ନୂଆଦିଲ୍ଲୀ,୧୭।୯: ନାଟୋ ଦେଶ ସହିତ ବଢୁଛି ରୁଷର ବିବାଦ। ଏହାକୁ ଦୃଷ୍ଟିରେ ରଖି  ଆରମ୍ଭ ହୋଇଛି ୫ ଦିନିଆ ସମରାଭ୍ୟାସ ।ରୁଷ ଓ ବେଲାରୁଷ ଏହାର ନେତୃତ୍ବ ନେଇଛନ୍ତି। ଏହି ବିଶାଳ ସାମରିକ ଅଭିଯାନର  ନାଁ ରହିଛି ‘ଜାପଦ-୨୦୨୫’। ଅଭିଯାନରେ ବହୁ ଦେଶ ଭାଗ ନେଇଛନ୍ତି, କିନ୍ତୁ ଭାରତୀୟ ସେନା ଭାଗିଦାରୀ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଭାରତ ଏଥିପାଇଁ ନିଜର ୬୫ ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ପଠାଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ନିଜେ ସ୍ପଷ୍ଟ କରିଛି।

 ସାମରିକ ଅଭିଯାନରେ ବିଭିନ୍ନ ଦେଶର ପ୍ରାୟ  ୧ ଲକ୍ଷ ସୈନିକ ଯୋଗ ଦେଇଛନ୍ତି।  ରୁଷରେ ଚାଲିଥିବା ବିଶାଳ ସମରାଭାସ୍ୟରେ ଭାଗ ନେଇଛନ୍ତି ଭାରତୀୟ ସୈନିକ। ଭାରତ ପକ୍ଷରୁ ସବୁଠାରୁ ସମ୍ମାନିତ କୁମାଉଁ ରେଜିମେଣ୍ଟର ଏକ ଟିମ୍ ରୁଷ ଯାଇଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ଏହି ଭାଗିଦାରୀର ଉଦେଶ୍ୟ ରୁଷ ସହ  ଭାରତର ସହଯୋଗ ଓ ବିଶ୍ବାସର ଭାବନାକୁ ମଜବୁତ କରିବା।। ଭାରତ ବ୍ୟତୀତ ଇରାନ, ବାଂଲାଦେଶ, ବୁର୍କିନଫାସୋ, କଙ୍ଗୋ ଓ ମାଲିର ସୈନିକ ମଧ୍ୟ ଏଥିରେ ଭାଗ ନେଇଛନ୍ତି। ତେବେ ଆମେରିକାର ୫୦% ଟାରିଫ୍ ଲାଗୁ ପରେ ଭାରତୀୟ ସେନା ଏଥିରେ ସାମିଲ ହେବା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ଚିନ୍ତା ବଢାଇପାରେ। କାରଣ ରୁଷଠାରୁ ଭାରତର ତୈଳ ଆମଦାନୀ ଓ ଯୁଦ୍ଧାସ୍ତ୍ର କ୍ରୟକୁ ନେଇ ଆମେରିକା ଆପତ୍ତି ପ୍ରକାଶ କରିଥିଲା। ୟୁକ୍ରେନ ସହ ଯୁଦ୍ଧ ପାଇଁ ରୁଷକୁ ଭାରତ ଫଣ୍ଡିଂ କରୁଛି ବୋଲି ଟ୍ରମ୍ପ ପ୍ରଶାସନ ସଙ୍ଗୀନ ଅଭିଯୋଗ କରିଥିଲା। ଏପରିକି ଏସସିଓ ସମ୍ମିଳନୀରେ ଭାରତ-ରୁଷ ଓ ଚୀନ୍‌ ଭିତରେ ବଢୁଥିବା ବନ୍ଧୁତ୍ବକୁ ଦେଖି ବିଚଳିତ ହୋଇ ପଡିଥିଲେ ଟ୍ରମ୍ପ । 

ରୁଷରେ ଚାଲିଥିବା ଏହି ସମରାଭାସ୍ୟକୁ ସମୀକ୍ଷା କରିବାକୁ ମଧ୍ୟ ଆମେରିକୀୟ ଅଧିକାରୀ ପହଁଞ୍ଚିଥିଲେ। ୨୦୨୨ରେ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରେ ପ୍ରଥମ ଥର ଆମେରିକୀୟ ଅଧିକାରୀ ରୁଷର ନିମନ୍ତ୍ରଣ ସ୍ବୀକାର କରିଛନ୍ତି। କାର୍ଯ୍ୟକ୍ରମରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସେନା ପୋଷାକରେ ନଜର ଆସିଥିଲେ। ଏହି ଯୁଦ୍ଧ ଅଭ୍ୟାସ ଏଭଳି ସମୟରେ ହୋଇଛି ଯେତେବେଳେ ନାଟୋ ଦେଶ ପୋଲାଣ୍ଡ ଦାବି କରିଛି , ସେ ନିଜ ସୀମାରେ ରୁଷ ଡ୍ରୋନ୍‌କୁ ଆକ୍ରମଣର କରି ଖସାଇ ଦେଇଛି। କ୍ରେମାଲିନ୍ ଏହି ଯୁଦ୍ଧଭ୍ୟାସ ନେଇ କହିଛି ରୁଷ ଓ ବେଲାରୁଷର ୪୧ ଟି ଟ୍ରେନିଂ ସାଇଟ୍‌ରେ ହୋଇଛି। ଏଥିରେ ୩୩୩ ବିମାନ ଓ ୨୪୭ ନୌସେନାର ଯୁଦ୍ଧ ଜାହାଜ ଥିଲା