ନୂଆଦିଲ୍ଲୀ,୧୪/୧୦: ଟାରିଫ୍ ଟେନ୍ସନ ଭିତରେ ଅଟକିଛି ଟ୍ରେଡ୍ ଡିଲ୍ । ଘଡି ଘଡ଼ିକେ ବଦଳୁଛି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ ମୁଡ୍ । ଐତିହାସିକ ଗାଜା ଶାନ୍ତି ଚୁକ୍ତି ସ୍ବାକ୍ଷର ଅବସରରେ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ତାହା ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ଙ୍କ ସାମ୍ନାରେ । ଭାରତ ଏକ ମହାନ ଦେଶ । ଯେଉଁଠି ମୋର ଭଲ ବନ୍ଧୁ ପିଏମ୍ ମୋଦି ନେତୃତ୍ୱ ନେଉଛନ୍ତି ବୋଲି କହିଛନ୍ତି ଟ୍ରମ୍ପ । ଏହି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ତାଳି ମାରୁଥିବାର ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।
ଗାଜା ଶାନ୍ତି ଚୁକ୍ତି ସମ୍ମିଳନୀରେ ଇଜିପ୍ଟରେ ବିଶ୍ୱ ନେତାଙ୍କୁ ସମ୍ବୋଧନ କରି ଭାରତକୁ ଭୁରି ଭୁରି ପ୍ରଶଂସା କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, '' ଭାରତ ଏକ ମହାନ୍ ଦେଶ । ଯାହାର ନେତୃତ୍ୱ ନେଉଛନ୍ତି ମୋର ଜଣେ ବହୁତ୍ ଭଲ ବନ୍ଧୁ । ସେ ଏକ ଚମତ୍କାର କାମ କରିଛନ୍ତି । ମୋତେ ଲାଗୁଛି କି, ଭାରତ ଓ ପାକିସ୍ତାନ ଖୁବଶୀଘ୍ର ବହୁତ ଭଲ ଭାବେ ଏକାଠୀ ରହିବେ ।'' ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଶଂସା କରିବାର ସବୁଠୁ ଖାସ୍ କଥା ହେଉଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଠିକ୍ ତାଙ୍କ ପଛରେ ଛିଡ଼ା ହୋଇଥିଲେ । ଆଉ ସେ ତାଳି ମାରୁଥିବା ଦେଖିବାକୁ ମିଳିଛି । ମୋଦିଙ୍କ ପ୍ରଶଂସା କରିବା ସମୟରେ ଟ୍ରମ୍ପ ପଛକୁ ବୁଲି ଶେହବାଜଙ୍କୁ ଚାହିଁଥିଲେ । ଏହି ସମୟରେ ଶେହବାଜ ହସ ହସ ମୁହଁରେ ଟ୍ରମ୍ପଙ୍କ କଥାକୁ ସ୍ବାଗତ କରିଥିଲେ ।
#WATCH | Egypt | US President Donald Trump says, "India is a great country with a very good friend of mine at the top and he has done a fantastic job. I think that Pakistan and India are going to live very nicely together..."
— ANI (@ANI) October 13, 2025
(Video source: The White House/YouTube) pic.twitter.com/rROPW57GCO
କହି ରଖୁଛୁ କି, ଦୁଇ ବର୍ଷର ଲମ୍ବା ଲଢ଼େଇ ପରେ ଶାନ୍ତ ପଡ଼ିଛି ଗାଜା । ଗାଜା ଯୁଦ୍ଧର ଅନ୍ତ ଘଟିଛି, ନୂଆ ସକାଳ ଦେଖିଛି ମଧ୍ୟପ୍ରାଚ୍ୟ । ବୋମା-ମିସାଇଲ ମାଡ଼ର ପ୍ରଚଣ୍ଡ ଶବ୍ଦରୁ ତ୍ରାହି ପାଇଛନ୍ତି ପାଲେଷ୍ଟିନୀୟ । ଶାନ୍ତି ପ୍ରସ୍ତାବରେ ହମାସ୍ ଏବଂ ଇସ୍ରାଏଲ ରାଜି ହେବା ପରେ ସୋମବାର ଆତଙ୍କୀଙ୍କ କବ୍ଜାରୁ ଜୀବନ୍ତ ଅବସ୍ଥାରେ ମୁକୁଳିଛନ୍ତି ୨୦ ଇସ୍ରାଏଲ ନାଗରିକ । ଏହା ପରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ନେଇ ଇଜିପ୍ଟ ଗସ୍ତ କରିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେଠାରେ ଗାଜା ଶାନ୍ତି ଚୁକ୍ତି ସମ୍ମିଳନୀରେ ସମ୍ବୋଧନ କରି ଭାରତକୁ ପ୍ରଶଂସା କରିଛନ୍ତି ।