ଇସ୍ଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କର ସ୍ୱତନ୍ତ୍ର ସହାୟକ ରାଣା ସାନାଉଲ୍ଲାହ ଖାନ ଏକ ସାକ୍ଷାତକାରରେ ଏକ ବିସ୍ପୋରକ ତଥ୍ୟର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଭାରତର ‘ଅପରେସନ ସିନ୍ଦୁର’ ସମୟରେ ବ୍ରହ୍ମୋସ କ୍ରୁଜ ମିସାଇଲ ଆକ୍ରମଣ ହେବା ପରେ ପାକିସ୍ତାନର ପ୍ରତିରକ୍ଷା ବିଭାଗ ମାତ୍ର ୩୦ ରୁ ୪୫ ସେକେଣ୍ଡ ମଧ୍ୟରେ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲା। ଏହି ମିସାଇଲ ନୂର ଖାନ ଏୟାରବେସକୁ ଟାର୍ଗେଟ କରିଥିଲା, ଯାହା ରାୱାଲପିଣ୍ଡିର ଚକଲାଲାଠାରେ ଅବସ୍ଥିତ ଏକ ପ୍ରମୁଖ ପାକିସ୍ତାନ ବାୟୁସେନା ଘାଟି। 

ସାନାଉଲ୍ଲାହ କହିଛନ୍ତି, “ଯେତେବେଳେ ଭାରତ ବ୍ରହ୍ମୋସ ମିସାଇଲ ନୂର ଖାନ ଏୟାରବେସ ଉପରେ ପ୍ରୟୋଗ କଲା, ଆମ ପାଖରେ ମାତ୍ର ୩୦-୪୫ ସେକେଣ୍ଡରେ ନିଷ୍ପତ୍ତି ନେବାକୁ ପଡ଼ିଥିଲା ଯେ ଏହା ପରମାଣୁ ଅସ୍ତ୍ର ବହନ କରୁଛି କି ନାହିଁ। ଏପରି ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ଥିଲା।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଆକ୍ରମଣ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ଏକ ପୂର୍ଣ୍ଣାଙ୍ଗ ପରମାଣୁ ଯୁଦ୍ଧର ଆଶଙ୍କା ଉପୁଜିଥିଲା।

ଏହି ଘଟଣା ଚଳିତ ବର୍ଷ ଏପ୍ରିଲ ୨୨ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ନିଆଯାଇ ଥିଲା। ଭାରତ ମେ ୭ ତାରିଖରେ ‘ଅପରେସନ ସିନ୍ଦୁର’ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ବିଭିନ୍ନ ଆତଙ୍କବାଦୀ ଶିବିର ଏବଂ ସାମରିକ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲା। ସୂତ୍ର ଅନୁସାରେ, ଭାରତୀୟ ବାୟୁସେନା ସୁ-୩୦ ଏମକେଆଇ ଜେଟରୁ ପ୍ରାୟ ୧୫ଟି ବ୍ରହ୍ମୋସ ମିସାଇଲ ପ୍ରୟୋଗ କରିଥିଲା। ଯାହା ପାକିସ୍ତାନର ଚୀନ ନିର୍ମିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ବାଇପାସ କରି ନୂର ଖାନ ସମେତ ଅନ୍ୟ ପ୍ରମୁଖ ଘାଟିଗୁଡ଼ିକୁ ଆଘାତ ହାନିଥିଲା।




ସାନାଉଲ୍ଲାହ ଦାବି କରିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସଙ୍କଟ ସମୟରେ ମଧ୍ୟସ୍ଥତା କରି ଯୁଦ୍ଧବିରତି ପାଇଁ ସାହାଯ୍ୟ କରିଥିଲେ। ସେ କହିଛନ୍ତି, “ଟ୍ରମ୍ପଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ତ୍ୱପୁର୍ଣ୍ଣ ଥିଲା। ତାଙ୍କ ହସ୍ତକ୍ଷେପ ବିଶ୍ୱକୁ ଏକ ବିପର୍ଯ୍ୟୟରୁ ରକ୍ଷା କରିଛି।” ତେବେ, ଭାରତ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବିକୁ ଅସ୍ୱୀକାର କରିଛି। ଭାରତର ଦାବି ଅନୁସାରେ, ପାକିସ୍ତାନର ଡାଇରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ସ (ଡିଜିଏମଓ) ମେ ୧୦ରେ ଭାରତୀୟ ପକ୍ଷ ସହିତ ସମ୍ପର୍କ ସ୍ଥାପନ କରି ଯୁଦ୍ଧବିରତି ପାଇଁ ଆଲୋଚନା କରିଥିଲେ।

ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଦାର ମଧ୍ୟ ପୂର୍ବରୁ ସ୍ୱୀକାର କରିଛନ୍ତି ଯେ ଭାରତ ଦୁଇଟି ପ୍ରମୁଖ ଏୟାରବେସ ଉପରେ ଆକ୍ରମଣ କରିଥିଲା। ସେ ଦାବି କରିଛନ୍ତି ଯେ, ସୌଦି ରାଜକୁମାର ଫୈସଲ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଫୋନ କରି ପାକିସ୍ତାନର ଆତ୍ମସମର୍ପଣର ବାର୍ତ୍ତା ପହଞ୍ଚାଇଥିଲେ। ତେବେ, ପାକିସ୍ତାନର ପ୍ରାରମ୍ଭିକ ଅସ୍ୱୀକାର ସତ୍ତ୍ୱେ ସାନାଉଲ୍ଲାହଙ୍କ ବୟାନ ଏହା ସ୍ପଷ୍ଟ କରୁଛି ଯେ ଭାରତର ଆକ୍ରମଣ ପାକିସ୍ତାନର ସାମରିକ ଓ ରାଜନୈତିକ ନେତୃତ୍ୱକୁ ହତବାକ କରି ଦେଇଥିଲା।

ନୂର ଖାନ ଏୟାରବେସ, ଯାହା ଇସ୍ଲାମାବାଦଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ବେସ୍ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ କେନ୍ଦ୍ର ଭାବେ କାମ କରେ। ଏହା ପାକିସ୍ତାନ ବାୟୁସେନାର ଟ୍ରାନ୍ସପୋର୍ଟ ସ୍କ୍ୱାଡ୍ରନ, ଏୟାରିଆଲ ରିଫ୍ୟୁଏଲିଂ ଏକକ ଏବଂ ପିଏଏଫ କଲେଜ ଚକଲାଲାର ଆବାସ ସ୍ଥଳ। ସେଟେଲାଇଟ ଚିତ୍ର ଅନୁସାରେ, ଏହି ଆକ୍ରମଣରେ ହ୍ୟାଙ୍ଗାର, ରନୱେ ଏବଂ ରାଡାର ସାଇଟଗୁଡ଼ିକରେ ବ୍ୟାପକ କ୍ଷତି ହୋଇଥିଲା।