ପ୍ରମୂଖ ଖବର
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଭାରତ-ପାକ୍‌ ବାଣିଜ୍ୟରେ ପୂର୍ଣ୍ଣଚ୍ଛେଦ: ଆହୁରି ଭୁଶୁଡ଼ିବ ପାକିସ୍ତାନ ଅର୍ଥନୀତି, ପୁଣି ତେଜିବ ଦରଦାମ ସମସ୍ୟା

Published By : Prameya | April 25, 2025 11:29 AM

ନୂଆଦିଲ୍ଲୀ,୨୫/୦୪: ପହଲ୍‌ଗାମ  ହମ୍‌ଲା ପରେ ଭାରତ ପାକିସ୍ତାନ  ବିରୋଧରେ ନେଇଛି କଡ଼ା ପଦକ୍ଷେପ ।  ପାକିସ୍ତାନରୁ ଯିବା ଆସିବା ବାଟ ବନ୍ଦ  କରିଦେଇଛି । ଏହାସହିତ ସାର୍କ ଭିସା ଛାଡ଼  ଯୋଜନାକୁ ବି ରଦ୍ଦ କରିଦେଇଛି । ଏହାର  ଉଦ୍ଦେଶ୍ୟ ହେଉଛି ପାକିସ୍ତାନରୁ ଆସୁଥିବା ଲୋକଙ୍କ ଉପରେ ରୋକ୍‌ ଲଗାଇବା ।  ଅଟାରୀରେ ଇଣ୍ଟିଗ୍ରେଟେଡ୍‌ ଚେକ୍‌  ପୋଷ୍ଟ୍‌କୁ ତତ୍କାଳ ବନ୍ଦ କରିଦିଆଯାଇଛି ।  ଉଦ୍ଦେଶ୍ୟ ହେଉଛି ଆର୍ଥିକ ଚାପରେ ସନ୍ତୁଳି ହେଉଥିବା ତଥା ଆତଙ୍କବାଦକୁ ପ୍ରଶୟ  ଦେଉଥିବା ପାକିସ୍ତାନକୁ ଶାସ୍ତି ଦେବା ।  ଅନ୍ୟପକ୍ଷରେ, ଭାରତ ସହିତ ପଙ୍ଗା  ପାକିସ୍ତାନ ଅର୍ଥନୀତିକୁ ଭୁଶୁଡ଼ିବ କରିଦେବ  ବୋଲି ପ୍ରକାଶ କରିଛନ୍ତି ବିଶେଷଜ୍ଞ । 

ଅଟାରୀ-ୱାଘା ବର୍ଡର ବନ୍ଦ କରାଯିବା  ଦ୍ୱାରା ଭାରତ ଏବଂ ପାକିସ୍ତାନ ମଧ୍ୟରେ  ବ୍ୟାପାର ବନ୍ଦ ହୋଇଯିବ । ଏହି ବର୍ଡର  ଉଭୟ ଦେଶ ମଧ୍ୟରେ ବ୍ୟାପାରର  ଏକମାତ୍ର ରାସ୍ତା । ଭାରତରୁ ସୋୟାବିନ,  ଫଳମୂଳ, ନାଲି ଲଙ୍କା, ପ୍ଲାଷ୍ଟିକ୍‌ ଦାନା  ଏବଂ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନି  ହେଉଥିବାବେଳେ ପାକିସ୍ତାନରୁ ଖଜୁରୀ,  ଜିପ୍‌ସମ, ସିମେଣ୍ଟ, କାଚ ଏବଂ ଜଡ଼ିବୁଟି  ଭାରତକୁ ଆସୁଥିଲା ।

ଏହି ରାସ୍ତାର ବ୍ୟବହାର ଭାରତ ଏବଂ ଆଫ୍‌ଗାନିସ୍ତାନ ମଧ୍ୟରେ ବ୍ୟାପାର  ପାଇଁ ମଧ୍ୟ ହେଉଥିଲା । ଅଟାରୀ ଲ୍ୟାଣ୍ଡ୍‌  ପୋର୍ଟ ଜାତୀୟ ରାଜପଥ ସହ ଲାଗିଛି ।  ଏହା ବନ୍ଦ ହେବା ଦ୍ୱାରା ଉଭୟ ଦେଶ  ମଧ୍ୟରେ ବ୍ୟାପାର ବନ୍ଦ ହୋଇଯିବ ।  ୨୦୨୩-୨୪ରେ ଏହି ପୋର୍ଟ ମାଧ୍ୟମରେ  ୩୮୮୬.୫୩ କୋଟି ଟଙ୍କାର କାରବାର  ହୋଇଥିଲା । ଏ ସମୟରେ ୬,୮୭୧  କାର୍ଗୋ ପରିବହନ ଏବଂ ୭୧,୫୬୩ ଯାତ୍ରୀ ଆସିଥିଲେ ଏବଂ ଯାଇଥିଲେ । ଭାରତର  ଏ ପଦକ୍ଷେପ ପାକିସ୍ତାନ ବିରୋଧରେ  ଏକ କଡ଼ା ସନ୍ଦେଶ । ଦ୍ୱିପାକ୍ଷିକ ଉତ୍ତେଜନା  ସତ୍ତେ୍ୱ ୨୦୨୪ରେ ପାକିସ୍ତାନକୁ ଭାରତର  ରପ୍ତାନି ଥିଲା ୫ ବର୍ଷର ସର୍ବୋଚ୍ଚ ସ୍ତର ।  

୨୦୨୪ରେ ଭାରତ ପାକିସ୍ତାନକୁ ୧୨୧  କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି  କରିଥିଲା । ଏହା ୨୦୨୩ରେ ଥିଲା ୫୪  କୋଟି ଡଲାର । ବର୍ତ୍ତମାନ ଉଭୟ ଦେଶ  ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଛିନ୍ନ ହୋଇଛି ।  ପାକିସ୍ତାନକୁ ଭାରତରୁ ଆଉ ଯିବନି ଜରୁରୀ  ସାମଗ୍ରୀ । ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀରର  ପହଲଗାମଠାରେ ପର୍ଯ୍ୟଟକଙ୍କ ଉପରେ  ଆତଙ୍କବାଦୀ ହମ୍‌ଲା ଉଭୟ ରାଷ୍ଟ୍ର ମଧ୍ୟରେ  ତିକ୍ତତାକୁ ଆହୁରି ତେଜିଛି ।  

ଭାରତ ମଧ୍ୟ ସିନ୍ଧୁ ଚୁକ୍ତିକୁ ବାତିଲ  କରି ପାକିସ୍ତାନର ନିଦ ହଜାଇଦେଇଛି ।  ଅନ୍ୟପଟେ ତୃତୀୟ ରାଷ୍ଟ୍ର ଦେଇ ଯାଉଥିବା  ରୁଟ୍‌ଗୁଡ଼ିକ ସମେତ ଭାରତ ସହ ସମସ୍ତ  କାରବାର ବନ୍ଦ କରିଛି ପାକ୍‌ । ପାକିସ୍ତାନର ଏ  ନିଷ୍ପତ୍ତିକୁ ନେଇ ରପ୍ତାନି ସଂଘ ଫିଓ ସଭାପତି  ଏସ୍‌.ସି. ରାଲହନ୍‌ କହିଛନ୍ତି ଯେ, ପାକିସ୍ତାନ  ସହ ଭାରତର ଦ୍ୱିପାକ୍ଷିକ ବ୍ୟାପାର ଅତି  କମ୍‌ । ଦେଶର ମୋଟ ବାଣିଜ୍ୟରେ ପାକ୍‌ର  ଯୋଗଦାନ ମାତ୍ର ୦.୦୬% । ୨୦୨୪-୨୫  ଏପ୍ରିଲ-ଜାନୁଆରୀରେ ଏହା ୫୦ କୋଟି  ଡଲାର ବି ନ ଥିଲା । ବର୍ତ୍ତମାନ ଏହା  ଶୂନ ହୋଇଯିବ । ପାକିସ୍ତାନକୁ ଅନେକ  ପ୍ରମୁଖ ସାମଗ୍ରୀ ରପ୍ତାନି ବନ୍ଦ ହୋଇଯିବ ।  ସେଠାରେ ଦରଦାମ ସମସ୍ୟା ଆହୁରି  ତେଜିବ । ଏହା ସେମାନଙ୍କ ଅର୍ଥନୀତିକୁ  ବର୍ବାଦ କରିଦେବ ।  

୨୦୨୪-୨୫ ଏପ୍ରିଲ-ଜାନୁଆରୀରେ  ପାକିସ୍ତାନକୁ ଭାରତରୁ ଯାଇଥିଲା ୪୫  କୋଟି ଡଲାର ମୂଲ୍ୟର ସାମଗ୍ରୀ ଏବଂ  ସେଠାରୁ ଆସିଥିଲା ମାତ୍ର ୦.୪୨ ନିୟୁତ  ଡଲାର ମୂଲ୍ୟର ସାମଗ୍ରୀ । ୨୦୨୩-୨୪ରେ  ଭାରତରୁ ପାକିସ୍ତାନକୁ ଯାଇଥିଲା ୧୧୮  କୋଟି ଡଲାର ମୂଲ୍ୟର ସାମଗ୍ରୀ ଏବଂ  ସେଠାରୁ ଆସିଥିଲା ମାତ୍ର ୨୮.୮ ଲକ୍ଷ  କୋଟି ଡଲାରର ସାମଗ୍ରୀ । ଏଭଳି ସ୍ଥିତିରେ  ପାକିସ୍ତାନର କଟକଣା ଭାରତକୁ ନୁହେଁ  ବରଂ ପାକ୍‌କୁ ବାଧିବ ବୋଲି କୁହନ୍ତି ଫିଓ  ଅଧ୍ୟକ୍ଷ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.