ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଝଟକା ଦେଇଛନ୍ତି ଭାରତ ସରକାର । ସଂପୃକ୍ତ ଅଧିକାରୀଙ୍କୁ ପର୍ସୋନା ନନ୍ ଗ୍ରାଟା ଘୋଷଣା କରିଛନ୍ତି ଭାରତ ସରକାର । ଅଧିକାରୀ ଜଣଙ୍କ ଏପରି କିଛି କାର୍ଯ୍ୟକଳାପରେ ଜଡ଼ିତ ଥିଲେ ଯାହା ତାଙ୍କ ପଦବୀ ଅନୁଯାୟୀ ଠିକ୍ ନଥିଲା ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି । ପାକିସ୍ତାନୀ ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ପାକିସ୍ତାନ ହାଇ କମିଶନର ଚାର୍ଜ ଡି' ଆଫେୟାର୍ସଙ୍କୁ ଏ ସମ୍ପର୍କରେ ଏକ "demarche" ଜାରି କରାଯାଇଛି । "demarche" ଅର୍ଥ ହେଉଛି ସରକାର ଏହି ବିଷୟରେ ପାକିସ୍ତାନକୁ ଆନୁଷ୍ଠାନିକ ଭାବରେ ପ୍ରତିବାଦ କରିଛନ୍ତି । ଏହି କାର୍ଯ୍ୟଗୁଡ଼ିକୁ ସହ୍ୟ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
ପର୍ସୋନା ନନ୍ ଗ୍ରାଟା ଏକ କୂଟନୈତିକ ଶବ୍ଦ, ଯାହାର ଅର୍ଥ କୌଣସି ବିଦେଶ କୂଟନୀତିଜ୍ଞଙ୍କୁ ଗୋଟିଏ ଦେଶ ଦ୍ୱାରା ଅଯୋଗ୍ୟ ଘୋଷଣା କରାଯିବ । ଏଭଳି ନିଷ୍ପତ୍ତି ସାଧାରଣତଃ ସେତେବେଳେ ନିଆଯାଇଥାଏ, ଯେତେବେଳେ କୌଣସି କୂଟନୀତିଜ୍ଞ ରହୁଥିବା ଦେଶର ସୁରକ୍ଷା, ସାର୍ବଭୌମତ୍ୱ କିମ୍ୱା ହିତ ବିରୋଧ କାର୍ଯ୍ୟରେ ଲିପ୍ତ ରୁହନ୍ତି । ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଦର୍ଶାଉଛି ଯେ ପାକିସ୍ତାନୀ ଅଧିକାରୀ ଏପରି ଗତିବିଧିରେ ସାମିଲ ଥାଇପାରନ୍ତି, ଯାହା ଭାରତ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବ ।
ଏହା ପୂର୍ବରୁ ଭାରତ ମେ ୧୩ରେ କଥିତ ଗୁଇନ୍ଦାଗିରି କରୁଥିବା ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଅଧିକାରୀ ଜଣଙ୍କୁ ୨୪ ଘଣ୍ଟା ଭିତରେ ଦେଶ ଛାଡ଼ିବାକୁ କୁହାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂରରେ ପାକିସ୍ତାନରେ ଥିବା ଆତଙ୍କୀ ଶିବିରଗୁଡ଼ିକୁ ମାଟିରେ ମିଶାଇ ଦେଇଥିଲା । ଏହାପରେ ପାକିସ୍ତାନ ସେନା ଭାରତ ଉପରେ ଆକ୍ରମଣ କରିଥିଲା । ପାକିସ୍ତାନର ପ୍ରତିଟି ଆକ୍ରମଣକୁ ବିଫଳ କରିବା ସହ ଉଚିତ୍ ଜବାବ ଦେଇଥିଲେ ଭାରତୀୟ ସେନା ।