ନୂଆଦିଲ୍ଲୀ,୨୩/୦୨: କେନ୍ଦ୍ର ସରକାର ସିଗାରେଟ୍‌ ଏବଂ ତମାଖୁ ଭଳି ଅବଗୁଣକାରୀ ସାମଗ୍ରୀ ଉପରେ ସାମଗ୍ରୀ ଓ ସେବା ଟିକସ  (ଜିଏସ୍‌ଟି) ବଢ଼ାଇବା ନେଇ ବିଚାର  କରୁଛନ୍ତି । ଏବେ ଏହି ସାମଗ୍ରୀ ଗୁଡ଼ିକ ଉପରେ  ୨୮% ଜିଏସ୍‌ଟି ଲାଗୁଛି । ଏହାକୁ ୪୦%କୁ ବଢ଼ାଯାଇପାରେ । ତେବେ କ୍ଷତିପୂରଣ ସେସ୍‌  ଏବଂ ଅନ୍ୟ ଟିକସ ମିଶାଇଲେ ଏହି ସାମଗ୍ରୀ  ଗୁଡିକ ଉପରେ ଟିକସ ୫୩% ଯାଏ ବୃଦ୍ଧି ହେବାର  ଢ଼େର ସମ୍ଭାବନା ରହିଛି । ଆଗକୁ କ୍ଷତିପୂରଣ ସେସ୍‌ ହଟିଲେ ମଧ୍ୟ ତମାଖୁ ଜାତୀୟ ସାମଗ୍ରୀରୁ ମିଳୁଥିବା ଟିକସ ଅଂଶ ଯେଭଳି ନ ହ୍ରାସ ହୁଏ  ତାକୁ ଧ୍ୟାନରେ ରଖି ସରକାରଏଭଳି ନିଷ୍ପତ୍ତି  ନେଇ ପାରନ୍ତି ବୋଲି କୁହାଯାଉଛି ।  

୨୦୨୬ ମାର୍ଚ୍ଚ ୩୧ରେ ଶେଷ ହେବାକୁ ଯାଉଛି  କ୍ଷତିପୂରଣ ସେସ୍‌ । ଏହି ସେସ୍‌ ବଦଳରେ  ଅନ୍ୟ କୌଣସି ଟିକସ ଆଣିବାକୁ ଚାହୁଁନାହାନ୍ତି  ସରକାର । ୨୦୨୬ ମାର୍ଚ୍ଚ ପରେ କ୍ଷତିପୂରଣ  ସେସ୍‌ର ଭବିଷ୍ୟତ କଣ ହେବ ସେ ନେଇ ଏକ  ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ବିଚାର କରୁଛି । ରିପୋର୍ଟ  ଦେବା ପୂର୍ବରୁ କମିଟି ଏହାର ବିକଳ୍ପ କଣ ହେବ  ସେ ନେଇ ମଧ୍ୟ ବିଚାର କରିବ । ଏ ନେଇ ଚୂଡାନ୍ତ  ନିଷ୍ପତ୍ତି ଜିଏସ୍‌ଟି ପରିଷଦ ଗ୍ରହଣ କରିବ ବୋଲି  ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି।