ନୂଆଦିଲ୍ଲୀ : ଫାଇଟର ଜେଟ୍‌ର ଇଞ୍ଜିନ ତିଆରି କରିବା ଖୁବ୍‌ ମୁସ୍କିଲ କାମ। ଏଥିପାଇଁ ମେକାନିକଲ ,ମେଟଲର୍ଜିକାଲ ଓ ଇଲେକ୍ଟ୍ରିକାଲ ଭଳି ଇଞ୍ଜିନିୟରିଂ କ୍ଷେତ୍ରରେ ବିଶେଷଜ୍ଞତାର ଆବଶ୍ୟକ ହୋଇଥାଏ। ଭାରତ ୧୯୮୯ ମସିହାରେ କାବେରୀ  ନାମରେ ଏକ ଜେଟ୍‌ ଇଞ୍ଜିନ ବିକଶିତ କରିବାର ଚେଷ୍ଟା କରିଥିଲା, କିନ୍ତୁ ସେ ସଫଳ ହୋଇ ପାରି ନଥିଲା। ୧୯୯୦ ଦଶକରେ ଯେବେ ଭାରତ ଆର୍ଥିକ ସୁଧାରର ଦିଗରେ ଆଗକୁ ବଢୁଥିଲା , ପରମାଣୁ ପରୀକ୍ଷଣ କରୁଥିଲା ଏବଂ ବୈଶ୍ୱିକ ସ୍ତରରେ ନିଜର ସ୍ଥିତି ମଜବୁତ କରୁଥିଲା , ଏହି ସମୟରେ ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନ ଏକ ସ୍ୱଦେଶୀ ସେନା ଜେଟ୍‌ ଇଞ୍ଜିନ ତିଆରି କରିବା ଦିଗରେ କାମ କରିବା ଆରମ୍ଭ କଲା। ଏହି ଇଞ୍ଜିନର ନାଁ କାବେରୀ ରଖା ଯାଇଥିଲା। ଯାହା ଦକ୍ଷିଣ ଭାରତର ଏକ ପ୍ରସିଦ୍ଧ ନଦୀର ନାମରେ ଆଧାରିତ।

ସ୍ୱଦେଶୀକରଣ ହେଉଛି ଭାରତର ଏକ ବଡ଼ ସ୍ୱପ୍ନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ତଥା ପୂର୍ବବର୍ତ୍ତୀ ସରକାରମାନେ ଏହି ସିଦ୍ଧାନ୍ତର ପାଳନ କରିଥାନ୍ତି କି ଦେଶରେ ହିଁ ଅତ୍ୟାଧୁନିକ ଟେକନିକ୍‌ର ବିକାଶ କରାଯାଉ। ସେନା ଜେଟ୍‌ ଇଞ୍ଜିନ ତିଆର କରିବା ଏହି ଦେଶରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, କାରଣ ଏହା ଏକ ଖୁବ୍‌ ଜଟିଳ ପ୍ରକ୍ରିୟା , ଯାହାକୁ ତିଆରି କରିବା ପାଇଁ ଅନେକ ଦଶକର ଅଭିଜ୍ଞତାର ଆବଶ୍ୟକତା ରହିଥାଏ। 

ଦୁନିଆରେ କେବଳ ୫ଟି ଦେଶ ହିଁ ଏମିତି ଅଛନ୍ତି , ଯାହାଙ୍କ ପାଖରେ ଏହି ପ୍ରକାରର ଆଡଭାନ୍ସ ଇଞ୍ଜିନ ତିଆରି କରିବାରେ ଦକ୍ଷତା ରହିଛ।ଏହି ଦେଶ ଗୁଡ଼ିକ ହେଲେ  ଆମେରିକା , ବ୍ରିଟେନ , ଫ୍ରାନ୍ସ , ରୁଷ୍‌ ଓ ଚୀନ। ଅର୍ଥାତ୍ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଭିଟୋ ପାୱାର ରଖୁଥିବା ସ୍ଥାୟୀ ସଦସ୍ୟ ହିଁ ଏବେ ଜେଟ୍‌ ଇଞ୍ଜିନ ତିଆରି କରି ପାରିବେ। ନିକଟରେ ଚୀନ୍‌ ମଧ୍ୟ ଏହି ଦିଗରେ ପଦକ୍ଷେପ ବଢାଇ ଏକ ସ୍ୱଦେଶୀ ଇଞ୍ଜିନ ସହ ଫାଇଟର ବିମାନର ପରୀକ୍ଷଣ କରିଛି , କିନ୍ତୁ ଏବେସୁଦ୍ଧା ସେ ରୁଷ୍‌ର ଉପକରଣ ଗୁଡ଼ିକ ଉପରେ ନିର୍ଭରଶୀଳ। 

ଫାଇନାନ୍ସିଆଲ ଟାଇମ୍ସ ( ଏଫଟି)ର ରିପୋର୍ଟ ମୁତାବିକ , ଭାରତ ମଧ୍ୟ ଏହି ଏଲିଟ୍ କ୍ଲବ୍‌ରେ ସାମିଲ ହେବାର ଚେଷ୍ଟ କରିଛି , କିନ୍ତୁ ବର୍ଷ ବର୍ଷର ରିସର୍ଚ୍ଚ ଓ ଟେଷ୍ଟିଂ ସତ୍ତ୍ୱେ, କାବେରୀ ଇଞ୍ଜିନ ଆଶାକୁ ସଫଳ କରି ନଥିଲା। ଏହି ଇଞ୍ଜିନ ତେଜସ ଲାଇଟ୍ କାମ୍ୱେଟ୍‌ ଏୟାରକ୍ରାଫ୍ଟ ପାଇଁ ପର୍ଯ୍ୟାପ୍ତ ଥ୍ରଷ୍ଟ ଦେବାରେ ବିଫଳ ହୋଇଥିଲା। ଏବେ ଭାରତର ଯୋଜନା ଏହି ଇଞ୍ଜିନର ବ୍ୟବହାର ଭବିଷ୍ୟତର ମାନବ ରହିତ ଏରିଏସ ଭାଇକଲ୍‌ ( ୟୁଏଭି)ରେ କରିବାକୁ ଅଛି। 

ହେଲେ ଭାରତର ସ୍ୱଦେଶୀ ସେନା ଜେଟ୍‌ ଇଞ୍ଜିନ ତିଆରି କରିବାର ମିଶନ ସରି ନାହିଁ। କାବେରୀ ଇଞ୍ଜିନରୁ ପ୍ରାପ୍ତ ଅଭିଜ୍ଞତା ଓ ଭୁଲ୍‌ରୁ ମିଳିଥିବା ଶିକ୍ଷା ଏବେ ନୂଆ ସମ୍ଭାବନା ଗୁଡ଼ିକର ମାର୍ଗ ପ୍ରଶସ୍ତ କରିଛି। ଭାରତ ଏବେ ଏକ ବିଶ୍ୱସ୍ତରୀୟ ମେଡ୍‌ ଇନ୍‌ ଇଣ୍ଡିଆ  ଜେଟ୍‌ ଇଞ୍ଜିନ ତିଆରି କରିବା ଦିଗରେ ଅଗ୍ରସର ହେଉଛି, ଯେଉଁଥିରେ ଏକ ପଶ୍ଚିମୀ ପାର୍ଟନରସିପ୍‌ର ଟେକ୍ନିକାଲ ସାହାଯ୍ୟରେ ଏହି କାମ ପୂରା କରାଯିବ।

ରିପୋର୍ଟ ମୁତାବିକ, ୩ ପ୍ରମୁଖ କମ୍ପାନୀ ଏହି ମହତ୍ତ୍ୱପୂର୍ଣ୍ଣ କଣ୍ଟ୍ରାକ୍ଟ ପାଇଁ ଭାରତ ସହ ପାର୍ଟନରସିପ୍‌ କରିବାର ଦୌଡ଼ରେ ସାମିଲ ଅଛନ୍ତି। ଏହି କମ୍ପାନୀମାନେ ଆମେରିକାର ଜେନେରାଲ ଇଲେକ୍ଟ୍ରିକ୍‌ , ବ୍ରିଟେନ୍‌ର ରୋଲ୍ସ-ରୟସ୍‌ ଓ ଫ୍ରାନ୍ସର ସଫ୍ରାନ। ଭାରତ ସହ ଏହି ସହଯୋଗ କେବଳ ପ୍ରତିରକ୍ଷା ଉଦ୍ୟୋଗ ନୁହେଁ , ବରଂ ନାଗରିକ ଉଦ୍ୟୋଗ ଗୁଡ଼ିକରେ ମଧ୍ୟ ଲମ୍ୱା ପାର୍ଟନରସିପ୍‌ର ଆଧାର ହୋଇପାରେ।