ନୂଆଦିଲ୍ଲୀ: ଓମାନ ଉପକୂଳରେ ଭାରତୀୟ ନାବିକ ମାନଙ୍କୁ ନେଇ ଯାଉଥିବା ଜାହାଜ ଉପରେ ଲଗାତାର ଆକ୍ରମଣକୁ ନେଇ ଭାରତ କାର୍ଯ୍ୟକାରୀ ଆମେରିକୀୟ ରାଷ୍ଟ୍ରଦୂତ ଜଶନ ମିକ୍ସଙ୍କୁ ସମନ କରିଛି। ସେ ପ୍ରାୟ ୪୫ ମିନିଟ୍ ପାଇଁ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ରହିଥିଲେ ଏବଂ ତା’ପରେ ସେଠାରୁ ଚାଲିଯାଇଥିଲେ। ନିକଟରେ ୨୦ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ ଅନ୍ୟ ଏକ ଜାହାଜ ଉପରେ ଆକ୍ରମଣ ହୋଇଥିଲା। ଏହା ଚାରି ଦିନ ମଧ୍ୟରେ ଭାରତୀୟ ନାବିକ ମାନଙ୍କୁ ନେଇ ତୃତୀୟ ଘଟଣା। ଭାରତ ଏହାର ଦୃଢ଼ ପ୍ରତିବାଦ ଜଣାଇବା ପାଇଁ ଆମେରିକୀୟ ଅଧିକାରୀଙ୍କୁ ସମନ କରିଛି ।
ଆମେରିକୀୟ କୂଟନୀତିଜ୍ଞଙ୍କୁ ପୁଣିଥରେ ସମନ କରାଯାଇଛି...
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବଙ୍କ ଦ୍ୱାରା ଆମେରିକୀୟ କୂଟନୀତିଜ୍ଞଙ୍କୁ ଆଲୋଚନା ପାଇଁ ସମନ କରାଯାଇଛି। ଏହି ପ୍ରସଙ୍ଗରେ ଭାରତ ଦ୍ୱିତୀୟ ଥର ପାଇଁ ଜଣେ ଆମେରିକୀୟ ଦୂତାବାସ ଅଧିକାରୀଙ୍କୁ ସମନ କରିଛି। ବାଣିଜ୍ୟ ଜାହାଜ ଉପରେ କ୍ରମାଗତ ଆକ୍ରମଣ ପରେ, ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ (DGS) ହର୍ମୁଜ୍ ପ୍ରଣାଳୀ, ଓମାନ ଉପସାଗର ଏବଂ ଆଖପାଖ ଜଳସାଗରରେ କାର୍ଯ୍ୟରତ ପ୍ରାୟ ୧୮ ହଜାର ଭାରତୀୟ ନାବିକଙ୍କ ପାଇଁ ଏକ ନୂତନ ସାମୁଦ୍ରିକ ସୁରକ୍ଷା ପରାମର୍ଶ ଜାରି କରିଥିଲା। ଆଡଭାଇଜରୀ ଜାରି ହେବାର କିଛି ଘଣ୍ଟା ପରେ ଆମେରିକୀୟ କୂଟନୀତିଜ୍ଞଙ୍କୁ ସମନ କରାଯାଇଥିଲା।
ଭାରତୀୟ କ୍ରୁ ସଦସ୍ୟ ମାନଙ୍କୁ ନେଇ ଯାଉଥିବା ଜାହାଜ ଗୁଡ଼ିକୁ ଟାର୍ଗେଟ କରାଯାଇଥିବା ତିନୋଟି ସାମ୍ପ୍ରତିକ ଘଟଣା ପରେ ଏହି ସୁରକ୍ଷା ପରାମର୍ଶ ଜାରି କରାଯାଇଥିଲା। ଏହି ଘଟଣା ଗୁଡ଼ିକରେ ଓମାନ ଉପକୂଳରେ ଆକ୍ରମଣ ଅନ୍ତର୍ଭୁକ୍ତ ଯେଉଁଥିରେ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିଲା।
ଆମେରିକୀୟ ରାଷ୍ଟ୍ରଦୂତଙ୍କୁ ସମନ କରିବା ପରେ MEA ବିବୃତ୍ତି...
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, "ଓମାନ ଉପସାଗରରେ ବାଣିଜ୍ୟ ଜାହାଜ ଉପରେ ଆମେରିକୀୟ ନୌସେନା ଦ୍ୱାରା ଜାରି ଆକ୍ରମଣ ବିରୋଧରେ ଭାରତ ପ୍ରତିବାଦ ପ୍ରକାଶ କରୁଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପୁନର୍ବାର କହିଛି ଯେ ସାଧାରଣ ବାଣିଜ୍ୟ ଜାହାଜ ବିରୁଦ୍ଧରେ ଏପରି ଆକ୍ରମଣ ଏବଂ ଘାତକ ଅସ୍ତ୍ର ବ୍ୟବହାର ଚିନ୍ତାଜନକ ଏବଂ ଯେକୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଏପରି କାର୍ଯ୍ୟ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ଏବଂ ସ୍ଥିରତାକୁ ବିପଦରେ ପକାଇଥାଏ।
ଏହା ସହ ପଢନ୍ତୁ : ପେଟ୍ରୋଲ-ଡିଜେଲ ଉପରେ ସରକାରଙ୍କ ବଡ ନିଷ୍ପତ୍ତି, ଏବେଠୁ ଆଉ ଏତିକି ଲିଟରରୁ ଅଧିକ ନଦେବାକୁ ପମ୍ପ ଡିଲରଙ୍କୁ ନିର୍ଦ୍ଦେଶ...