋଙ୍କ ମଧ୍ୟରେ ସମ୍ପର୍କ ଏବଂ ଆର୍ଥିକ-ବାଣିଜ୍ୟିକ ସହଯୋଗକୁ ନୂଆ ଗତି ମିଳିବ ।
କାହିଁକି ବନ୍ଦ ହୋଇଥିଲା ଭାରତ- ଚୀନ ମଧ୍ୟରେ ଉଡ଼ାଣ ? ୨୦୨୦ ମାର୍ଚ୍ଚରେ, କୋଭିଡ୍-୧୯ ମହାମାରୀ ବ୍ୟାପିବା ଯୋଗୁଁ ଭାରତ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲା । ସେହି ସମୟରେ, ଚୀନ୍ ମଧ୍ୟ ଏହାର ସୀମାରେ କଡ଼ା କଟକଣା ଜାରି କରିଥିଲା । ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବନ୍ଦ କରି ଦେଇଥିଲା । ତଥାପି, ମହାମାରୀ ପରେ ବି ବିମାନ ସେବା ଆରମ୍ଭ ହୋଇନଥିଲା । କାରଣ ୨୦୨୦ ମସିହାରେ ଗାଲୱାନ୍ ଉପତ୍ୟକାରେ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ଯୋଗୁଁ ସିଧାସଳଖ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହୋଇନଥିଲା । ଏହି ଘଟଣା ପରେ, ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହୋଇଗଲା । ଫଳରେ ଉଭୟ ପକ୍ଷରୁ ବିମାନ ଚଳାଚଳ ପୁଣି ଆରମ୍ଭ କରିବାକୁ କୌଣସି ପଦକ୍ଷେପ ନିଆଯାଇନଥିଲା ।