ନୂଆଦିଲ୍ଲୀ,୦୩/୦୧: ବିଶ୍ୱର ବିଭିନ୍ନ ଦେଶର ସୈନ୍ୟଶକ୍ତିକୁ ଆଧାର କରି ର‌୍ୟାଙ୍କିଙ୍ଗ୍‌ ସ୍ଥିର କରୁଥିବା ସଂସ୍ଥା ଗ୍ଲୋବାଲ ଫାୟାର ପାୱାର ପକ୍ଷରୁ ୨୦୨୫  ବର୍ଷର ନୂଆ ତାଲିକା ଜାରି କରାଯାଇଛି । ସେହି ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଅର୍ଥାତ ସମଗ୍ର ବିଶ୍ୱରେ ସୈନ୍ୟଶକ୍ତିରେ ଭାରତ ଚତୁର୍ଥ  ସ୍ଥାନରେ ଅଛି । ଅନ୍ୟପକ୍ଷରେ ପାକିସ୍ତାନର ସ୍ଥିତି  ପୂର୍ବାପେକ୍ଷା ଆହୁରି ତଳକୁ ଖସିଯାଇଛି । ଗତବର୍ଷ  ଏହା ୯ମ ସ୍ଥାନରେ ଥିଲା ବେଳେ ଏଥର ୧୨ତମ  ସ୍ଥାନକୁ ଖସିଛି । ତାଲିକା ଅନୁସାରେ ପ୍ରଥମରେ  ଆମେରିକା, ଦ୍ୱିତୀୟରେ ରୁଷ ଏବଂ ତୃତୀୟ ସ୍ଥାନରେ ଚୀନ୍‌ ରହିଥିବା ଜଣାପଡିଛି । 

ପ୍ରାୟ ୬୦ରୁ ଅଧିକ ସାମରିକ ମାନଦଣ୍ଡକୁ  ଆଧାର କରି ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ  ପ୍ରସ୍ତୁତ କରାଯାଇଛି । ସେଥିରେ ପ୍ରତିରକ୍ଷା ଜ୍ଞାନକୌଶଳ, ଆର୍ଥିକ ଶକ୍ତି (ପ୍ରତିରକ୍ଷା ବଜେଟ  ଓ ଆର୍ଥିକ ସଂସାଧନ), ଲଜିଷ୍ଟିକ କ୍ଷମତା (ଇନ୍ଧନ  ଯୋଗାଣ, ଭଣ୍ଡାରଣ ଓ ପରିବହନ), ଭୌଗୋଳିକ  ସ୍ଥିତି, ସୈନ୍ୟ ୟୁନିଟ୍‌ (ଟ୍ୟାଙ୍କ, ବିମାନ, ଯୁଦ୍ଧପୋତ,  ମିସାଇଲ ପ୍ରଣାଳୀ) ଓ ରଣନୀତିକ ଦକ୍ଷତା ଭଳି  ମାନଦଣ୍ଡ ରହିଛି । ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଥିବା  ଅନ୍ୟ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଦକ୍ଷିଣ  କୋରିଆ, ବ୍ରିଟେନ, ଫ୍ରାନ୍ସ, ଜାପାନ, ତୁର୍କୀ ଓ  ଇଟାଲୀ । ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭର, ଜଳ-ସ୍ଥଳ-ଆକାଶରେ ସାମରିକ ଶକ୍ତି ବୃଦ୍ଧି  ଯୋଗୁ ଭାରତର ସ୍ଥିତିରେ ଉନ୍ନତି ଘଟିଛି ।  ଅନ୍ୟପକ୍ଷରେ ପାକିସ୍ତାନର ଦୁର୍ବଳ ସାମରିକ ସ୍ଥିତି  ଓ ପ୍ରତିରକ୍ଷା କ୍ଷେତ୍ରରେ ଆଧୁନିକୀକରଣ ପାଇଁ ରହିଥିବା ଚାଲେଞ୍ଜର ମୁକାବିଲା କରିବାରେ ବିଫଳ ହୋଇଥିବାରୁ ଏହା ତଳକୁ ଖସିଯାଇଛି । ତାଲିକାର  ସବୁଠାରୁ ନିମ୍ନ ୧୪୫ ତମ ସ୍ଥାନରେ ରହିଛି ଭୁଟାନ । 

ଇସ୍ରୋର NVS-02 ସାଟେଲାଇଟକୁ ଝଟକା, ଫାୟାର କରିବାକୁ ଫେଲ ମାରିଲା ଥ୍ରଷ୍ଟର୍ସ

ଭାରତୀୟ ସାମରିକ ଶକ୍ତି ବୃଦ୍ଧିର ସବୁଠାରୁ  ବଡ ଘଟଣା ହେଉଛି ୩ ବାହିନୀର ଆଧୁନିକୀକରଣ ।  ସେନାରେ ୧୪ ଲକ୍ଷ ୫୦ ହଜାରରୁ ଅଧିକ ସକ୍ରିୟ  ଯବାନ ରହିଥିଲା ବେଳେ ୧୧ ଲକ୍ଷ ୫୦ ହଜାର  ସଂରକ୍ଷିତ ସୈନ୍ୟ ଏବଂ ୨୫ ଲକ୍ଷରୁ ଅଧିକ  ଅର୍ଦ୍ଧସାମରିକ ବାହିନୀର ଯବାନ ହେଉଛନ୍ତି ଭାରତୀୟ  ସାମରିକ ଶକ୍ତିର ସମ୍ବଳ । ସୈନ୍ୟଶକ୍ତିକୁ ଆହୁରି  ସୁଦୃଢ଼ କରିଛି ଟି-୯୦ ଭିସ୍ମ ଓ ଅର୍ଜୁନ ଟ୍ୟାଙ୍କ,  ବ୍ରହ୍ମୋସ ମିସାଇଲ ଏବଂ ପିନାକ ରକେଟ ସିଷ୍ଟମ ।  ଭାରତୀୟ ବାୟୁସେନା ମଧ୍ୟ ଏହାର ଶକ୍ତି ବଢ଼ାଇବାରେ  ଲାଗିଛି । ବାୟୁସେନା ନିକଟରେ ଏବେ ୨୨୯୯ ବିମାନ  ରହିଛି । ଯେଉଁଥିରେ ୬୦୦ ଫାଇଟର ଜେଟ୍‌, ୮୯୯  ହେଲିକପ୍ଟର ଓ ୮୩୧ ସମର୍ଥିତ ବିମାନ ରହିଛି ।  ରାଫେଲ, ସୁଖୋଇ ୩୦ ଏମ୍‌କେଆଇ ଓ ନେତ୍ର  ସର୍ଭେଲାନ୍ସ ବିମାନ ବାୟୁସେନାର ଅନ୍ୟତମ ଶକ୍ତି ।  ରୁଦ୍ରମ, ଅସ୍ତ୍ର,ନିର୍ଭୟ ଓ ବ୍ରହ୍ମୋସ ସଂଶ୍ଳିଷ୍ଟ ବିମାନ ବାୟୁସେନାର ଶକ୍ତିକୁ ବଢ଼ାଇଦେଇଛି । 

ସେହିଭଳି ଭାରତୀୟ ନୌସେନାର ଶକ୍ତି ମଧ୍ୟ  ବଢ଼ିବାରେ ଲାଗିଛି । ବର୍ତ୍ତମାନ ନୌସେନାରେ ୧ ଲକ୍ଷ  ୪୨ ହଜାରରୁ ଅଧିକ ସକ୍ରିୟ ନାବିକ ସାମିଲ ଅଛନ୍ତି ।  ଏଥିସହ ୧୫୦ରୁ ଅଧିକ ଯୁଦ୍ଧଜାହାଜ, ଜାହାଜ ଓ  ବୁଡାଜାହାଜ ମଧ୍ୟ ରହିଛି । ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ,  ଆଇଏନ୍‌ଏସ୍‌ ବିକ୍ରାନ୍ତ ଭଳି ବିମାନବାହୀ ଯୁଦ୍ଧ ଜାହାଜ  ଏବଂ ଆଣବିକ ବୁଡାଜାହାଜ, ପି-୮ଆଇ ମେରିଟାଇମ୍‌  ରେକନାଇଜାନ୍ସ ବିମାନ, ଏମ୍‌ଏଚ୍‌-୬୦ଆର ହେଲିକପ୍ଟର ନୌସେନାର ଶକ୍ତି ବଢ଼ାଇଛି । ବର୍ତ୍ତମାନ  ୫୦ରୁ ଅଧିକ ଜାହାଜ,  ବୁଡାଜାହାଜ ଓ  ହେଲିକପ୍ଟର ନିର୍ମାଣ କରାଯାଉଛି । ଫଳରେ  ଭାରତୀୟ ନୌସେନାର ଶକ୍ତି ଆଗାମୀ  ଦିନରେ ଆହୁରି ବଢ଼ିବ । 

ଅନ୍ୟପକ୍ଷରେ ପାକିସ୍ତାନର  ସ୍ଥଳସେନାରେ ସକ୍ରିୟ ଯବାନଙ୍କ ସଂଖ୍ୟା  ୬ ଲକ୍ଷ ୪୦ ହଜାର ରହିଥିଲା ବେଳେ  ଅଲ୍‌-ଖଲିଦ,ଟି ୮୦-ୟୁଡି ଓ ଅଲ୍‌-ଜର୍ରାର  ଭଳି ପ୍ରମୁଖ ଟ୍ୟାଙ୍କ ରହିଛି । ବାୟୁସେନାରେ ଜେଏଫ୍‌-୧୭ ଥଣ୍ଡର, ଏଫ-୧୬ ଓ ମିରାଜ  ଯୁଦ୍ଧବିମାନ ସାମିଲ ଅଛି । ନୌସେନାରେ ଅଗୁସ୍ତା ୯୦ବି ବୁଡାଜାହାଜ, ତାରିକ ଶ୍ରେଣୀର ବିଧ୍ୱଂସକ  ଓ ଜୁଲ୍‌ଫିକର ଶ୍ରେଣୀର ଫ୍ରିଗେଟ ରହିଛି । ଭାରତର  ଅନ୍ୟତମ ପଡୋଶୀ ଦେଶ ବାଂଲାଦେଶ ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସର ୩୫ ତମ ସ୍ଥାନରେ ରହିଛି ।ବାଂଲାଦେଶର ମୋଟ ସକ୍ରିୟ ସୈନ୍ୟଙ୍କ ସଂଖ୍ୟା ୧ ଲକ୍ଷ  ୬୩ ହଜାର ରହିଥିଲା ବେଳେ ୬ ଲକ୍ଷ ୮୦ ହଜାର ଅର୍ଦ୍ଧସାମରିକ ବାହିନୀର ଯବାନ ଅଛନ୍ତି । ବାୟୁସେନାରେ  ୧୬୬ ବିମାନ ରହିଛି ଯେଉଁଥିରେ ୪୪ଟି ଲଢ଼ୁଆ ବିମାନ ସାମିଲ ଅଛି । ନୌସେନାରେ ୧୧୭ ଯୁଦ୍ଧଜାହାଜ ରହିଛି । ଏଥିରେ ଚୀନ ନିର୍ମିତ  ୨ଟି ବୁଡାଜାହାଜ ମଧ୍ୟ ଅଛି ।