ପ୍ରମୂଖ ଖବର
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଆସିବ ୨୦,୦୦୦ କୋଟିର ରପ୍ତାନି ପ୍ରୋତ୍ସାହନ ଯୋଜନା, ଅଗଷ୍ଟରେ ଚୂଡ଼ାନ୍ତ ସେପ୍ଟେମ୍ବର ସୁଦ୍ଧା ଆରମ୍ଭ

Published By : Harapriya Biswal | August 9, 2025 6:15 PM

ନୂଆଦିଲ୍ଲୀ,୯।୮:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ବାଣରେ ବଡ଼ ମାତ୍ରାରେ  ପ୍ରଭାବିତ ହେବ ଭାରତ । ୩ ସପ୍ତାହ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ନ ହେଲେ  ଆମେରିକାରେ ଭାରତୀୟ ସାମଗ୍ରୀ ଉପରେ  ଲାଗିବ ୫୦% ଶୁଳ୍କ । ସେଠାରେ ଭାରତୀୟ ସାମଗ୍ରୀ ଚାହିଦା ଖସିବ । ତେବେ ଏଭଳି  ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି  ଭାରତ । ବିଭିନ୍ନ ବିକଳ୍ପ ଅନୁଧ୍ୟାନ କରୁଛନ୍ତି  ନରେନ୍ଦ୍ର ମୋଦି ସରକାର ।  ପ୍ରଥମତଃ ଭାରତ ସରକାର ଏକ ୨୦,୦୦୦  କୋଟି ଟଙ୍କାର ରପ୍ତାନି ପ୍ରୋତ୍ସାହନ ମିଶନ୍‌ ଆରମ୍ଭ  କରିବା ପାଇଁ ଯାଉଛନ୍ତି । ବିଶ୍ୱ ବାଣିଜ୍ୟିକ ଅନିଶ୍ଚିତତା ମଧ୍ୟରେ ଏହା ରପ୍ତାନିକାରୀଙ୍କୁ ସୁରକ୍ଷା ଦେବ । ଅଗଷ୍ଟ ସୁଦ୍ଧା ଏହି ଯୋଜନା ଚୂଡ଼ାନ୍ତ ହେବ ଏବଂ ସେପ୍ଟେମ୍ବର ସୁଦ୍ଧା ଆରମ୍ଭ ହୋଇପାରେ ।  ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ, ଏମ୍‌ଏସ୍‌ଏମ୍‌ଇ ଏବଂ  ଅର୍ଥ ମନ୍ତ୍ରାଳୟ ମିଳିତ ଭାବେ ଏହି ମିଶନ୍‌କୁ ବିକଶିତ କରୁଛନ୍ତି ।

ସୂତ୍ର ଅନୁସାରେ, ଏ ମିଶନ୍‌ ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଧ୍ୟାନ ଦେବ । ତାହା ହେଲା ଟ୍ରେଡ୍‌ ଫାଇନାନ୍ସ, ନନ୍‌-ଟ୍ରେଡ୍‌ ଫାଇନାନ୍ସ, ବ୍ରାଣ୍ଡ୍‌ ଇଣ୍ଡିଆର ବିଶ୍ୱସ୍ତରୀୟ ମାନ୍ୟତା ବୃଦ୍ଧି, ଇ-କମର୍ସ ହବ୍‌ ଏବଂ ୱେର୍‌ହାଉସ୍‌ ସ୍ଥାପନ ଓ ବାଣିଜ୍ୟିକ ସୁବିଧାକୁ ବ୍ୟବସ୍ଥିତ କରିବା ।ଭାରତୀୟ ରପ୍ତାନି ମହାସଂଘ(ଫିଓ)ର ମହାନିର୍ଦ୍ଦେଶକ ତଥା ସିଇଓ ଅଜୟ ସହାୟ କହିଛନ୍ତି ଯେ, ଏହି ମିଶନ୍‌କୁ ପ୍ରଥମେ ଚଳିତବର୍ଷ ବଜେଟ୍‌ରେ ଘୋଷଣା କରାଯାଇଥିଲା । ଏହା ରପ୍ତାନି ଋଣକୁ ପହଞ୍ଚ ବଢ଼ାଇବ । ସ୍ଥିତିର ମୁକାବିଲା ପାଇଁ ଅନ୍ୟାନ୍ୟ ଦିଗ ଉପରେ ବି ଜୋର ଦେଉଛି ଭାରତ । କିଛି ଦିନ ତଳେ ଆମେରିକା ସହ ବାଣିଜ୍ୟ ଚୁକ୍ତି କରିବା ଦୌଡ଼ରେ ଭାରତ ଆଗରେ ରହିଥିଲା । ୫ଟି ପର୍ଯ୍ୟାୟ କଥାବାର୍ତ୍ତା ପରେ ଏହା ବିଫଳ ହେଲା । ବିଶେଷ କରି ଭାରତ ଏହାର କୃଷି ଏବଂ ଡାଏରୀ କ୍ଷେତ୍ରକୁ ଆମେରିକା ପାଇଁ ଖୋଲା କରିବାକୁ ଚାହେଁନାହିଁ । ବାଣିଜ୍ୟ ଚୁକ୍ତି ନିମନ୍ତେ ଭାରତ ଚାଷୀଙ୍କ ହିତ ସହ କୌଣସି ପ୍ରକାର ସାଲିସ କରିବ ନାହିଁ । କାରଣ ଭାରତକୁ ଯଦି ଆମେରିକୀୟ କୃଷି ଏବଂ ଡାଏରି ଉତ୍ପାଦ ଆସିବ ତେବେ ଭାରତୀୟ ଚାଷୀ ବଡ଼ ମାତ୍ରାରେ କ୍ଷତି ସହିବେ । 

ଅନ୍ୟପକ୍ଷରେ, ଆମେରିକା ଚାହେଁ, ଭାରତ ଏହାର କୃଷି ଏବଂ ଡାଏରି କ୍ଷେତ୍ରକୁ ଆମେରିକା ପାଇଁ ସମ୍ପୂର୍ଣ୍ଣ ଖୋଲିଦେଉ । ଏସବୁ ମତଭେଦ ମଧ୍ୟରେ ଦୁଇ ଦେଶ ବାଣିଜ୍ୟ ଚୁକ୍ତିରୁ ବର୍ତ୍ତମାନ ପାଇଁ ଦୂରେଇ ଯାଇଛନ୍ତି । ଭାରତର ରୁଷ ତେଲ କ୍ରୟ ଉପରେ ଆପତ୍ତି କରିଆସୁଛି ଟ୍ରମ୍ପ ପ୍ରଶାସନ ।ସ୍ଥିତିକୁ ସୁଧାରିବା ପାଇଁ ଭାରତ ଆଗକୁ ଆମେରିକା ସହ ନୂଆ ଭାବେ ଆଲୋଚନା ଆରମ୍ଭ କରିବା ପାଇଁ ଆଶାବାଦୀ ରହିଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ପାଇଁ ଏବେ ବି ସମ୍ଭାବନା ରହିଛି । ଚଳିତ ମାସ ଶେଷ ଭାଗରେ ଆମେରିକାର ଏକ ବାଣିଜ୍ୟ ପ୍ରତିନିଧି ଟିମ୍‌ ଭାରତ ଗସ୍ତରେ ଆସିବେ । ଏ ଅବସରରେ ଦୁଇ ଦେଶ ମଧ୍ୟରେ କାରବାର ଉପରେ ଆଲୋଚନା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଲାଖୋଲି ଭାବେ କହିଛନ୍ତି ଯେ, ଭାରତ ମୋଟା ଟାରିଫ୍‌ ଦେବାକୁ ରାଜି ଅଛି କିନ୍ତୁ କୃଷକ, ଦୁଗ୍ଧ ଚାଷୀ ଏବଂ ମତ୍ସ୍ୟଜୀବୀମାନଙ୍କ ହିତକୁ ହାନି ପହଞ୍ଚାଉଥିବା କୌଣସି ନିଷ୍ପତ୍ତି ନେବ ନାହିଁ । ଅନ୍ୟପକ୍ଷରେ, ରୟଟର୍ସର ଏକ ରିପୋର୍ଟ ଅନୁସାରେ, କେତେକ ଆମେରିକୀୟ କୃଷି ଏବଂ ଦୁଗ୍ଧ ଉତ୍ପାଦ ଯେପରି ଆଲ୍‌ମଣ୍ଡ୍‌ ଏବଂ ଚିଜ୍‌ ଉପରେ ଶୁଳ୍କକୁ କମାଇବା ପାଇଁ ଭାରତ ରାଜି ଅଛି । ବର୍ତ୍ତମାନର ଅସ୍ଥିରତାକୁ ନିୟନ୍ତ୍ରଣ କରିବା ଲାଗି ଭାରତ ରୁଷ ତେଲ ଉପରେ ଏହାର ନିର୍ଭରତା କମାଇବା ପାଇଁ ବି କାର୍ଯ୍ୟ କରିପାରେ । ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍‌ ତୈଳ ଆମଦାନିକାରୀ । ୟୁକ୍ରେନ୍‌ ଯୁଦ୍ଧ ପୂର୍ବରୁ ଭାରତ ରୁଷଠାରୁ ସେତେ ମାତ୍ରାରେ ଅଧିକ ତେଲ କ୍ରୟ କରୁ ନ ଥିଲା । କିନ୍ତୁ ୟୁକ୍ରେନ୍‌ ଯୁଦ୍ଧ ପରେ ରୁଷରୁ ଏକ ତୃତୀୟାଂଶରୁ ଅଧିକ ତେଲ କିଣୁଛି ଭାରତ । ବର୍ତ୍ତମାନ ଟ୍ରମ୍ପଙ୍କ ଚାପ ମଧ୍ୟରେ ଦେଶର ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ରୁଷ ତେଲ କ୍ରୟକୁ ବର୍ତ୍ତମାନ ବନ୍ଦ ରଖିଛନ୍ତି । ଅନାବଶ୍ୟକ ଚାପକୁ ଏଡ଼ାଇବା ପାଇଁ ଭାରତ ଆଗକୁ ରୁଷ ତେଲ ଉପରେ ଏହାର ନିର୍ଭରତା କମାଇପାରେ । 

ବର୍ତ୍ତମାନ ପରିସ୍ଥିତିର ମୁକାବିଲା ପାଇଁ ଭାରତ ବ୍ରିକ୍‌ସ ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କକୁ ମଜଭୁତ କରିବା ଦିଗରେ କାର୍ଯ୍ୟ କରୁଛି । ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଭାରତ ସହିତ ବ୍ରାଜିଲ ରହିଛି । ଚୀନ୍‌, ରୁଷ ଏବଂ ଦକ୍ଷିଣ ଆଫ୍ରିକା ସହିତ ଭାରତ ଏବଂ ବ୍ରାଜିଲ ବ୍ରିକ୍‌ସର ଅଂଶ । ବର୍ତ୍ତମାନ ବ୍ରିକ୍‌ସର ନେତୃତ୍ୱ ନେଉଥିବା ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା କହିଛନ୍ତି ଯେ, ଆମେରିକାର ଟାରିଫ୍‌ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରିବା ପାଇଁ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ୍‌ର ସି ଜିନ୍‌ପିଙ୍ଗ୍‌ ଏବଂ ଅନ୍ୟ ଲିଡରମାନଙ୍କ ସହ ଆଲୋଚନା କରିବେ । ବିଶ୍ୱ ବଜାରରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ପ୍ରଭାବ କମାଇବା ପାଇଁ ଭାରତ ସରକାର ଏବେ ଆମେରିକା ଟାରିଫ୍‌ ଦ୍ୱାରା ପ୍ରଭାବିତ ଦେଶଗୁଡ଼ିକ ସହ ସମ୍ପର୍କ ମଜଭୁତ କରିବା ପାଇଁ ଜୋର ଦେଉଛନ୍ତି । ଭାରତ ଏବେ ରୁଷ ଏବଂ ଚୀନ୍‌ ସହିତ କୁଟନୈତିକ ସମ୍ପର୍କ ବଢ଼ାଉଛି । ବର୍ତ୍ତମାନ ଭାରତର ସୁରକ୍ଷା ଉପଦେଷ୍ଟା ମସ୍କୋରେ ଅଛନ୍ତି । ଚଳିତବର୍ଷ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଏସବୁ ମାଧ୍ୟମରେ ଭାରତ ବ୍ରିକ୍‌ସ ମଧ୍ୟରେ ପାରସ୍ପରିକ ସହଯୋଗିତାକୁ ମଜଭୁତ କରିବା ଦିଗରେ ବଢୁଛନ୍ତି । ଅନ୍ୟପକ୍ଷରେ, ଭାରତ-ଆମେରିକା ଆଲୋଚନା ଯଦି ବିଫଳ ହୁଏ ତା’ହେଲେ ଭାରତୀୟ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପଡ଼ିବ । ୨୦୨୪-୨୫ରେ ଭାରତ ଆମେରିକାକୁ ୮୭ ବିଲିୟନ ଡଲାରର ସାମଗ୍ରୀ ରପ୍ତାନି କରିଥିଲା । ଏଥିରେ ପୋଷାକ, ଫାର୍ମା, ଗହଣା ଏବଂ ପେଟ୍ରୋକେମିକାଲ ଆଦି ରହିଛି, ଯାହାକି ଦେଶର ଜିଡିପିରେ ପ୍ରାୟ ୨% ଯୋଗଦାନ ଦେଇଥାଏ । ଯଦି ପ୍ରସ୍ତାବିତ ୫୦% ଶୁଳ୍କ ଲାଗୁ ହୁଏ ତେବେ କେବଳ ଫାର୍ମା କ୍ଷେତ୍ରକୁ ଛାଡ଼ି  ଅନ୍ୟ ସବୁ କ୍ଷେତ୍ର ପ୍ରଭାବିତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.