ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନରେ ପଡିଲା ପୂର୍ଣ୍ଣଚ୍ଛେଦ।  ଲାଗୁ ହେଲା ଅସ୍ତ୍ରବିରତି। ଏ ସମ୍ପର୍କରେ ବୈଦେଶିକ ସଚିବ ବିକ୍ରିମ ମିସ୍ରି କରିଛନ୍ତି ବଡ଼ ଘୋଷଣା। ସନ୍ଧ୍ୟା ୫ଟାରୁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନିୟମ ଲାଗୁ କରାଯାଇଛି। ଅପରାହ୍ନରେ ପାକିସ୍ତାନ ଡିଜିଏମଓ ଏକ ଫୋନ୍ କଲ୍ କରି ଏହି ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ,ଏହା ପରେ ଆଲୋଚନା ହୋଇଥିଲା ଏବଂ ଉଭୟ ଦେଶ ମଧ୍ୟରେ ସହମତି ହୋଇଥିଲା। ମିସ୍ରି କହିଛନ୍ତି ଅନ୍ୟ କୌଣସି ସ୍ଥାନରେ ଆଲୋଚନା କରିବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ।ଏହା ସହ ଦୁଇ ଦେଶ ବଡ଼ ଧରଣର ଯୁଦ୍ଧ ନେଇ କରାଯାଉଥିବା ଆଶଙ୍କା ଏକ ପ୍ରକାର ଦୂର ହୋଇଛି। ଅସ୍ତ୍ରବିରତି ଘୋଷଣା ପରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ବିଟ୍‌ କରିଛନ୍ତି। ସେ ଆତଙ୍କବାଦକୁ ନେଇ ଜୟଶଙ୍କର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। 

ଜୟଶଙ୍କର କହିଛନ୍ତି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ବୃଦ୍ଧି ପାଇଥିଲା। ଏବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ପାଇଁ ଏକ ଚୁକ୍ତିନାମା ହୋଇଛି। ଦୁଇ ପକ୍ଷରୁ କୌଣସି ଫାୟାରିଂ କିମ୍ବା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି। ମେ ୧୨ ତାରିଖରେ ଉଭୟ ଦେଶ ଏହି ପ୍ରସଙ୍ଗରେ ଆଲୋଚନା କରିବେ।  ତେବେ ଭାରତ ଆତଙ୍କବାଦ ଉପରେ କୌଣସି  ପ୍ରକାର ସାଲିସ କରିବ ନାହିଁ। ଭାରତ ନିରନ୍ତର ଭାବରେ ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ଏବଂ ଅଟଳ ମନୋଭାବ ବଜାୟ ରଖିଛି। ଆଗକୁ ମଧ୍ୟ ଏହା ଜାରି ରହିବ।

ଏହା ପୂର୍ବରୁ  ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଥିଲେ ଯେ ଆମେରିକାର ମଧ୍ୟସ୍ଥତା ଯୋଗୁଁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୋଇଛି। ସେ କହିଛନ୍ତି, "ଆମେରିକା ମଧ୍ୟସ୍ଥତାରେ ଦୀର୍ଘ ରାତିର ଆଲୋଚନା ପରେ, ମୁଁ ଘୋଷଣା କରି ଖୁସି ହେଉଛି ଯେ ଭାରତ ଏବଂ ପାକିସ୍ତାନ ଏକ ସମ୍ପୂର୍ଣ୍ଣ ଏବଂ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଉଭୟ ଦେଶକୁ ଅଭିନନ୍ଦନ। ଏହି ବିଷୟରେ ଧ୍ୟାନ ଦେବା ପାଇଁ ଆପଣଙ୍କୁ ଧନ୍ୟବାଦ।’