ନୂଆଦିଲ୍ଲୀ,୦୧/ ୦୭: ୧୯ ବର୍ଷରୁ କମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି । ସୋମବାର ଦ୍ବିତୀୟ ଦିନିକିଆ ଖେଳାଯାଇଥିଲା । ଏହି ରୋମାଞ୍ଚକର ମୁକାବିଲାରେ ଭାରତ ୧ ୱିକେଟରେ ପରାସ୍ତ ହୋଇଛି । ୫୦ତମ ଓଭରର ତୃତୀୟ ବଲରେ ମ୍ୟାଚର ପରିଣାମ ଆସିଥିଲା । ବର୍ତ୍ତମାନ ସିରିଜ ୧-୧ ସ୍ଥିତିରେ ରହିଛି । ଆୟୋଜକ ଇଂଲଣ୍ଡ ଅଧିନାୟକ ଶତକ ହାସଲ କରି ଦଳକୁ ବିଜୟୀ କରାଇଥିଲେ ।

ଭାରତର ଇନିଂସ- ଦ୍ୱିତୀୟ ଦିନିକିଆରେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ୪୯ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୯୦ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୪୫ (୫ଚୌକା, ୩ଛକା), ବିହାନ ମଲହୋତ୍ରା ୪୯ (୬ଚୌକା), ଏମ୍‌ ଛାବଡ଼ା ୨୨, ଅଭିଜ୍ଞାନ କୁଣ୍ଡୁ ୩୨, ରାହୁଲ କୁମାର ୪୭, କନିଷ୍କ ଚୌହାନ ୪୫ରନ୍‌ କରିଥିଲେ । ଇଂଲଣ୍ଡ ପକ୍ଷରୁ ଆଲେକ୍ସ ଫ୍ରେଞ୍ଚ୍‌ ୪ଟି ୱିକେଟ୍‌ ନେଇଥିଲେ ।

ଇଂଲଣ୍ଡ ଇନିଂସ- ୨୯୧ରନର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଘରୋଇ ଦଳ । ଜବାବରେ ଇଂଲଣ୍ଡ ୩ଟି ବଲ୍‌ ବାକି ଥାଇ ୯ ୱିକେଟ୍‌ ବିନିମୟରେ ବିଜୟ ହାସଲ କରିଥିଲା । ଅଧିନାୟକ ଥୋମାସ୍‌ ରିଉ ୮୯ବଲ୍‌ରେ ୧୩୧ (୧୬ଚୌକା, ୬ଛକା), ରକି ଫ୍ଲିଣ୍ଟ୍‌ଫ ୩୯, ବେନ୍‌ ମାୟେସ୍‌ ୨୭, ସେବାଷ୍ଟିଆନ୍‌ ମୋର୍ଗାନ ଅପରାଜିତ ୨୦ରନ୍‌ କରିଥିଲେ । ଭାରତ ପକ୍ଷରୁ ଆର୍‌ଏସ୍‌ ଅମ୍ବ୍ରିସ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ । ୧୯ବର୍ଷରୁ କମ୍‌ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ୧ ୱିକେଟ୍‌ରେ ବିଜୟୀ ହେବା ସହ ସିରିଜ ବରାବର କରିଛି । 

ରୋମାଞ୍ଚକର ମୁକାବିଲା- ଦ୍ବିତୀୟ ଦିନିକିଆ ଖୁବ୍‌ ରୋମାଞ୍ଚକର ଥିଲା । ମ୍ୟାଚର ପ୍ରଥମ ପାଳିରେ ରୋମାଞ୍ଚ ଦେଖିବାକୁ ମିଳିଥିଲା । ପ୍ରଥମ ଓଭରରେ ୧୨ଟି ବଲ ପକାଇଥିଲେ ବୋଲର । ଗୋଟିଏ ୱିକେଟ ମିଳିଥିଲା ହେଲେ ୬ ବଲ୍ ବଦଳରେ ୧୨ଟି ବଲ ପଡିଥିଲା । ୧୦ ରନ୍‌ ଖର୍ଚ୍ଚ କରିଥିଲେ ବୋଲର । ଆଲେକ୍ସ ଫ୍ରେଞ୍ଚ୍‌ ୬ ୱାଇଡ ବଲ ପକାଇଥିଲେ । ପ୍ରଥମ ଦୁଇ ବଲ ୱାଇଡ ପକାଇବା ପରେ ପରବର୍ତ୍ତୀ ବଲରେ ଅଧିନାୟକ ଆୟୂଷ ମାତ୍ରୋ କ୍ଲିନ ବୋଲ୍ଡ ହୋଇଥିଲେ । ଆଲେକ୍ସ ଫ୍ରେଞ୍ଚ୍‌ ଏହି ମ୍ୟାଚରେ ମୋଟ ୪ଟି ୱିକେଟନ ନେଇଥିଲେ ।