ନୂଆଦିଲ୍ଲୀ,୨୧/୦୧: ଭାରତ ଏବଂ ୟୁରୋପୀୟ ସଂଘ ଶୀଘ୍ର ବାଣିଜ୍ୟ ଚୁକ୍ତିରେ ସାମିଲ ହେବେ । ଏହି ଡିଲ୍ ଐତିିହାସିକ ହେବାକୁ ଯାଉଛି ବୋଲି ୟୁରୋପୀୟ ସଂଘର ମୁଖ୍ୟ ଉର୍ସୁଲା ଭାନ କହିଛନ୍ତି । ଏହାଦ୍ୱାରା ୨୦୦ କୋଟି ଲୋକଙ୍କ ଲାଗି ନୂଆ ବଜାର ଖୋଲିବ । ଏହି ଦେଶ ଗୁଡ଼ିକ ବିଶ୍ୱ ଜିଡିପିକୁ ୨୫% ଯୋଗଦାନ ଦେଉଛନ୍ତି । ଉର୍ସୁଲା ଏହାକୁ ମଦର ଅଫ୍ ଅଲ୍ ଡିଲ୍ କହିଛନ୍ତି । ଡାଭୋସରେ ଅନୁଷ୍ଠିତ ୱାର୍ଲଡ ଇକୋନୋମିକ ଫୋରମ ବୈଠକରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି । ଚଳିତ ମାସ ୨୫ରୁ ୨୭ ଯାଏ ସେ ଭାରତ ଗସ୍ତ କରିବେ ।
୨୭ ଜାନୁଆରିରେ ଭାରତ ଇୟୁ ସମିଟ ଅବସରରେ ଏହି ଚୁକ୍ତି ସମ୍ପର୍କରେ ଘୋଷଣା କରାଯିବ । ସେ କହିଛନ୍ତି, ମୁଁ ଭାରତ ଗସ୍ତ କରୁଛି । ଆମେ ଏକ ଐତିହାସିକ ଚୁକ୍ତି ପଥରେ ରହିଛୁ । ଏହି ଡିଲ୍ ୟୁରୋପକୁ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଭାରତ ସହ କାରବାର କରିବାରେ ବଡ ପଦକ୍ଷେପ ହେବାକୁ ଯାଉଛି । ୨୦୨୩-୨୪ରେ ଭାରତ ୟୁରୋପ ଦ୍ୱିପାକ୍ଷିକ କାରବାର ୧୩୭.୪୧ ବିଲିୟନ ଡଲାର ରହିଛି । ଏହି ଚୁକ୍ତି ପରେ ଏହା ଦୁଇଗୁଣା ହେବାର ଢ଼େର ସମ୍ଭାବନା ରହିଛି । ୨୦୨୬-୩୦ ରଣନୀତି ଆଧାରରେ ଉଭୟ ପକ୍ଷ ଏହାକୁ ଘୋଷଣା କରିବେ ।
ଟ୍ରମ୍ପ ଟାରିଫ ଯୋଗୁ ଭାରତ ସହ ୟୁରୋପୀୟ ସଂଘର ୨୭ ଦେଶ ପ୍ରଭାବିତ ହୋଇଛି । ଏଭଳି ସମୟରେ ଭାରତ ଇୟୁ ଦ୍ୱିପାକ୍ଷୀକ କାରବାର ଦୃଢ଼ କରିବାକୁ ଘୋଷଣା କରିଛନ୍ତି । ଏଥର ଜାନୁଆରି ୨୬ କାର୍ଯ୍ୟକ୍ରମରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଏଣ୍ଟୋନିୟୋ କୋଷ୍ଟା ଏବଂ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭାନ ଡେର୍ ଲେୟେନ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଲିଡରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ସାମିଲ ହେବେ । ୨୦୦୭ରେ ଭାରତ-ଇୟୁ ପ୍ରଥମ ଥର ଲାଗି ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ପ୍ରୟାସ କରିଥିଲେ । ତେବେ ବିଭିନ୍ନ ମତଭେଦ କାରଣରୁ ୨୦୧୩ରେ ଏହାକୁ ରୋକି ଦିଆଯାଇଥିଲା । ପ୍ରାୟ ୯ ବର୍ଷ ପରେ ୨୦୨୨ରେ ଏହି ଆଲୋଚନା ପୁଣି ଥରେ ଆରମ୍ଭ ହେଲା ।